ଅନେକ ଦିନ ତଳେ ଥରେ ଦୁର୍ଭିକ୍ଷ ପଡିଥିଲା । ପଶୁପକ୍ଷୀମାନେ ଖାଇବାକୁ ନ ପାଇ ଦୁର୍ବଳ ହେଲେ । ବାଘ ସିଂହଙ୍କ ପରି ବଡ ପଶୁଙ୍କ କଥା ତ କହିଲେ ନ ସରେ । ଶିକାର କରିବେ କ’ଣ ଚାଲିବାକୁ ମଧ୍ୟ ସେମାନଙ୍କର ଆଉ ବଳ ପାଇଲା ନାହିଁ ।
ଛୋଟବଡ ସବୁ ପଶୁ ଝଡି ଯାଉଥାନ୍ତି କିନ୍ତୁ କଇଁଚ ଓ ତାର ସ୍ତ୍ରୀ ପିଲା ପୂର୍ବ ପରି ଚିକଣିଆ ଥାଆନ୍ତି । ଏହାର ରହସ୍ୟ କାହାକୁ ବି ହେଲେ ଜଣା ପଡୁ ନଥାଏ । ଖାଇବାକୁ ନ ପାଇଲେ କ’ଣ କିଏ ଏତେ ଡଉଲଡାଉଲ ଦିଶିବ?
କଥା ହେଉଛି, କଇଁଚ ବଡ କପାଳିଆ । ତାକୁ ଗୋଟିଏ ଗୁପ୍ତ ଖାଦ୍ୟ ଭଣ୍ଡାର ମିଳିଗଲା । ଦିନେ ସେ ଜଙ୍ଗଲରେ ବୁଲୁ ବୁଲୁ ବାଟବଣା ହୋଇ ଗୋଟିଏ ହ୍ରଦ ପାଖରେ ପହଁଚିଲା । ସେ ହ୍ରଦରେ ପ୍ରଚୁର ମାଛ । କଇଁଚ ସେଠାରୁ ମନଇଚ୍ଛା ମାଛଧରି ଘରକୁ ଆଣିଲା । ଏ କଥା ସେ କଇଁଚ ଆଉ କୌଣସି ପଶୁକୁ ବି ମୋଟେ କହିଲା ନାହିଁ । କାହିଁକି ବା କହିବ? ସେ ଜୋର୍ରେ ଚାଲିପାରେନା ବୋଲି ସମସ୍ତେ ତ ତାକୁ ସବୁବେଳେ ଖାଲି ଥଟ୍ଟା କରନ୍ତି ।
ପ୍ରତିଦିନ ବଡିଭୋରୁ ସେ କଇଁଚ ହ୍ରଦ ପାଖକୁ ବାହାରିଯାଏ । ସେଠାରୁ କିଛି ମାଛ ଧରି ସେସବୁକୁ ଗୋଟିଏ ଡାଲାରେ ପୂରାଇ ଆଚ୍ଛାକରି ଘୋଡେଇ ପକାଏ । ଡାଲାଟି ମୁଣ୍ଡେଇ ଘରକୁ ଫେରିଲେ କଇଁଚ ସ୍ତ୍ରୀ ବଢିଆ ତରକାରୀଟାଏ କରେ । ତାପରେ ସମସ୍ତେ ମିଶି ତାକୁ ଖାଆନ୍ତି ।