ପାଂଚ, ଛ ଶହ ବର୍ଷ ତଳର କଥା । ଚୀନର ଏକ ରାଜ୍ୟର ରାଜ-ପ୍ରତିନିଧି ଥିଲେ “ନି ଚିୟେନ୍” । ତାଙ୍କର ଅଗାଧ ସମ୍ପତ୍ତି । ଏକମାତ୍ର ପୁତ୍ର ତାଙ୍କର ଥାଏ । ତା’ ନାମ “ସାନ୍ ଚି” । ସାନ୍ ଚିର ବିବାହ ପରେ ତା’ର ମା’ ମରିଗଲେ । ପତ୍ନୀଙ୍କର ମୃତ୍ୟୁ ପରେ ନି ଚିୟେନ୍ଙ୍କର ଆଉ ରାଜକାର୍ଯ୍ୟରେ ମନ ଲାଗିଲା ନାହିଁ । ତେଣୁ ସେ ତାଙ୍କ କାର୍ଯ୍ୟରୁ ଇସ୍ତଫା ଦେଇ ଜମିବାଡି ଦେଖାଶୁଣା କରି ଘରେ ରହିଥା’ନ୍ତି । କିଛିଦିନ ପରେ ଜମି ପାଖରେ ଛୋଟ ଘରଟିଏ ତୋଳାଇ ସେ ରହିଲେ । ଚାଷକାମ ବୁଝାବୁଝି କରିବାରେ ବ୍ୟାୟାମ ମଧ୍ୟ ହୁଏ ଓ ଚାଷରେ ଉନ୍ନତି ମଧ୍ୟ ହେଉଥାଏ ।
ଦିନେ ସାନ୍ ଚି ତା’ର ବାପାଙ୍କୁ କହିଲା, “ବାପା, ତମେ କ୍ରମେ ବୃଦ୍ଧ ହେଉଛ । ଏବେ ଘରେ ରହି ବିଶ୍ରାମ କର । ମୁଁ ସବୁ କାମ ସମ୍ଭାଳି ନେବି ।”
ଏକଥା ଶୁଣି ନି ଚିୟେନ୍ କହିଲେ, “ମୁଁ ତ କାର୍ଯ୍ୟ ନକଲେ ଆଦୌ ରହିପାରିବି ନାହିଁ । ଜୀବନ ଥିବା ପର୍ଯ୍ୟନ୍ତ ମୁଁ ଏମିତି କାମ କରି ଚାଲିବି । ତୋର ନିଜର ତ ପୁଣି ଚାକିରୀ ଅଛି । ତୁ କେତେବେଳେ ବା ସମୟ ପାଇବୁ ଏସବୁ ବୁଝିବାକୁ? ଘରେ ବସି ରହିଲେ ତ ମୁଁ ପାଗଳ ହୋଇଯିବି ।” ବାପାଙ୍କ କଥା ଶୁଣି ସାନ୍ ଚି ଚୁପ୍ଚାପ୍ ଘରକୁ ଲେଉଟି ଗଲା । କିନ୍ତୁ ବୁଢା ବୟସରେ ବାପାଙ୍କର ଅନ୍ୟ ଏକ କର୍ମକୁ ସହିନେବା ତା’ ପାଇଁ ଥିଲା ଭାରି କଷ୍ଟକର । ସେଇଟି ହେଲା ବିବାହ ।
ନି ଚିୟେନ୍ ଦିନେ ଗ୍ରାମ ଶେଷରେ ଏକ ସୁନ୍ଦର ପଦ୍ମପୋଖରୀ କୂଳରେ ବୁଲୁଥିଲେ । ସେ ହଠାତ୍ ଦେଖିଲେ ଜଣେ ଷୋଡଶୀ ସୁନ୍ଦରୀ ଯୁବତୀ ବସି ସେଠାରେ ଲୁଗା କାଚୁଛି । ଲୁଗା କାଚିସାରି ସେ ସେଇବାଟେ ଆସିଲା । ସେତେବେଳେ ତା’ ସହିତ ତା’ର ଜେଜେମା ମଧ୍ୟ ଥାଏ । ପିଲାଟି ଦିନରୁ ତା’ର ବାପ ମା’ ମରିଯାଇଥିବାରୁ, ଜେଜେମା ହିଁ ତାକୁ ମଣିଷ କରିଛନ୍ତି । ତା’ ନାମ ମେୟ । ସେମାନେ ବହୁତ ଗରିବ ଥିଲେ । ତେଣୁ ମେୟର ବିବାହ ବିଷୟରେ ତା’ର ଜେଜେମା କିଛି ବ୍ୟବସ୍ଥା କରିପାରି ନଥିଲେ । ସେ ଝିଅର ସୌନ୍ଦର୍ଯ୍ୟରେ ମୋହିତ ହୋଇ ବୁଢା ନି ଚିୟେନ୍ ମେୟର ଜେଜେମାକୁ ବୁଝାଇ କହିଲେ, “ତୁମେ ତୁମ ନାତୁଣୀକୁ ମୋ ସହିତ ବିବାହ ଦେଲେ ସେ ଅଗାଧ ସମ୍ପତ୍ତିର ମାଲିକାଣୀ ହୋଇ ଅତ୍ୟନ୍ତ ସୁଖରେ କାଳାତିପାତ କରିବ ।” ତାଙ୍କ କଥା ଶୁଣି ଜେଜେମା ଖୁସି ହୋଇଗଲେ । ମେୟ ମଧ୍ୟ ରାଜି ହୋଇଗଲା । ଅଳ୍ପଦିନ ମଧ୍ୟରେ ବିବାହ ଅନୁଷ୍ଠିତ ହେଲା । ମେୟ ଅତ୍ୟନ୍ତ ଭଲ ସ୍ୱଭାବର ଝିଅ ଥିଲା ।
ବୁଢାଦିନେ ବାହା ହେବାଟା ପୁଅ ସାନ୍ ଚିକୁ ମୋଟେ ଭଲ ଲାଗିଲା ନାହିଁ । ସେ ଓ ତା’ର ସ୍ତ୍ରୀ ଭାବିଲେ ମେୟ ତ ଗରିବ ଝିଅ । ନିଜ ସୌନ୍ଦର୍ଯ୍ୟର ମୋହଜାଲରେ ବୁଢାକୁ ପକାଇଛି । ଜାଣ ତାଙ୍କ ବଂଶର ପୂର୍ବ ପ୍ରତିଷ୍ଠା ଏବେ ମାଟିରେ ମିଶିଗଲା ।