କିଛି ବର୍ଷ ମଧ୍ୟରେ ମେୟର ପୁଅଟିଏ ହେଲା । ତା’ର ନାମ ସେମାନେ ସାନ୍ ସୁ ରଖିଲେ । ପୁଅ ହେବାରୁ ସାନ୍ ଚି ଆହୁରି ରାଗିଲା । ବାପା ନାମରେ ସେ କିଛି କହି ପାରେନାହିଁ ସିନା, ହେଲେ ସାବତ ମା’ ନାମରେ ସେ ନାନା ଅପବାଦ ଦେଲା । ଏସବୁ ଶୁଣି ନି ଚିୟେନ୍ ଭାବିଲେ କି ବଡ ହେଲେ ସାନ ସୁ ତା’ ସହିତ ଜମିଜମାରେ ଭାଗୀଦାର ହେବ ବୋଲି ସେ ଏପରି ବ୍ୟବହାର କରୁଛି ।
ପୁଅଟି ପାଂଚ ବର୍ଷର ହେବାରୁ ନି ତାକୁ ଜଣେ ଜଣାଶୁଣା ଶିକ୍ଷକଙ୍କ ପାଖକୁ ପାଠ ପଢାଇବାକୁ ପଠାଇଲେ । ସେହି ଶିକ୍ଷକଙ୍କ ପାଖରେ ଆଗରୁ ସାନ୍ ଚି ର ପୁଅ ମଧ୍ୟ ପଢୁଥିଲା । ଏକାଠି ରହିଲେ କାଳେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଯିବ, ଏଇକଥା ଭାବି ସାନ୍ ଚି ତା’ ପୁଅକୁ ସେଠାରୁ ନେଇଯାଇ ଅନ୍ୟ ଶିକ୍ଷକଙ୍କ ପାଖରେ ପଢାଇଲା । ନି ଚାହିଁଲେ ବଡ ପୁଅକୁ ଡକାଇ ଗାଳି ଦେବେ । କିନ୍ତୁ ଦୁଷ୍ଟ ପ୍ରକୃତିର ଲୋକଙ୍କ ସହିତ ସଂପର୍କ ରଖିଲେ ସେ କାଳେ ବେଶି ଗୋଳମାଳ କରିବ ଭାବି ଶେଷରେ ସେ ଚୁପ୍ଚାପ୍ ରହିଗଲେ ।
ଏ ଘଟଣାର କିଛିଦିନ ପରେ ତାଙ୍କ ଶରୀର ରୋଗଗ୍ରସ୍ତ ହେଲା । ବୈଦ୍ୟ ପରୀକ୍ଷା କରି ତାଙ୍କୁ ଔଷଧ ଦେଲେ ଏବଂ କହିଲେ, “ଏ ରୋଗ ପ୍ରାୟ ସଂପୂର୍ଣ୍ଣ ଉପଶମ ହୁଏ ନାହିଁ ।”
ଦିନେ ସାନ୍ ଚି ତା’ ବାପାଙ୍କୁ ଦେଖିବାକୁ ଆସିଲା । ସେ ଜାଣିପାରିଲା, ତା’ ବାପା ଆଉ ବେଶିଦିନ ବଂଚିବେ ନାହିଁ । ତେଣୁ ସେ ଘରେ ମାଲିକପଣିଆ ଦେଖାଇ ଚାକରମାନଙ୍କୁ କଥା କଥାକେ ଗାଳିଗୁଲଜ କଲା, ପିଟିଲା । ମେୟ ଓ ତା’ର ପୁଅ କେବଳ ନି ଙ୍କର ଶଯ୍ୟା ପାଖରେ ବସି ବ୍ୟାକୁଳ ଭାବରେ ଅଶ୍ରୁପାତ କରୁଥିଲେ ।
ନି ବୁଝିଥିଲେ କି ତାଙ୍କର ଅନ୍ତିମ ସମୟ ଆଗତପ୍ରାୟ । ଦିନେ ସେ ତାଙ୍କର ଜ୍ୟେଷ୍ଠପୁତ୍ର ସାନ୍ ଚିକୁ ପାଖକୁ ଡାକି ତା’ ହାତରେ ଏକ ଖାତାଦିଏ ଦେଲେ ଓ କହିଲେ ସେଥିରେ ସମସ୍ତ ସମ୍ପତ୍ତିର ହିସାବ ରହିଛି । ନି କହିଲେ, “ପୁତ୍ର, ଶୁଣ, ସାନ୍ ସୁ କେବଳ ପାଂଚ ବର୍ଷର ପିଲା । ସେ ବଡ ହେବା ପର୍ଯ୍ୟନ୍ତ ତାକୁ ତ ପୁଣି କେହି ଦେଖାଶୁଣା କରିବା କଥା । ଆମର ଏହି ବିରାଟ ସମ୍ପତ୍ତିକୁ ତା’ର ମା’ ସମ୍ଭାଳି ପାରିବ ନାହିଁ । ତେଣୁ ତାକୁ କିଛି ନ ଦେଇ ସମଗ୍ର ସମ୍ପତ୍ତି ମୁଁ ତୋ ହାତରେ ଦେଉଛି । ଏଣିକି ତୁ ହିଁ ସେମାନଙ୍କର ଦେଖାଶୁଣା କରିବୁ । ସାନ୍ ସୁ ଯେବେ ସାବାଳକ ହେବ ସେତେବେଳେ ତୁ ତାକୁ ତା’ର ଭାଗ ସମ୍ପତ୍ତି ଦେଇଦେବୁ । ତୋ ଉପରେ ମୋର ଯଥେଷ୍ଟ ବିଶ୍ୱାସ ଅଛି । ତାକୁ ବାହା କରାଇବୁ, ତା’ ଲାଗି ଘର ଖଣ୍ଡେ ତୋଳି ଦେବୁ ଓ ତା’ ଭାଗ ଜମିଜମା ତୁ ତାକୁ ଦେଇ ଦେବୁ । ସେ ସବୁ କଥା ମୁଁ ଏହି ଖାତାରେ ଲେଖି ରଖିଛି । ଯଦି ମୋ ସ୍ତ୍ରୀ ପୁନଶ୍ଚ ବିବାହ କରିବାକୁ ଚାହେଁ ତାହେଲେ ତୁ ତାକୁ ସେଇଆ କରିବାକୁ ଦେବୁ । ଆଉ ଯଦି ସେ ଚିର ଜୀବନ ବିଧବା ହୋଇ ପୁଅକୁ ଧରି ଖୁସି ହୋଇ ରହିବ ତ ସେପରି ରହିବ । ମାତ୍ର ତୁ ତାକୁ କୌଣସି କଥାରେ ବାଧ୍ୟ କରିବୁ ନାହିଁ । ଯଦି ମୋ କଥା ଅନୁସାରେ ସବୁ କରିବୁ ତେବେ ମୃତ୍ୟୁ ପରେ ମୋ ଆତ୍ମା ନିଶ୍ଚୟ ଶାନ୍ତି ପାଇବ ।”