ଦିନକର କଥା । ସନ୍ଥ ତାଙ୍କର ସମସ୍ତ ବାଇଶ ଜଣ ଶିଷ୍ୟଙ୍କୁ ନେଇ କୌଣସି ଏକ ସ୍ଥାନକୁ ଯାଉଥାନ୍ତି । ବାଟରେ ହଠାତ୍ ଏକ ବାରାଙ୍ଗନାର ଘର ପାଖରେ ଅଟକି ଯାଇ ତରତର ହୋଇ ସନ୍ଥ ହଜରତ ନିଜାମୁଦ୍ଦିନ ସେ ଘର ଭିତରକୁ ଚାଲିଗଲେ । ଗଲାବେଳେ ସେ ଘର ବାହାରେ ଅପେକ୍ଷା କରିବା ପାଇଁ ଗୁରୁ ତାଙ୍କ ସମସ୍ତ ଶିଷ୍ୟମାନଙ୍କୁ କହି ଯାଇଥିଲେ ।
ସେହି କୋଠାଘରର ଉପର ମହଲାରେ ରହୁଥିଲେ ଜଣେ ବାରାଙ୍ଗନା । ଶିଷ୍ୟମାନେ ଦେଖୁଥାନ୍ତି ତାଙ୍କର ଗୁରୁ ବାରାଙ୍ଗନାର କୋଠରି ଆଡକୁ ଅଗ୍ରସର ହେଉଛନ୍ତି । ବିନା ନିମନ୍ତ୍ରଣରେ ଜଣେ ପତିତା ଘରକୁ ମହାନ୍ ସନ୍ଥଙ୍କର ହଠାତ୍ ଆଗମନ ହୋଇଥିବାରୁ ସେ ବାରାଙ୍ଗନା ମଧ୍ୟ ନିଜକୁ ମହା ଭାଗ୍ୟବତୀ ବୋଲି ମଣୁଥିଲେ ।
ଏଥର ସେ ସନ୍ଥ ହଜରତ୍ ବାରଙ୍ଗନା ଉଦ୍ଧେଶ୍ୟରେ ଉଚ୍ଚ ସ୍ୱରରେ କହିଲେ, “ମୋତେ ଏକାନ୍ତରେ ରହିବାକୁ ଦିଅ । ମୋ ପାଇଁ ଗୋଟିଏ ବୋତଲ ମଦ, ଦି’ପଟ ରୁଟି ଓ କିଛି ମାଂସ ତରକାରୀ ଆଣ ।”
ଏହିକଥା ସେ ବାରଙ୍ଗନାର ଦ୍ୱାରଦେଶରେ ଅପେକ୍ଷାରତ ଥିବା ଶିଷ୍ୟମାନେ ମଧ୍ୟ ଶୁଣିବାକୁ ପାଇଲେ । ଗୁରୁଙ୍କ ମୁହଁରୁ ଏଭଳି ଅଶୋଭନୀୟ ଆଚରଣ ଶୁଣି ସମସ୍ତେ ହଠାତ୍ ବିସ୍ମିତ ହୋଇଗଲେ । ପ୍ରଥମେ ପତିତା ଗୃହଗମନ ଏବଂ ତା’ପରେ ନିଷିଦ୍ଧ ଖାଦ୍ୟଦ୍ରବ୍ୟ ପାଇଁ ଆଦେଶ ଦେବା କଥାଶୁଣି ଶିଷ୍ୟମାନେ ନିଜ ନିଜ ଭିତରେ କୁହାକୁହି ହେଲେ ପ୍ରକୃତରେ ଆମର ଗୁରୁ କେତେ ଘୃଣ୍ୟ । ତାଙ୍କର ଅସଲ ସ୍ୱରୂପ ଆଜି ଠିକ୍ ଜଣାପଡିଗଲା । ଏବେ ବୋଧହୁଏ ଗୁରୁଙ୍କର ସୁରା ଓ ନାରୀ ଆବଶ୍ୟକ ପଡିଲାଣି? ନହେଲ କାହିଁକି ଗୁରୁ ଏଠାରେ ପ୍ରବେଶ କରିଥାନ୍ତେ? ଏହିଭଳି କହି ଜଣ ଜଣ କରି ଏକୋଇଶ ଜଣ ଶିଷ୍ୟ ସେଠାରୁ ଖସି ପଳାଇଲେ ।
ଶେଷରେ ଧନୀ ଖୁସ୍ରୁ ନାମକ ଜଣେ ଶିଷ୍ୟ ଗୁରୁଙ୍କୁ ଅପେକ୍ଷା କରି ସେମିତି ସେଠାରେ ବସିରହିଲେ । ସେ ଏକଲୟରେ ଗୁରୁଙ୍କୁ ଧ୍ୟାନ କରିବା ସହିତ ତାଙ୍କ ଫେରିବା ବାଟକୁ ଚାହିଁ ରହିଥାନ୍ତି । ଗୁରୁ ହଜରତ୍ ସିନା ବରାଦ ଦେଇଦେଲେ, ହେଲେ କାହାକୁ ଆଦୌ ସ୍ପର୍ଶ ନ କରି ସେଠାରୁ ସେ ଫେରିଆସିଲେ । ଫେରି ଆସି ଗୁରୁ ଦେଖିଲେ କେବଳ ଧନୀ ଖୁସ୍ରୁ ହିଁ ତାଙ୍କୁ ଅପେକ୍ଷା କରି ରହିଛନ୍ତି । ଜଣେ ଶିଷ୍ୟକୁ ଏକାକୀ ଦେଖି ଗୁରୁ ପଚାରିଲେ, “ତୁମେ ଆଉ ଏକା କାହିଁକି ରହିଲ?”
ଗୁରୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଧନୀ ଖୁସ୍ରୁ କହିଲେ, “ପ୍ରଭୁ! ମୁଁ ଆଉ କୁଆଡେ ଯାଇଥାନ୍ତି? ମୁଁ ତ ଯୁଆଡେ ବି ଦେଖୁଛି ଆପଣ ତ ସେଇଠି ବିଦ୍ୟମାନ । ଆଉ ଆପଣଙ୍କର ଏହି କର୍ମ ଯାହା ଏଠାରେ ଘଟିଗଲା ତାହା କେବଳ ଆପଣଙ୍କର କର୍ତ୍ତବ୍ୟର ଅଂଶବିଶେଷ ମାତ୍ର ଥିଲା । ମୁଁ କିନ୍ତୁ ସବୁବେଳେ ଆପଣଙ୍କର ଥିଲି, ଆଉ ଭବିଷ୍ୟତରେ ରହିବି ମଧ୍ୟ ।”
ଏଥର ସେ ହଜରତ୍ ମହାଆନନ୍ଦରେ ନିଜର ପ୍ରିୟ ଶିଷ୍ୟକୁ ଆଲିଙ୍ଗନ କରି କହିଲେ, “ତୁମେ ହିଁ ମୋର ଶିଷ୍ୟମାନଙ୍କ ଭିତରେ ଯୋଗ୍ୟତମ । ଉପଯୁକ୍ତ ଶିଷ୍ୟ ଚୟନପାଇଁ ଏସବୁ ମୋର କେବଳ ଗୋଟାଏ ନାଟକ ଥିଲା ।”
ସୁତରାଂ ଗୁରୁଙ୍କୁ କେବେ ଘୃଣା କରିବା ଉଚିତ ନୁହେଁ । ସେଇଥିପାଇଁ ପରା କୁହାଯାଇଛି-
“ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ୍ ଈଶ୍ୱର ।”