“ପଢାଇଲା ବେଳେ ଢୁଳାଇବା ଥିଲା ଗୁରୁଜୀଙ୍କ ନିତିଦିନିଆକଥା
ଏକଥା ଦେଖିବି ନିରବରେ ପିଲା ବସି ରହୁଥିଲେ ନୁଆଁଇ ମଥା ।
ହେଲେ ଜଣେ ପିଲା ଏଭଳି ଅନ୍ୟାୟ ସହିନପାରି ଖୋଲିଲା ତା’ ପାଟି
ବଡ ହେଲା ପରେ ମଧୁ ବାରିଷ୍ଟର ନାମେ ହେଲା ଖ୍ୟାତ ସେଇ ପିଲାଟି ।”
ଅନେକ ବର୍ଷ ତଳର କଥା । ଆଜିକାଲି ପରି ଆଗ କାଳରେ ତ ଆଉ ସ୍କୁଲ ନଥିଲା । ପିଲାମାନେ ଚାଟଶାଳୀରୁ ହିଁ ପାଠପଢା ଆରମ୍ଭ କରୁଥିଲେ । ଆଉ ସେଠାରେ ପାଠପଢାଉଥିବା ଶିକ୍ଷକଙ୍କୁ ‘ଅବଧାନ’ ବୋଲି କୁହାଯାଉଥିଲା ।
ଗୋଟିଏ ଗାଁ ଚାଟଶାଳୀରେ ବହୁତ ପିଲା ପାଠ ପଢୁଥାନ୍ତି । ସେଠାରେ ମାଗୁଣି ଅବଧାନେ ପାଠ ପଢାଉଥାନ୍ତି । ସେ ପିଲାମାନଙ୍କୁ ପାଠପଢା ଦେଇ ବସି ଯାଆନ୍ତି । ଆଉ ପିଲାମାନେ ବଡ ପାଟି କରି ପଣିକିଆ ଘୋଷନ୍ତି । ଯିଏ ଯେଉଁ ପାଠ ପଢୁ ପଛକେ କିନ୍ତୁ ପିଲାଟି ବଡ ପାଟି କରି ପଢିବା ଦରକାର । ଯିଏ ପାଟି ନକଲା ତା’ ପିଠିରେ ଲହକା ବେତର ପ୍ରହାର ।