ହେଲେ ମାଗୁଣି ଅବଧାନଙ୍କର ଟିକିଏ ବଦଭ୍ୟାସ ଥିଲା । ସେ ପାଠ ପଢାଉ ପଢାଉ ବେଳେବେଳେ ଢୁଳେଇ ପଡନ୍ତି । ଏହା ଜାଣି ମଧ୍ୟ ପିଲାମାନେ ଭୟରେ ସେ ଅବଧାନଙ୍କ ବିରୋଧରେ ଆଦୌ କିଛି ବି କହନ୍ତି ନାହିଁ । ପିଲାଙ୍କ ଭିତରେ ବିଶୃଙ୍ଖଳା ସୃଷ୍ଟି ହେଲେ ବି ସେ ଅବଧାନେ କିଛି ବି ମୋଟେ ବୁଝନ୍ତି ନାହିଁ ।
ଦିନକର କଥା । ଜଣେ ପିଲାର ଜୋତାପଟେ କିଏ ନେଇଗଲା । ସେତେବେଳେ ତ ସେ ଅବଧାନେ ନିଘୋଡ ନିଦରେ ଶୋଇ ଯାଇଥାନ୍ତି । ତେଣୁ ପିଲାଟି ଜୋତା ପଟେ ନ ପାଇବାରୁ ଠିଆହୋଇ ବଡପାଟିରେ କହିଲା, “ଆଜ୍ଞା! ମୋ’ର ଜୋତାପଟେ କିଏ ନେଇଗଲା ।”
ଏହା ଶୁଣି ସେ ଅବଧାନେ ନିଦରେ ଶୋଇରହି କହିଦେଲେ, “ବସ୍! ତୋର ଜୋତା ପଟେ କିଏ ନେଇ କ’ଣ ବା କରିବ? ତୁ ପଟେ ଜୋତା ଘରୁ ପିନ୍ଧି ଆସିଥିବୁ । ଘରେ ଆଉପଟେ ରହିଯାଇଥିବ । ଘରକୁ ଗଲେ ପଛେ ଖୋଜିବୁ ।”
ପିଲାଟିକୁ ଅବଧାନଙ୍କର ଏଭଳି କଥା ସେଦିନ ଭାରି ବାଧିଲା । ହେଲେ ସେ ମାଡଭୟରେ ଅବଧାନଙ୍କଠାରେ କୌଣସି ପ୍ରତିବାଦର ସ୍ୱର ଉଠାଇପାରିଲା ନାହିଁ । ମାତ୍ର ମନେ ମନେ ସେ ସୁଯୋଗ ଖୋଜୁଥାଏ, କିଭଳି ଭାବରେ ସେ ଅବଧାନଙ୍କର ଏଭଳି ଅନ୍ୟାୟର ବିରୋଧ କରିବ ।
ଆଉ ଦିନକର କଥା । ପିଲାମାନଙ୍କୁ ପାଠପଢା ଦେଇ ଅବଧାନ ଚୌକି ଉପରେ ଶୋଇ ପଡିଲେଣି । ଏତିକିବେଳେ ତାଙ୍କର ପାଦରୁ ଗୋଟିଏ ଚପଲ ଖସି ତଳେ ପଡିଗଲା । ଏଣେ ସେ ପିଲାଟି ତ ଏହି ସୁଯୋଗକୁ ଅପେକ୍ଷା କରିଥିଲା । ତେଣୁ ସେ ବାହାରକୁ ପରିସ୍ରା ଯିବା ବାହାନାରେ ଗଲା । ଆଉ ହାତରେ ଅବଧାନଙ୍କର ପଟେ ଚପଲ ନେଇ ପାଖରେ ଥିବା ଏକ ଗାଡିଆରେ ଫିଙ୍ଗିଦେଲା ।
କିଛି ସମୟ ପରେ ସେ ଅବଧାନଙ୍କର ନିଦ ହଠାତ୍ ଭାଙ୍ଗିଗଲା । ଗୋଟିଏ ପାଦରେ ଚପଲ ନଥିବା ଦେଖି ସେ ଅବଧାନେ କେତେ ଖୋଜିଲେ, ପିଲାଙ୍କୁ ବି ପଚାରିଲେ, ହେଲେ ଚପଲ ନପାଇ ଶେଷରେ ସେ ନିରାଶ ହେଲେ ।
ଠିକ୍ ଏତିକିବେଳେ ସେ ପିଲାଟି ଉଠି କହିଲା, “ଆପଣ ନିଶ୍ଚୟ ଘରୁ ପଟେ ଚପଲ ପିନ୍ଧି ଆସିଥିଲେ । ଘରେ ଆଉ ପଟକ ଥାଇପାରେ ।”
ଅବଧାନେ ପିଲାଟି କଥାରେ ଏକାବେଳକେ ରାଗରେ ନିଆଁବାଣ ହୋଇଗଲେ । କହିଲେ, “କିଏ କ’ଣ କେବେ ପଟେ ଚପଲ ପିନ୍ଧିଥାଏ? ତୁ ଏକଥା ମୋତେ କହିପାରିଲୁ କିପରି?”
ଏବେ ସେ ପିଲାଟି କହିଲା, “ଆଜ୍ଞା! ମୁଁ ତ କିଛି ବି ଅନ୍ୟାୟ କଥା ନାହିଁ । ଆପଣଯଦି ମୋତେ କହିପାରିଲେ ଯେ, ମୁଁ ପଟେ ଜୋତା ପିନ୍ଧି ଘରୁ ଆସିଥିଲି ବୋଲି ସେଇ ଆପଣଙ୍କ କଥା ଆପଣଙ୍କୁ କହି ମୁଁ ବା କ’ଣ ଭୁଲ୍ କଲି?”
ପିଲାଟିର ଏଭଳି ନିର୍ଭୀକତାପୂର୍ଣ୍ଣ କଥାରେ ସେଦିନ ଅବଧାନେ ନିଜର ଭୁଲ୍ ବୁଝିପାରିଲେ । ସେଦିନ ନିରବ ରହିବା ଛଡା ତାଙ୍କ ପାଖରେ ଆଉ କିଛି ବି ବାଟ ନଥିଲା । କାରଣ ଯଦି କଥାଟା ବାହାରକୁ ଚାଲିଯିବ ତେବେ ଅବଧାନଙ୍କ ଶୋଇବା କଥା ଜଣାପଡିଯିବ । ସେହିଦିନଠାରୁ ଅବଧାନେ ପାଠ ପଢାଇଲା ବେଳେ ଶୋଇବା ଛାଡିଦେଲେ ।
ପିଲାମାନେ, ସେଦିନ ସେ ଅବଧାନଙ୍କ ବିରୋଧରେ ଏଭଳି ନିର୍ଭୀକପୂର୍ଣ୍ଣ ପ୍ରତିବାଦ କରିଥିବା ପିଲାଟି କିଏ ତୁମେ ଜାଣିଛ? ସେ ଥିଲେ ମଧୁସୂଦନ ଦାସ, ଯିଏ କି ଘରେ ଘରେ ମଧୁ ବାରିଷ୍ଟର ରୂପେ ପରିଚିତ ।