ଧଡ୍ ଧଡ୍ କରି କବାଟ ଠେଲି ଦୌଡା ଦୌଡି ହୋଇ ଏକା ସାଙ୍ଗରେ ଘରେ ପଶିଲେ ଦୁଇଟି ପିଲା । ଦାଣ୍ଡଘର ଟପି ଭିତରପଟ ବାରଣ୍ଡାକୁ ଆସି ସେ ଦୁହେଁ ଥପ୍ କରି ଠିଆ ହୋଇଗଲେ । ଦୁହେଁ ଜାଣିଲେ ଏମିତି ଆସିବା ଠିକ୍ ହେଲାନି । ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ସ୍ପିଡ୍ ଆଦୌ କମି ପାରିଲା ନାହିଁ ଓ ଦୁହେଁ ବାରଣ୍ଡାର ମଝିକୁ ଆସିଗଲେ । ଭଲ ଖବରଟିଏ ଦେବେ ବୋଲି ଆସିଥିଲେ କିନ୍ତୁ ପରିସ୍ଥିତି ଅଲଗା ହୋଇଗଲା ।
ସମୀରର ବୋଉ ଶ୍ରାଦ୍ଧର ପିଣ୍ଡ ପାଇଁ ରନ୍ଧାଯାଇଥିବା ଅନ୍ନ ହାଣ୍ଡିଟି ଧରି ଚାଲି ଆସୁଥିବା ଅବସ୍ଥାରେ ଏମାନେ ଯାଇ ସେଠାରେ ହାବୁଡି ଗଲେ । ଉଭୟପଟ ସାବଧାନ ହୋଇଗଲେ ଧକ୍କା ବାଜି ନାହିଁ । ନହେଲେ ଗରମ ଭାତ ହାଣ୍ଡି ବାଜିଥିଲେ ଅବସ୍ଥା ଅସମ୍ଭାଳ ହୋଇଥାନ୍ତା ଉଭୟପଟ ପାଇଁ । ରକ୍ଷା ହୋଇଛି । ତା’ପରେ ବୋଉ ତାଙ୍କୁ ଆଡେଇ ହୋଇ ଚାଲିଗଲେ । କିନ୍ତୁ ସମୀରର ଜେଜେମା ଏ ଅବସ୍ଥାକୁ ଏତେ ସହଜରେ ସମ୍ଭାଳି ପାରିଲେ ନାହିଁ । ମୁହଁ ଉପରୋଧ ମଧ୍ୟ ରଖିଲେ ନାହିଁ ସେ । ହଠାତ୍ ସେ ବେଶ୍ ବଡ ପାଟିରେ କହି ପକାଇଲେ –
‘କେତେଥର କହିଲିଣି ସାଙ୍ଗ ହବ ତ’ ପଦାରେ । ଘରକୁ ଏ ପିଲାଙ୍କୁ ପୂରାଅ କାହିଁକି? ଆଜି ପୁଣି ଏ ଘରେ ଶ୍ରାଦ୍ଧ । କେତେ ଶୂଚିମନ୍ତ ହୋଇ ରନ୍ଧାବଢା ହୋଇ ପିଣ୍ଡ ବଢା ହେଉଛି । ଯେତକ ସବୁ ଅଘୋରୀ କଥା । ଯାହାଙ୍କୁ ରୋଷେଇ ଘର ମନା ତାଙ୍କୁ ଆଣି ଦିଅଁଙ୍କ ଘରେ ବସାଇଲେଣି ।’
ଏହା ଶୁଣି ସେ ପିଲା ଦିଓଟିଙ୍କ ମୁହଁ ଅପମାନରେ ଜଳିଗଲା । ବିଜୟ ସମୀରର ଭାରି ଭଲ ସାଙ୍ଗ । ସେ ଯେ ଆଜି ନୂଆକରି ତାଙ୍କ ଘରକୁ ଆସୁଚି ତାହା ନୁହେଁ । ବରଂ ଆଜି ତାଙ୍କର ଚତୁର୍ଥ ଶ୍ରେଣୀ କ୍ଲାସ୍ ଉଠା ପରୀକ୍ଷା ଫଳ ବାହାରିଛି । ସମୀର କେତେ ଆଗ୍ରହରେ ଆସିଥିଲା ସେ ପ୍ରଥମ ହୋଇଥିବା ଖବର ଘରେ ଦେବ । ଏଭଳି ଖବର ପାଇ ସମସ୍ତେ କେତେ ଯେ ଖୁସି ହେବେ । ଏଣେ ବିଜୟକୁ ସଙ୍ଗରେ ଆଣିଥିଲା ଯେ ସମସ୍ତିଙ୍କୁ କହିବ ଅଙ୍କ ପରୀକ୍ଷା ଦିନ ସକାଳେ ତାକୁ ବିଜୟ ଦୁଇଟି ଅଙ୍କ ବୁଝେଇ ଦେଇଥିଲା ଓ ସେଇ ଦିଟି ଅଙ୍କ ହିଁ ପରୀକ୍ଷାରେ ପଡିଥିଲା । କେବଳ ସେଥିପାଇଁ ସେ ଅଙ୍କରେ ବେଶି ମାର୍କ ପାଇଛି । ବିଜୟର ସାହାଯ୍ୟ ପାଇଁ ସେ ଆଜି ଫାଷ୍ଟ ହୋଇ ପାରିଛି । ତେଣୁ ତାଙ୍କ ଘରେ ବିଜୟକୁ ସମ୍ମାନ ଦେବା ଥିଲା ସମୀରର ବଡ ଇଚ୍ଛା । ହେଲେ ଏତେ ବଡ ଆଗ୍ରହରେ କିଏ ପାଣି ପକେଇ ଦେଲା । ସମୀରକୁ ତା ନିଜ ପାଇଁ ଯେତେ ନୁହେଁ ବରଂ ବିଜୟ ପାଇଁ ତାକୁ ଭାରି ଖରାପ ଲାଗିଲା ।