ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୁରୁଦକ୍ଷିଣା

                ଏ କଥା ଶୁଣିବା ପରେ ଗୁରୁଦେବ ପୁଣି କିଛି ସମୟ ଚିନ୍ତା କରିବାକୁ ଲାଗିଲେ । କାହିଁକିନା ଗୁରୁ ସନ୍ଦିପନୀ ମୁନି ସେତେବେଳକୁ ଜାଣି ସାରିଥିଲେ ଯେ, ଏମାନେ ଦୁଇଭାଇ ସ୍ୱୟଂ ଭଗବାନଙ୍କ ଅବତାର । ତେଣୁ ତାଙ୍କୁ କଅଣ ବା ଅଜଣା? ସେ ବା ଏବେ ସେମାନଙ୍କୁ କଅଣ କହିବେ? ତଥାପି ମାଆର ହୃଦୟ ନେଇ ମହର୍ଷିଙ୍କୁ ତାଙ୍କ ପତ୍ନୀ ହୃଦୟ ଭିତରର ସଂଚିତ ଦୁଃଖକୁ ଅବଗତ କରାଇଲେ । କିନ୍ତୁ ଗୁରୁ ହୋଇ ଶିଷ୍ୟମାନଙ୍କୁ ସେ କଥା ସେ ବା କହିବେ କିପରି? ଏମିତି ଦୁଃଖ ତଥା ଚିନ୍ତା ମଧ୍ୟରେ ଥାଇ ସେ ମୁନି କିଛି ବି କହି ପାରୁ ନଥାଆନ୍ତି । କିନ୍ତୁ ! ସେମାନଙ୍କର ଦୁଃଖ ତଥା ଚିନ୍ତାର କାରଣ ସ୍ୱୟଂ ଜଗଦୀଶ୍ୱରଙ୍କୁ ତ ଭଲଭାବେ ଜଣା । ତେଣୁ ଶେଷରେ ଶ୍ରୀକୃଷ୍ଣ କହିଲେ; ‘ଗୁରୁଦେବ ! ଆପଣଙ୍କ ହୃଦୟର ଦୁଃଖକୁ ପ୍ରକାଶ କରି ପାରିଲେ ମୁଁ ଟିକିଏ ଶାନ୍ତି ପାଇ ପାରିବି । ତେଣୁ ଦୟାକରି ଆପଣ ଆମକୁ ସେହି ଦୁଃଖ ବିଷୟ ଜଣାନ୍ତୁ ।’

                ଏହା ଶୁଣିବା ପରେ ଗୁରୁ ସନ୍ଦିପନୀ ମୁନି କହିଲେ, ‘ମୋର ଏକମାତ୍ର ପୁତ୍ର ପୁନର୍ଦତ କିଛି ବର୍ଷ ପୂର୍ବେ ପ୍ରଭାସ ତୀର୍ଥକୁ ସାଗର ସ୍ନାନ କରିବାକୁ ଯାଇ ଆଜି ପର୍ଯ୍ୟନ୍ତ ସେ ଫେରି ଆସିନାହିଁ । ସେଥିପାଇଁ ଆମେ ଦୁହେଁ ଦୀର୍ଘଦିନ ଧରି ତା’ର ଆସିବା ପଥକୁ ଅନେଇ ଅନେଇ କ୍ରମେ ନିରାଶ ହୋଇ ପଡିଲୁଣି । ତୁମ୍ଭେମାନେ ଯଦି ମୋତେ ଗୁରୁ ଦକ୍ଷିଣା ଦେବାକୁ ଚାହୁଁଛ, ତେବେ ମୋର ପୁତ୍ରକୁ ଆଣି ମୋତେ ଫେରାଇ ଦେଇ ପାରିଲେ ମୁଁ ଖୁବ୍ ଆନନ୍ଦିତ ହୁଅନ୍ତି ।

                ଏହି ବିଷୟ ଶୁଣିବା ପରେ ଦୁଇଭାଇ ଗୁରୁଙ୍କ ଆଶୀର୍ବାଦ ନେଇ ପୁନର୍ଦତକୁ ଫେରାଇ ଆଣିବା ପାଇଁ ପ୍ରଭାସତୀର୍ଥ ଆଡକୁ ଆଗେଇ ଚାଲିଲେ । ସମୁଦ୍ର ଦେବତା ବରୁଣ ଦେବ ଯେତେବେଳେ ଜାଣିବାକୁ ପାଇଲେ ଯେ, କୃଷ୍ଣ ବଳରାମ, ଗୁରୁପୁତ୍ରଙ୍କୁ ଖୋଜିବା ପାଇଁ ତାଙ୍କ ନିକଟକୁ ଆସୁଛନ୍ତି, ସେତେବେଳେ ସେ ଖୁବ୍ ବିଚଳିତ ହୋଇ ପଡିଲେ । ଏମିତି ଚିନ୍ତା କରୁଥିବା ସମୟରେ ଦୁଇ ଭାଇ ଯାଇ ସେଠାରେ ପହଁଚିଲେ । ଏହାପରେ ପୁନର୍ଦତଙ୍କ ସମ୍ପର୍କରେ ବରୁଣ ଦେବଙ୍କୁ ପ୍ରଶ୍ନ କରିବାରୁ ସେ ଅତ୍ୟନ୍ତ କାକୁସ୍ଥ ହୋଇ କହିଲେ, ‘ପ୍ରଭୁ ! ପୁନର୍ଦତଙ୍କର ମୁଁ କୌଣସି ପ୍ରକାର କ୍ଷତି କରିନାହିଁ । ତେବେ ଆଉ ଗୋଟିଏ କଥା ହେଉଛି, ମୋର ଗଭୀର ଜଳର ନିମ୍ନ ଦେଶରେ ଥିବା ଏକ ଶଙ୍ଖ ଭିତରେ ଜଣେ ଭୟଙ୍କର ଦୈତ୍ୟ ଆତ୍ମ ଗୋପନ କରି ରହୁଛି । ମୋର ମନେହୁଏ, ସେହି ଦୈତ୍ୟ ଆପଣଙ୍କ ଗୁରୁପୁତ୍ରଙ୍କୁ ଖାଇଯାଇଛି । ତେଣୁ ଦୟାକରି ଆପଣମାନେ ଥରେ ତା’ର ସମ୍ମୁଖୀନ ହୁଅନ୍ତୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ