ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୁରୁଭକ୍ତି

ଋଷି  ଧୌମ୍ୟଙ୍କର ଆଶ୍ରମରେ ରହି ଅନେକ ଗୁଡିଏ ଛାତ୍ର ବିଦ୍ୟାଶିକ୍ଷା କରୁଥିଲେ । ସେ ଛାତ୍ରମାନଙ୍କୁ ମନଯୋଗ ସହକାରେ ପଢାଉଥିଲେ ଓ କଠିନ ପରୀକ୍ଷା ମଧ୍ୟ କରୁଥିଲେ । ଗୁରୁ ବିଭିନ୍ନ ଛାତ୍ରଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ପରୀକ୍ଷା କରି ଜାଣି ପାରନ୍ତିଯେ ଛାତ୍ରର କିପରି ଗୁରୁଭକ୍ତି ଅଛି ଓ ପାଠ ପ୍ରତି କେତେ ଆଗ୍ରହ ଅଛି ।

        ଦିନକର କଥା, ସେଦିନ ପ୍ରବଳ ବର୍ଷା ହେଉଥାଏ । ଗୁରୁ ଆରୁଣି ନାମକ ଜଣେ ଛାତ୍ରକୁ ଡାକି କହିଲେ – ବତ୍ସ ! କ୍ଷେତର ହିଡ ଭାଙ୍ଗିଯିବା ଫଳରେ କ୍ଷେତର ପାଣି ବାହାରକୁ ବୋହି ଯାଉଛି । ତେଣୁ ତୁମେ ଯାଇ ହିଡ ବାନ୍ଧି ଦେଇ ଆସ । ଆରୁଣି ସଙ୍ଗେ ସଙ୍ଗେ କ୍ଷେତ ଆଡକୁ ଚାଲିଲେ । କ୍ଷେତରୁ ପାଣି ଖୁବ୍ ଜୋର୍ରେ ବହି ଯାଉଥିଲା । ତେଣୁ ଆରୁଣି ମାଟି ଜମାକରି ହିଡ ବାନ୍ଧିବାକୁ ଚେଷ୍ଟା କଲେ । କିନ୍ତୁ ପାଣି ଏତେ ଜୋର୍ରେ ବହୁଥିଲାଯେ ସେ ମାଟି ସବୁକୁ ଭସାଇ ନେଉଥିଲା । ଆରୁଣି ଶତଚେଷ୍ଟା କରି ମଧ୍ୟ ହିଡ ବାନ୍ଧି ନପାରିବାରୁ କୌଣସି ଉପାୟ ନ ପାଇ ପାଣି ଅଟକାଇବା ପାଇଁ ସେହି ହିଡରେ ଶୋଇଗଲେ । ଫଳରେ ପାଣି ବୋହିବା ବନ୍ଦ ହୋଇଗଲା । କିନ୍ତୁ ଆରୁଣି ବର୍ଷା ମାଡ ଖାଇ ଖାଇ ଅଚେତ୍ ହୋଇଯାଇଥିଲେ । ଦିନ ଯାଇ ରାତି ହେଲା, ଆରୁଣି ଆଶ୍ରମକୁ ନଫେରିବାରୁ ଋଷି ଧୌମ୍ୟଙ୍କର ଚିନ୍ତା ବଢିଗଲା । ସେ ତୁରନ୍ତ କ୍ଷେତ ନିକଟରେ ପହଁଚି ଦେଖନ୍ତିତ ଆରୁଣି ଅଚେତ୍ ଅବସ୍ଥାରେ ଶୋଇଛନ୍ତି । ଏହା ଦେଖି ଧୌମ୍ୟ ଭାବବିହ୍ୱଳ ହୋଇ ଗଲେ ।

        ଏ ଘଟଣାର କିଛି ଦିନ ପରେ ଧୌମ୍ୟ ତାଙ୍କର ଆଉ ଜଣେ ଶିଷ୍ୟ ଉପମନ୍ୟୁଙ୍କୁ ପରୀକ୍ଷା କଲେ । କେତେଗୁଡିଏ ଗାଈ ଉପମନ୍ୟୁଙ୍କୁ ଦେଲେ ଚରାଇବା ପାଇଁ କିନ୍ତୁ ଶିଷ୍ୟର ଖାଇବା ପିଇବାର କିଛି ବ୍ୟବସ୍ଥା କରି ନଥିଲେ । ଧୌମ୍ୟ ଦେଖିବାକୁ ଚାହୁଁଥିଲେ ଉପମନ୍ୟୁ କିପରି କାମ କରୁଛନ୍ତି । ଉପମନ୍ୟୁ ଗାଈଗୁଡିକୁ ଅଡାଇ ନେଇ ଚରାଇବାକୁ ଚାଲିଗଲେ । ଗାଈମାନେ ଆନନ୍ଦରେ ଚରିବାକୁ ଲାଗିଲେ । କିଛି ସମୟ ପରେ ଉପମନ୍ୟୁଙ୍କୁ ପ୍ରବଳ ଭୋକ ଲାଗିଲା । ସେ କୌଣସି ଉପାୟ ନପାଇ ଭିକ୍ଷାମାଗି ଭୋଜନ କଲେ । କିଛି ଦିନ ପରେ ସେ ଭିକ୍ଷା ନପାଇବାରୁ ସେ ଗାଈଠାରୁ କ୍ଷୀର ଦୁହିଁ ପିଇ ଜୀବନ ଧାରଣ କଲେ ।

        ଦିନକର କଥା, ଧୌମ୍ୟ ଉପମନ୍ୟୁ ନିକଟରେ ଉପସ୍ଥିତ ହୋଇ ସମସ୍ତ କଥା ଜାଣି ଶିଷ୍ୟ ଉପରେ ରାଗିଗଲେ ଏବଂ କହିଲେ – ଜଣେ ଛାତ୍ର ଆଶ୍ରମରେ ରହିବାକୁ ହେଲେ ଆଶ୍ରମର ନୀତି ନିୟମ ମାନିବା ଉଚିତ୍ ଏବଂ ଗୁରୁ ଆଜ୍ଞା ବିନା କୌଣସି କାର୍ଯ୍ୟ କରିବା ଅନୁଚିତ୍ ।

        ଉପମନ୍ୟୁ ନିଜର ଭୁଲ୍ ସ୍ୱୀକାର କରି କହିଲେ – “ମୁଁ ପ୍ରତିଜ୍ଞା କରି କହୁଛି, ଆଶ୍ରମର ସବୁ ନିୟମ ମାନିବି ।” ଗୁରୁଙ୍କର ଆଦେଶ ଅନୁଯାୟୀ ଉପମନ୍ୟୁ ଗାଈ ଚରାଇବା ବେଳେ କୌଣସି ଖାଦ୍ୟ ଖାଇଲେ ନାହିଁ । କିନ୍ତୁ କେତେଦିନ ଅବା ସେ ଭୋକ ଉପାସରେ ରହିବେ । ତେଣୁ ସେ ଭୋକ ବିକଳରେ ନିକଟରେ ଥିବା ସିଝୁ ଗଛକୁ ଭାଙ୍ଗି ତା’ର କ୍ଷୀର ପିଇଲେ । ସିଝୁ କ୍ଷୀର ପିଇବା ଦ୍ୱାରା ଉପମନ୍ୟୁଙ୍କର ଦୃଷ୍ଟି ଶକ୍ତି ଚାଲିଗଲା ଏବଂ ସେ ଆଉ ଦେଖି ପାରିଲେ ନାହିଁ । ଫଳରେ ସେ ବାଟରେ ଯାଉ ଯାଉ ଗୋଟିଏ କୂଅ ମଧ୍ୟରେ ଗଳି ପଡିଲେ । ସେ ସେଇ କୂଅରୁ ଉଦ୍ଧାର ପାଇ ପାରିଲେ ନାହିଁ । ଗୁରୁ ଧୌମ୍ୟ ତାଙ୍କର ଦିବ୍ୟ ଜ୍ଞାନ ଦ୍ୱାରା ସବୁ ଜାଣି ପାରି ଶିଷ୍ୟ ଉପମନ୍ୟୁଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କର ଗୁରୁଭକ୍ତିର ପ୍ରଶଂସା କଲେ । ସେଥିପାଇଁ ଆରୁଣି ଓ ଉପମନ୍ୟୁଙ୍କୁ ତାଙ୍କର ପ୍ରଗାଢ ଗୁରୁଭକ୍ତି ପାଇଁ ଆଜି ମଧ୍ୟ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି ।

ଏଥିରୁ ଶିକ୍ଷା ମିଳେ ଅତି ଭକ୍ତି ଦେଖେଇ ବୁଦ୍ଧିମତାସହ କାମ ନକଲେ ନିଜର କେବଳ କ୍ଷତି ହିଁ ହୁଏ । ଗୁରୁ ଭକ୍ତି ଜୀବନଠାରୁ ବଡ ନୁହେଁ । ଜୀବନ ନିଜର କିମ୍ବା ଯେକୌଣସି ପ୍ରାଣୀର ହେଉନା କାହିଁକି ନିର୍ମଳ ଓ ନିଷ୍କଳଙ୍କ ପ୍ରାଣକୁ ପୀଡାଦାଵା ଗୋଟେ ଅନୈତିକ କାର୍ଯ୍ୟ ବା ଅପରାଧ । ଯଦି ଜୀବନ ତ୍ୟାଗ କୌଣସି କଲ୍ୟାଣ ତଥା ଜନମଙ୍ଗଳ କାରି ଉଦ୍ଧେଶ୍ୟରେ ହୁଏ ତେବେ ତାହା ବିଚାର ଯୋଗ୍ୟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ