ଗୁରୁ ଧୈମ୍ୟ ମୁନିଙ୍କ ଆଶ୍ରମର ଜଣେ ଶିଷ୍ୟ ଥିଲେ ଉପମନ୍ୟୁ । ସେ ଥିଲେ ଗୁରୁ ଆଶ୍ରମର ଗାଈମାନଙ୍କୁ ପାଳନ କରିବାର ଦାୟିତ୍ୱରେ । ଦିନ ତମାମ୍ ସେ ସେହି ଗାଈମାନଙ୍କ ସେବାରେ ବ୍ୟସ୍ତ ରହୁଥିଲେ । ଦିନରେ ଏହି କାର୍ଯ୍ୟ କରିସାରି ରାତିରେ ସେ ଭିକ୍ଷା ମାଗିବା ପାଇଁ ଯାଉଥିଲେ । ଗୁରୁଦେବ ଥରେ ଉପମନ୍ୟୁଙ୍କର ଐକାନ୍ତିକ ଗୁରୁଭକ୍ତିକୁ ପରୀକ୍ଷା କରିବା ଲାଗି ଚିନ୍ତା କଲେ । ତେଣୁ ଦିନେ ସେ ମୁନି ଉପମନ୍ୟୁଙ୍କୁ ପାଖକୁ ଡାକି କହିଲେ, ‘ଦେଖ ବତ୍ସ ! ଗୁରୁ ଆଶ୍ରମରେ ରହିବା ଅର୍ଥ ତୁମେ ଗୁରୁଙ୍କର ଜଣେ ବ୍ୟକ୍ତି । ତେଣୁ ତୁମେ ଯେତେବେଳେ ଯେଉଁଠୁ ଯାହା ସଂଗ୍ରହ କରିବ, ତାହା ଗୁରୁଙ୍କର ବୋଲି ମନେକରିବ । ତା’ ନହେଲେ ତୁମକୁ ଗୁରୁ ଅବଜ୍ଞା ଦୋଷ ଲାଗିବ । ଏ କଥାରେ ଉପମନ୍ୟୁ ଅଧିକ ଚିନ୍ତିତ ହୋଇ ପଡିଲେ । ତା’ପରେ ସେ ଗୁରୁଙ୍କୁ ଅବମାନନା ନ କରିବା ଲାଗି ରାତିରେ ପ୍ରଥମଥର ଭିକ୍ଷା ମାଗି ଆଣି ଗୁରୁଙ୍କୁ ସମର୍ପଣ କରି ଦ୍ୱିତୀୟବାର ଭିକ୍ଷାରେ ନିଜେ ଚଳିଲେ । ଏ ବିଷୟ ଜାଣିବା ପରେ ଗୁରୁଦେବ ତାଙ୍କ ଉପରେ ଆହୁରି ବିରକ୍ତ ହୋଇ କହିଲେ, ‘ତୁମେ ଘୋର ଅନ୍ୟାୟ କରୁଛ । ଦ୍ୱିତୀୟବାର ଭିକ୍ଷା ମାଗି ଆଣି ଗୁରୁଙ୍କୁ ଠକାଇ ଦେବାର ପ୍ରୟାସ କରୁଛ ।’ ସେଥିରେ ଉପମନ୍ୟୁ ଗୁରୁଙ୍କୁ କ୍ଷମା ପ୍ରାର୍ଥନା କରି ଭିକ୍ଷା ମାଗିବା କାର୍ଯ୍ୟ ବନ୍ଦ କରିଦେଲେ ।
ଏହା ପରେ ସେ ଚିନ୍ତା କଲେ, କଅଣ ଖାଇ ବଂଚିବେ? ଶେଷରେ ଚିନ୍ତା କଲେ ଯେ, ଯେଉଁ ଗାଈମାନଙ୍କର ସେ ଯତ୍ନ ନେଉଛନ୍ତି, ସେମାନଙ୍କ ପାଖରୁ କ୍ଷୀର ପିଇ ସେ ବଂଚିବେ । କାର୍ଯ୍ୟତଃ ତାହାହିଁ ସେ କରିବାକୁ ଲାଗିଲେ । ଏମିତି କିଛି ଦିନ ଅତିବାହିତ ହେବାପରେ ଯେତେବେଳେ ଗୁରୁଦେବ ଏକଥା ଜାଣିଲେ, ସେତେବେଳେ ସେ ଉପମନ୍ୟୁଙ୍କୁ ଡାକି କହିଲେ, ‘ତୁମେ ଗୋଟିଏ ଗାଈ ପିଲାର ଆହାର ଛଡାଇ ଆଣି ଅଧର୍ମ କରୁନାହଁ ତ?’ ଏହା ଶୁଣିବା ପରେ ଉପମନ୍ୟୁ ଗାଈ ପାଖରୁ କ୍ଷୀର ଖାଇବା ବନ୍ଦ କରି ଦେଲେ । ପୁଣି ସେ ଚିନ୍ତା କରୁ କରୁ ବାଛୁରୀମାନଙ୍କ ମୁହଁରେ ଲାଗିଥିବା କ୍ଷୀରଯୁକ୍ତ ଫେଣକୁ ଖାଇ ଜୀବନଧାରଣ କରିବାକୁ ଲାଗିଲେ । ଗୁରୁଦେବ ଏକଥା ମଧ୍ୟ ଜାଣିଲେ । ତା’ପରେ ଗୁରୁଦେବ ପୁଣି କହିଲେ, ‘ଉପମନ୍ୟୁ, ତୁମେ ଆଦୌ ଭଲ କରୁନାହଁ । କାରଣ ଗାଈଠାରୁ ତା ପିଲା ପିଉଥିବା କ୍ଷୀରର ଫେଣତକ ବାଛୁରୀ ମୁହଁରୁ ଛଡାଇ ଆଣି ଖାଇବା ଦ୍ୱାରା ତା’ ଖାଦ୍ୟରୁ ତୁମେ ଭାଗବସାଉଛ । ଏହାଦ୍ୱାରା ତୁମକୁ ବାଳୁତ ଅପରାଧ ହିଁ ଲାଗିବ । ଯାହାଦ୍ୱାରା ତୁମ ପାଇଁ ବଡ ଅପରାଧ ହୋଇ ଦେଖାଦେବ । ଗୁରୁଦେବଙ୍କ ପାଖରୁ ଏ କଥା ଶୁଣିବା ପରେ ସେ ତାହା ବି ତ୍ୟାଗ କଲେ ।