ଏମିତି ଅନେକ ଗୁରୁକୁଳ ଆଶ୍ରମ ମଧ୍ୟରେ ଗୁରୁ ରାମାନନ୍ଦଙ୍କର ଗୋଟିଏ ଆଶ୍ରମ ଥିଲା । ସେ ଆଶ୍ରମର ଚତୁଃପାଶ୍ୱର୍ରେ ଅନୁପମ ପରିବେଶ । ବିଶାଳ ବୃକ୍ଷ ସବୁ ସୁସ୍ୱାଦୁ ଫଳରେ ପରିପୂର୍ଣ୍ଣ । ବଗିଚାଟି ରଙ୍ଗ ବେରଙ୍ଗର ସୁଗନ୍ଧିତ ପୁଷ୍ପରାଜିରେ ପରିଶୋଭିତ । ପୁନଃଶ୍ଚ ତାଙ୍କ ଆଶ୍ରମ ନିକଟରେ ଏକ ସୁବିସ୍ତୀର୍ଣ୍ଣ ସ୍ୱଚ୍ଛ ନୀରଯୁକ୍ତ ପୁଷ୍କରିଣୀ । ଏସବୁ ସତ୍ତ୍ୱେ ଗୁରୁ ରାମାନନ୍ଦଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ଥିଲା । ସେ ଥିଲେ ମୃଦୁଭାଷୀ, ଶାନ୍ତ, ସରଳ ଏବଂ ବିଦ୍ୱାନ । ସେଥି ସକାଶେ ତାଙ୍କର ସୁଖ୍ୟାତି ସୁଗନ୍ଧିତ ପୁଷ୍ପ ସମ ଚାରିଆଡକୁ ବ୍ୟାପୀ ଯାଇଥିଲା । ତେଣୁ ସେ ଆଶ୍ରମକୁ ପାଠ ପଢିବା ପାଇଁ ସବୁ ଶ୍ରେଣୀର ଛାତ୍ରମାନେ ଆସି ପହଁଚୁ ଥିଲେ । ସେଥିରେ ଧନୀ, ଦରିଦ୍ର, ଜାତି ଅଜାତିର କୌଣସି ବାଛ ବିଚାର ନ ଥିଲା । ମାତ୍ର ଗୁରୁଦେବ ଛାତ୍ର ଗ୍ରହଣ କରିବା ପୂର୍ବରୁ ଅନୁରାଗୀ ପିତାମାତାଙ୍କୁ ଦେଖୁଥିଲେ । ପିତାମାତା ବିନୟୀ, ସହଜସରଳ ତଥା ଆଧ୍ୟାତ୍ମିକ ଅନୁରାଗୀ ହୋଇ ନଥିଲେ, ତାଙ୍କ ସନ୍ତାନମାନଙ୍କୁ ଶିକ୍ଷା ଦେବା ପାଇଁ ଗୁରୁଦେବ କଦାପି ରାଜି ହେଉ ନଥିଲେ ।
ଗୁରୁରାମାନନ୍ଦ ତାଙ୍କ ଆଶ୍ରମର ସବୁଛାତ୍ରଙ୍କୁ ସମାନ ଦୃଷ୍ଟିରେ ଦେଖି ଆସୁଥିଲେ । ଏମିତି ଛାତ୍ରମାନଙ୍କ ମଧ୍ୟରେ ଜଣେ ଅତ୍ୟନ୍ତ ବିନୟୀ ଛାତ୍ର ଥିଲେ । ଗୁରୁଦେବଙ୍କ କାର୍ଯ୍ୟରେ ଆକର୍ଷିତ ହୋଇ ସେହି ଛାତ୍ର ଦିନେ ଗୁରୁଦେବଙ୍କ ପାଖକୁ ଯାଇ କହିଲା, ‘ଗୁରୁଦେବ ! ମୋତେ ଦୟାକରି ଜଣେ ଉତ୍ତମ ନାଗରିକ କରିଦିଅନ୍ତୁ । ମୁଁ ଯଦି ଆପଣଙ୍କ ପରି ଜଣେ ବଡ ମଣିଷ ହୋଇପାରେ, ତେବେ ମୋର ଜୀବନ ଧନ୍ୟ ହୋଇଯିବ । ଏଣୁ ଆପଣ ମୋ ପ୍ରତି ଟିକିଏ ଦୟା କରନ୍ତୁ । ଏକଥା ଶୁଣି ଗୁରୁଦେବ କହିଲେ, ‘ବତ୍ସ ! ମୁଁ ବର୍ତ୍ତମାନ ବହୁ ବ୍ୟସ୍ତରେ ଅଛି । ତୁମେ ସଂନ୍ଧ୍ୟା ସମୟରେ ଏଠାକୁ ଆସ, ତୁମ ବିଷୟରେ କଅଣ ସବୁ କରାଯାଇ ପାରିବ, ତାହା ଆମେ ବିଚାର କରିବା ।