ସଂନ୍ଧ୍ୟା ହେବାରୁ ଗୁରୁ ରାମାନନ୍ଦ ଆପଣାର ଅତିପ୍ରିୟ ଶିଷ୍ୟକୁ ପାଖକୁ ଡକାଇ ନେଲେ । ଏକାନ୍ତରେ କଥାବାର୍ତ୍ତା କରିବା ପାଇଁ ଗୁରୁଦେବ କ୍ରମେ ବଗିଚାର ଗୋଟିଏ ନିଭୃତ ସ୍ଥାନ ଆଡକୁ ଆଗେଇ ଚାଲିଲେ । ବସନ୍ତ ଋତୁର ମୃଦୁମନ୍ଦ ମଳୟର ହିଲ୍ଲୋଳରେ ଗଛର ପତ୍ରଗୁଡିକ ଆନ୍ଦୋଳିତ ହୋଇ ଚାଲିଥାଏ । ସଂନ୍ଧ୍ୟାର ଆକାଶରେ ମିଟିମିଟି କରି ଏମାନଙ୍କୁ ଅନେଇ ଥାଆନ୍ତି ତାରା ଗୁଡିକ । ଆକାଶରେ ପୂର୍ଣ୍ଣାଙ୍ଗ ଚନ୍ଦ୍ରମାର ମୁଖ ମଣ୍ଡଳଟି ଆଗନ୍ତୁକ ପୂର୍ଣ୍ଣିମା ତିଥିର ସୂଚନା ଦେଉଥିଲା । ସଂନ୍ଧ୍ୟାର ତୋଫା ଜହ୍ନ ସାଙ୍ଗକୁ ସୁଲୁସୁଲିଆ ପବନ ବେଶ୍ ଆନନ୍ଦ ଆଣି ଦେଉଥିଲା । ଏମିତି ଏକ ସୁନ୍ଦର ପରିବେଶ ଭିତରେ ଗୁରୁଦେବ ଯାଇ ପହଁଚିଲେ ଗୋଟାଏ ଛୋଟ ବୃକ୍ଷ ନିକଟରେ । ଏହି ବୃକ୍ଷଟିରେ ସୁଗନ୍ଧିତ ଫୁଲ ଫୁଟି ତା’ର ସୁଗନ୍ଧ ଚତୁର୍ଦିଗକୁ ବିତରଣ କରୁଥିଲା । ଗୁରୁଦେବ ସେହି ବୃକ୍ଷଟିକୁ ଭଲ ଭାବରେ ଦେଖିବା ପାଇଁ ଆଙ୍ଗୁଳି ନିର୍ଦେଶ କଲେ । ପୁଣି ତା’ର ଅନତି ଦୂରରେ ଥିବା ଗୋଟିଏ ବିଶାଳ ଆମ୍ବ ଗଛକୁ ମଧ୍ୟ ଲକ୍ଷ୍ୟ କରିବାକୁ କହିଲେ । ପୁନର୍ବାର ସେ ଦୁଇଟି ବୃକ୍ଷକୁ ଲକ୍ଷ୍ୟ କରିବାକୁ କହିଲେ । ଏହାପରେ ସେ ଉଭୟ ବୃକ୍ଷ ସମ୍ବନ୍ଧରେ ବିଶ୍ଲେଷଣ କରିବାକୁ ଯାଇ କହିଲେ, ‘ଗୋଟିଏ ସୁଗନ୍ଧିତ ଅଥଚ ଛୋଟ ବୃକ୍ଷ ଏବଂ ଅନ୍ୟଟି ବୃହତ୍କାୟ ମାତ୍ର ସୁଗନ୍ଧିତ ଫୁଲ ପରିବର୍ତ୍ତେ ରସାଳ ଫଳପୂର୍ଣ୍ଣ ବୃକ୍ଷ । ମୁଁ ତ ବର୍ଷତମାମ ଏଇ ଆଶ୍ରମରେ ହିଁ ରହିଥାଏ । ବଗିଚାରେ ଥିବା ସମସ୍ତ ବୃକ୍ଷର ଯତ୍ନ ନିଏ । ସେଥିରେ ପାଣି ଦିଏ, ଖତ ପିଡିଆ ଦିଏ । ଏହାଦ୍ୱାରା ସେ ଯତ୍ନ ପାଇ ବଡ ହୋଇଛି । ଫୁଲଫଳ ଉଭୟ କ୍ଷେତ୍ରରେ ସେମାନେ ଆଜି ପାରଙ୍ଗମ ହୋଇ ଯାଇଛନ୍ତି । ମୁଁ ସମସ୍ତଙ୍କୁ ପ୍ରାଣଭରି ଭଲ ପାଏ । ଏ କଥା ତୁମେ ବି ଭଲଭାବେ ଜାଣିଛ । କିନ୍ତୁ; କୌଣସି ବୃକ୍ଷ ଛୋଟ କିମ୍ବା ବଡ ବୃକ୍ଷ ହେବା ପାଇଁ ମୋ ପାଖରେ କେବେବି ଅଳି କରି ନାହାଁନ୍ତି କିମ୍ବା ଅନ୍ୟ ସହ ତୁଳନା ମଧ୍ୟ କରି ନାହାଁନ୍ତି । ଅତଏବ ଏବେ ତୁମ ପ୍ରଶ୍ନର ଉତ୍ତର ତୁମରି ପାଖରେ । ଅର୍ଥାତ୍ ପ୍ରଥମେ ତୁମେ ନିଜକୁ ଚିହ୍ନିବାକୁ ଚେଷ୍ଟା କର ଏବଂ କୌଣସି ଅବାନ୍ତର ଇଚ୍ଛାରୁ ବିରତ ହୁଅ ।
ଏହି କଥା ପଦକରୁ ସେ ଛାତ୍ର ଜଣକ ସବୁକଥା ଠିକ୍ ଠିକ୍ ବୁଝିପାରିଲେ । ତା’ପରେ ସେ କହିଲେ, ‘ଗୁରୁଦେବ ! ଏବେ ମୁଁ ସବୁକଥା ଜାଣି ପାରୁଛି । ଏବେ ମୁଁ ନିଜକୁ ନିଜଭଳି ଦେଖିବାକୁ ଚେଷ୍ଟା କରିବି । ଏହା ଶୁଣି ଗୁରୁଦେବ କହିଲେ, ‘ ପ୍ରତ୍ୟେକ ବ୍ୟକ୍ତି କେବଳ ନିଜସ୍ୱ ଗୁଣରେ ହିଁ ମହୀୟାନ ହୋଇଥାଆନ୍ତି । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତିର ଏକ ସ୍ୱତନ୍ତ୍ରତା ରହିଛି । ଆଉ ଏହି ସ୍ୱାତନ୍ତ୍ର୍ୟ ହିଁ ବ୍ୟକ୍ତିର ବୈଶିଷ୍ଟ୍ୟ । ଅତଏବ ଅନ୍ୟକୁ ଅନୁକରଣ ନ କରି ନିଜକୁ ଶ୍ରେଷ୍ଠତର କରିପାରିଲେ ତହିଁରେ ଜୀବନର ସାର୍ଥକତା ମିଳିଥାଏ । ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ନିଜକୁ ଉଚ୍ଚ ଆକାଂକ୍ଷା ପୋଷଣରୁ ବିରତ କରିବା । ତେଣୁ ନିଜେ ନିଜସ୍ୱ ପଥରେ ଗତିକରି ଉନ୍ନତିର ପଥ ଦେଖିବା ହିଁ ଉତ୍କର୍ଷର ପ୍ରତୀକ ।