ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୋପନୀୟ କଥା ଗୋପନୀୟ ରହିବା ଉଚିତ୍

                ଯେତେବେଳେ ରାଜକୁମାରଙ୍କ ଲାଗି ସମସ୍ତ ଚିକିତ୍ସା ଓ ଉପଚାର ସଂପୂର୍ଣ୍ଣ ଭାବରେ ବ୍ୟର୍ଥ ହୋଇଗଲା, ସେତେବେଳେ ରାଜକୁମାର ନିଜର ଶରୀରକୁ ଖୁବ୍ ହୀନ ମନେକଲେ । ଭାବିଲେ ଏପରି ବଞ୍ଚି ରହିବା ଉଚିତ୍ ହେବ ନାହିଁ । ତା’ପରେ ଭାବିଲେ ଯେ ନିଜର ମୃତ୍ୟୁ ହେବା ଆଗରୁ ଏହି ବିଶ୍ୱ ଭ୍ରମଣରେ ଚାଲିଯିବେ । ରାଜକୁମାର ନିଜର ବିଚାର କଥା କାହାକୁ ଜଣାଇଲେ ନାହିଁ । ଦିନେ ସମସ୍ତଙ୍କର ଅଜଣାତରେ ରାଜସୁଖକୁ ତୁଚ୍ଛ ମନେକରି ନିଜର ରାଜ୍ୟକୁ ପରିତ୍ୟାଗ କଲେ । ରାଜକୁମାର ଙ୍କୁ ନପାଇ ରାଜା ଚତୁର୍ଦ୍ଧିଗକୁ ନିଜର ସୈନ୍ୟ ସାମନ୍ତ ପଠାଇ ଯେତେ ଖୋଜିଲେ ମଧ୍ୟ ରାଜକୁମାରଙ୍କର ସଂଧାନ ମିଳିଲା ନାହିଁ । ଶେଷରେ ରାଜା ରାଣୀ ବହୁ ଦୁଃଖ ସହ୍ୟ କରିବା ସହିତ ପୁତ୍ର ନିମନ୍ତେ ବହୁ ବିଳାପକରି ଚୁପ୍ ହୋଇଗଲେ ।

                ରାଜାରାଣୀ ଶେଷରେ ଏହା ତାଙ୍କର ଭାଗ୍ୟର ଦୋଷ ମନେକରି ରହିଗଲେ । ରାଜକୁମାର ଏଭଳି ଭ୍ରମଣ କରୁ କରୁ ନିଜ ରାଜ୍ୟଠାରୁ ବହୁତ ଦୂରକୁ ଚାଲିଗଲେ, ସେ ଯେଉଁ ରାଜ୍ୟରେ ଯାଇ ଶେଷ ଆଶ୍ରୟ ଗ୍ରହଣ କଲେ ସେ ରାଜ୍ୟର ରାଜା ଥିଲେ ବଳି ।

                ବଳି ମଧ୍ୟ ଖୁବ୍ ପ୍ରତାପି ରାଜା ଥିଲେ । ତାଙ୍କ ସମୟରେ ପ୍ରଜାମାନେ ମଧ୍ୟ ଖୁବ୍ ସୁଖ ଶାନ୍ତିରେ ସମୟ ଅତିବାହିତ କରୁଥିଲେ । ରାଜାଙ୍କର ଦୁଇ ଗୋଟି ବୁଦ୍ଧିମତୀ କନ୍ୟା ଥିଲେ । ପ୍ରତିଦିନ ସୂର୍ଯେ୍ୟାଦୟ ହେବା ଆଗରୁ କନ୍ୟା ଦୁହେଁ ଶଯ୍ୟା ତ୍ୟାଗକରି ନିଜର ସ୍ନାନାଦି କାର୍ଯ୍ୟ ଶେଷ କରନ୍ତି । ଏହାପରେ ସେମାନେ ପିତାଙ୍କ ନିକଟକୁ ଆସି ପ୍ରଣାମ କରି ବିଦାୟ ନେବା କାଳରେ ଗୋଟିଏ କନ୍ୟା କହେ ରାଜାଙ୍କର ବିଜୟ ହେଉ, ଏହା ପରେ ଅନ୍ୟା କନ୍ୟାଟି ପିତାଙ୍କୁ ପ୍ରଣାମକରି ସାରିବା ପରେ କହେ ରାଜା ନିଜର କର୍ମ ଫଳ ନିଜେ ହିଁ ଭୋଗ କରନ୍ତୁ ।

                ତେବେ ପ୍ରଥମ କନ୍ୟାର କଥାରେ ରାଜା ଯେତିକି ପରିମାଣରେ ଆନନ୍ଦ ହେଉଥିଲେ ତା’ର ଅନେକ ଗୁଣରେ ଦ୍ୱିତୀୟ କନ୍ୟାର କଥାଶୁଣି କ୍ରୋଧିତ ହେଉଥିଲେ । ଏସବୁ କଥା ପ୍ରତିଦିନ ରାଜାଙ୍କୁ ଖୁବ୍ କଷ୍ଟ ଦେଉଥିଲା । ଦିନେ ରାଜାଙ୍କର କ୍ରୋଧ ବଢ଼ିଯାଇଥିଲା । ସେ କ୍ରୋଧିତ ହୋଇ ସୈନ୍ୟମାନଙ୍କୁ ଆଦେଶ ଦେଲେ ଯେ ଯେତେଶିଘ୍ର ହେବ ମୋର ଦ୍ୱିତୀୟ କନ୍ୟାକୁ ରାଜନଅରରୁ ବାହାର କରି ଦିଅ ଓ ତାହାକୁ କୌଣସି ଏକ ଅପରିଚିତ ବିଦେଶୀ ହସ୍ତରେ ଅର୍ପଣ କରି ତୁରନ୍ତ ଆସି ମୋତେ ସେହି ସମ୍ବାଦ ଶୁଣାଅ ।


ଗପ ସାରଣୀ

ତାଲିକାଭୁକ୍ତ ଗପ