ରାଜାଙ୍କର ନିର୍ଦ୍ଧେଶକୁ ବା କିଏ ପାଳନ ନ କରିବ । ପୁଣି ପାଳନ ନକଲେ ଯେ ମୁଣ୍ଡ କାଟହେବ । ତେଣୁ ସୈନ୍ୟମାନେ ବିନା କଥାରେ ରାଜକନ୍ୟାକୁ ରାଜନଗରରୁ ବାହାର କରିଦେଇ ସେହି ରୋଗୀଣା ରାଜକୁମାରଙ୍କୁ ବିଦେଶୀ ଭାବି ପ୍ରଦାନ କରି ରାଜ ଉଆସକୁ ଫେରି ଆସିଲେ । ଯେଉଁ କଥା ସୈନ୍ୟଙ୍କ ନିମନ୍ତେ ଥିଲା ଦୁଃଖପ୍ରଦ ଆଉ ରାଜାଙ୍କ ଲାଗି ଥିଲା ସୁଖପ୍ରଦ । ରାଜକନ୍ୟାଙ୍କୁ ଛାଡ଼ି ଆସିବାପରେ ରାଜାଙ୍କୁ ସମ୍ବାଦ ଜଣାଇ ଦେଲେ ।
ରାଜକୁମାରୀ ପିତାଙ୍କର ଏପରି କଠୋର ନିର୍ଦ୍ଧେଶକୁ ନିଜର ଭାଗ୍ୟଫଳ ଭାବି ଖୁବ୍ ଆନନ୍ଦରେ ଗ୍ରହଣ କରିନେଲେ ଏବଂ ସେହି ରୋଗୀଣା ରାଜକୁମାରଙ୍କୁ ବିନା ଦ୍ୱିଧାରେ ନିଜର ସ୍ୱାମୀ ଭାବରେ ଗ୍ରହଣ କଲେ ।
ଏହାପରେ ଦୁହେଁ କିପରି ଏ ସଂସାରରେ ବଞ୍ଚିରହିବେ ସେପରି ମାର୍ଗ ସ୍ଥିର କରିବାକୁ ଲାଗିଲେ । ରାଜକୁମାରଙ୍କର ସ୍ୱାସ୍ଥ୍ୟହାନି କାରଣରୁ ସେତେବେଳେ ସେ ଅକର୍ମଣ୍ୟ ହୋଇଯାଇଥିଲେ। ଏଣୁ ରାଜକୁମାରୀ ସେହି ରାଜ୍ୟର ଶେଷ ଭାଗରେ ସ୍ୱାମୀ ରାଜକୁମାରଙ୍କୁ ଛାଡ଼ି ନିଜେ କିଛି ଆବଶ୍ୟକ ଦ୍ରବ୍ୟ କିଣିବା ନିମନ୍ତେ ନଗର ମଧ୍ୟକୁ ଗଲେ । ନଗର ମଧ୍ୟରୁ କିଛି ଆବଶ୍ୟକ ଦ୍ରବ୍ୟ କିଣିସାରି ରାଜକୁମାରୀ ଯେତେବେଳେ ନିଜର ସ୍ୱାମୀଙ୍କ ନିକଟକୁ ଫେରି ଆସିଲେ ସେଠାରେ ସେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ । ସେ ଦେଖିଲେ ରାଜକୁମାରଙ୍କର ବିଶ୍ରାମର ସ୍ଥଳଥିଲା ଏକ ବାଲିଯୁକ୍ତ ମାଟିର ହୁଙ୍କା । ସେ ଅଜାଣତରେ ବାଲି ହୁଙ୍କା ନିକଟରେ ରାଜକୁମାରଙ୍କୁ ବିଶ୍ରାମ ନିମନ୍ତେ ଛାଡ଼ି ନଗର ମଧ୍ୟକୁ ଚାଲିଯାଇଥିଲେ । ସେଠାରେ ଆସି ଦେଖିଲେ ଏକ ବିଚିତ୍ର ଦୃଶ୍ୟ, ରାଜକୁମାର ନିଦ୍ରାରେ ଶୋଇଯାଇଛନ୍ତି । ତାଙ୍କ ମୁଖପଥ ଦେଇ ନାଗସାପଟିଏ ଫଣା ବାହାରକରି ହୁଙ୍କାରେ ଥିବା ଅନ୍ୟ ଏକ ସର୍ପ ଦୁହିଁଙ୍କ ମଧ୍ୟରେ ଏକ ବିବାଦୀୟ ଆଲୋଚନା ଚାଲିଛି ।
ସେମାନଙ୍କ ମଧ୍ୟରୁ ଜଣେ କହିଲା – ଦୁରାତ୍ମା, ଏପରି ଜଣେ ସରଳ ନିଷ୍କପଟ ସୁନ୍ଦର ରାଜକୁମାରଙ୍କୁ ତୁ କାହିଁକି ଏପରି ଦୁଃଖ ଦେଉଛୁ । ତୋଲାଗି ରଜାକୁମାର କିପରି ଦୁଃଖ ଭୋଗ କରୁଛି ତାହା ତୋ ନିଜ ଆଖିରେ ଦେଖିଛୁତ । ସତରେ ତୁ କେଡ଼େ ନିର୍ଦୟ ଆଉ ପାଷାଣ, ରାଜକୁମାର ପ୍ରତି ତୋର ଟିକେ ଦୟା ଆସୁନାହିଁ । ତୁ ଯଦି ରାଜକୁମାରଙ୍କର ଉଦରକୁ ପରିତ୍ୟାଗ କରି ଚାଲି ଯାଆନ୍ତୁ ରାଜକୁମାର ସମସ୍ତ ଦୁଃଖରୁ ମୁକ୍ତି ପାଇଯାଆନ୍ତେ, ରାଜକୁମାରୀ ଯେବେ ଏକଥା ଜାଣିପାରନ୍ତେ ଯେ – ଯଦି କେହି ପୁରୁଣା କାଞ୍ଜିରେ ସୋରିଷବାଟି ରାଜକୁମାରଙ୍କୁ ପିଆଇ ଦେବ ଏଥିରେ ତୋର ମୃତ୍ୟୁ ହୁଅନ୍ତା, ରାଜକୁମାର ବି ବଞ୍ଚିଯାଆନ୍ତେ ଆଉ ସୁନ୍ଦର ସ୍ୱାସ୍ଥ୍ୟ ନେଇ ବଞ୍ଚି ରହନ୍ତେ।