ସଭାସଦ୍ କହିଲେ ତାହାହିଁ ହେଉ ।
ରାଜା ପୁଣି କହିଲେ – ଆମ ବେଂଟ ପୋଖରୀ ପାଣିରେ ଯେଉଁ ଲୋକ ବେକ ପର୍ଯ୍ୟନ୍ତ ବୁଡି ରହିବ ମୁଁ ତାକୁ ସକାଳେ ଶହେ ଟଙ୍କା ପୁରସ୍କାର ଦେବି ।
ରାଜାଙ୍କର ଘୋଷଣା ଶୁଣି ଜଣେ ଗରିବ ନାଗର ଛିଡା ହୋଇ କହିଲେ – ମଣିମା ମୁଁ ରାତି ସାରା ପାଣିରେ ଛିଡା ହୋଇ ରହି ପାରିବି ।
ରାଜା – ନାଗର । ଅତି ଲୋଭରୁ ମୃତ୍ୟୁ ହୁଏ । ତୁମେ କ’ଣ ଏହା ଜାଣିନା । ତୁମେ ଧନ ଲୋଭରେ ମୃତ୍ୟୁ ବରଣ କଲେ ମୋତେ ପାପ ଲାଗିବ ।
ଗରିବ ନାଗର କିନ୍ତୁ ରାଜାଙ୍କ ମନା ମାନିଲେ ନାହିଁ । ଟଙ୍କା ଲୋଭରେ ସଂନ୍ଧ୍ୟାରୁ ସକାଳ ଯାଏଁ ପାଣିରେ ପଶି ରହିବାକୁ ପ୍ରସ୍ତୁତ ହେଲେ ।
ରାଜା ଚାରି ଜଣ ପାଇକଙ୍କୁ ନିର୍ଦେଶ ଦେଲେ । ପୋଖରୀ ହିଡରେ ବସି ଗରିବ ନାଗରଙ୍କୁ ଜଗିବା ପାଇଁ । ନାଗର ବେକେ ପାଣିରେ ପଶି ରାତି ସାରା ରହିଲେ । ରାଜାଙ୍କ ଉଆସରେ ଉଜ୍ଜଳ ଆଲୁଅଟିଏ ଜଳୁ ଥାଏ । ଗରିବ ନାଗର ଆଲୁଅକୁ ଚାହିଁ ଈଶ୍ୱରଙ୍କୁ ଡାକୁ ଥାନ୍ତି । ଦେହ ବରଡା ପତ୍ର ଭଳି ଥରୁ ଥାଏ । ମାତ୍ର ଟଙ୍କା କଥା ଭାବିଲେ ମନ ଓ ଦେହ ଗରମ ହୋଇ ଯାଉ ଥାଏ । ଏମିତି ଦୁଃଖ କଷ୍ଟରେ ରାତିଟି ପାହି ଗଲା ।
ରାତି ପାହି ସକାଳ ହେଲା । ମନରେ ବହୁ ଆଶା ବାନ୍ଧି ବିଚରା ଗରିବ ନାଗର ରାଜ ଦରବାରରେ ପହଁଚିଲେ । ପୁରସ୍କାର ପାଇବାର ଆଶା । ରାଜା କିଛି କହିବା ପୂର୍ବରୁ ଜଣେ ମନ୍ତ୍ରୀ କହିଲେ – କ’ଣ ପାଇଁ ଆସିଛ?
– ଆଜ୍ଞା । ରାଜାଙ୍କ ବରାଦ ଅନୁସାରେ ରାତି ସାରା ପୋଖରୀ ଭିତରେ ଥିଲି, ଏବେ ମୋତେ ମୋ ପୁରସ୍କାର ମିଳୁ ।
– ତୁମେ ରାତି ସାରା ପାଣିରେ ଛିଡା ହୋଇ ଥିଲ ବୋଲି କିଛି ପ୍ରମାଣ ଅଛି?
– ହଁ ଆଜ୍ଞା ପ୍ରହରୀ ମାନେ ମୋତେ ରାତି ସାରା ଜଗି ଛନ୍ତି, ସେମାନଙ୍କୁ ପଚାରନ୍ତୁ । ଆଉ ମଧ୍ୟ ପ୍ରାସାଦରେ ଯେଉଁ ଉଜ୍ଜ୍ୱଳ ଆଲୋକ ଜଳୁ ଥିଲା ତାହାକୁ ମୁଁ ରାତି ସାରା ଚାହିଁ ରହିଛି । ଏ କଥା ମଧ୍ୟ ସେମାନଙ୍କୁ ପଚାରନ୍ତୁ ।
ଏବେ ମନ୍ତ୍ରୀଙ୍କୁ ସୁବିଧା ମିଳି ଗଲା । ସେ ହୋ ହୋ ହୋଇ ହସି ଉଠିଲେ । କହିଲେ – ତୁମେ ଆଲୋକ ପ୍ରତି ଦୃଷ୍ଟି ରଖି ଥିବାରୁ ଶୀତ କଷ୍ଟ ଅନୁଭବ କରି ପାରିଲ ନାହିଁ । ତୁମର ଦୃଷ୍ଟି ଶକ୍ତି ଆଲୋକ ଶକ୍ତିକୁ ଆକର୍ଷଣ କରି ଥିବାରୁ ଦେହ ତୁମର ଗରମ ହୋଇ ଗଲା । ତୁମେ ତ ଠିକ୍ ରୂପେ ପଣ ରଖି ପାରିଲ ନାହିଁ । କି ପୁରସ୍କାର ପାଇବ?
ରାଜା ମଧ୍ୟ ତହୁଁ ବଳି । ମନ୍ତ୍ରୀଙ୍କ କଥାରେ ରାଜା ସମ୍ମତି ପ୍ରକାଶ କଲେ ।
ରାଜା ଗୋଜା । ବିଚରା ଗରିବ ନାଗରର କ’ଣ ଚାରା ଅଛି । ଦୁଃଖରେ କାନ୍ଦି କାନ୍ଦି ଘରକୁ ଫେରିଲେ । ଯିବା ବାଟରେ ଗୋପାଳ ସହିତ ଭେଟ ହୋଇ ଗଲା । ଗରିବ ନାଗର ଆଉ କାନ୍ଦ ସମ୍ଭାଳି ନପାରି ସବୁ କଥା ଗୋପାଳକୁ କହି ଦେଲେ ।
ଗୋପାଳ କହିଲେ ମୋତେ ଆପଣ କେବଳ ଆଶୀର୍ବାଦ କରନ୍ତୁ, ଆଉ ଘରକୁ ଫେରି ଯାଆନ୍ତୁ । ମୁଁ ରାଜାଙ୍କ ଠାରୁ ନିଶ୍ଚୟ ଟଙ୍କା ଆଦାୟ କରି ଦେବି ।
ଏକଥା ଶୁଣି ବିଚରା ଗରିବ ନାଗର ଗୋପାଳକୁ ଆଶୀର୍ବାଦ ଦେଇ ଘରକୁ ଫେରି ଗଲେ ।