ଦିନେ ଦୁଇ ଦିନ ପରେ ନବାବଙ୍କ ମନ୍ତ୍ରୀ ଆସି ରାଜାଙ୍କ ଦରବାରରେ ଉପସ୍ଥିତ ହେଲେ । ନବାବଙ୍କୁ ରାଜା କୃଷ୍ଣ ଚନ୍ଦ୍ରଙ୍କର ଭାରି ଭୟ । ନବାବଙ୍କ ମନ୍ତ୍ରୀଙ୍କର ଅଭ୍ୟର୍ଥନା ପାଇଁ ସେ ଗୋପାଳଙ୍କୁ ନିଯୁକ୍ତି କଲେ । ଗୋପାଳ ତ ଓର ଉଣ୍ଡୁ ଥିଲେ । ସେଇଠୁ ଉଠି ନିଜ ଘରକୁ ଚାଲି ଗଲେ । ଅଗଣାରେ ଗୋଟିଏ ବାଉଁଶ ପୋତି ତା ଆଗରେ ଗୋଟିଏ ହାଣ୍ଡି ରଖିଲେ । ତଳେ ଏଣେ ନିଆଁ ଜଳୁ ଥାଏ ।
ଗୋପାଳ ରାଜ ସଭାକୁ ଫେରିବା ବହୁତ ଡେରି ହେଲା । ରାଜା ବ୍ୟସ୍ତ ହୋଇ ଗୋପାଳକୁ ଡକାଇ ପଠାଇଲେ । ଯେଉଁ ଲୋକ ଡାକିବାକୁ ଆସି ଥିଲା, ତାକୁ ଗୋପାଳ କହିଲେ – ତୁ ଯାଇ ରାଜାଙ୍କୁ କହିବୁ ମୁଁ ଭାତ ରାନ୍ଧୁଛି । ଭାତ ରନ୍ଧା ସରିଲେ ଖାଇ କରି ରାଜ ନଅରକୁ ଯିବି ।
ଲୋକଟି ଫେରି ଯାଇ ଯାହା ଦେଖି ଥିଲା ସବୁ କଥା ରାଜାଙ୍କୁ କହିଲା । ଗୋପାଳ ମଧ୍ୟ ଯାହା କହି ଥିଲେ ସେ କଥା ସବୁ କହିଲା ।
ରାଜା ଏସବୁ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ । ରାଜା ପାତ୍ର ମନ୍ତ୍ରୀଙ୍କୁ ସାଥିରେ ଘେନି ଗୋପାଳଙ୍କର ଘରେ ଆସି ପହଁଚି ଗଲେ । କଥାଟା ସତ କି ମିଛ ଜାଣିବା ପାଇଁ ତାଙ୍କ ମନରେ ଭାରି ଆଗ୍ରହ । ସେତେ ବେଳକୁ ଗୋପାଳ ବାଉଁଶ ତଳେ ବସି ନିଆଁ ଜାଳୁ ଥାନ୍ତି ।
ରାଜା ବିରକ୍ତ ହୋଇ କହିଲେ – ଗୋପାଳ । ତୁମେ ଏସବୁ କ’ଣ କରୁଛ?
– ଆଜ୍ଞା ଭାତ ରାନ୍ଧୁଛି । ଭାତ ହେଲେ ଖାଇ କରି ଯିବି ।
– ଭାତ ହାଣ୍ଡି କାହିଁ?
– ହେଇ ବାଉଁଶ ଅଗରେ ଅଛି, ମୁଁ ତଳେ ବସି ନିଆଁ ଜାଳୁଛି ।
ରାଜା ହସି ହସି କହିଲେ ତୁମେ କ’ଣ ପାଗଳ ହୋଇ ଗଲ ନା କ’ଣ? ଏତେ ଦୂରକୁ ନିଆଁ ତାତି ଯାଇ କେମିତି ହାଣ୍ଡି ତାତିବ ଯେ ଚାଉଳ ଫୁଟିବ?
ଏ କଥା ଶୁଣି ଗୋପାଳ କହିଲେ – ମହାରାଜ । ପୋଖରୀ ଓ ପ୍ରାସାଦ ଆଲୁଅ ଠାରୁ ତ ଏ ବେଶୀ ଦୂର ନୁହଁ । ସେହି ଆଲୁଅ ଯେମିତି ଗରିବ ନାଗରକୁ ପାଣି ଭିତରେ ଉଷୁମ୍ କରି ଦେଲା, ସେମିତି ମୋ ହାଣ୍ଡିକୁ ବି ତତାଇ ଦେବ ।
ରାଜା ଗୋପାଳର ଅସଲ କଥାଟାକୁ ବୁଝି ଗଲେ । କହିଲେ ଗୋପାଳ ମୋତେ ଆଉ ଲଜ୍ଜା ଦିଅନା । ତୁମେ ଏବେ ନବାବଙ୍କ ମନ୍ତ୍ରୀ କଥା ବୁଝ ମୁଁ ସେ ଗରିବ ନାଗରଙ୍କୁ ଡାକି ତାଙ୍କର ପୁରସ୍କାର ଟଙ୍କା ଦିଆଇ ଦେଉଛି । ରାଜା ଗରିବ ନାଗରଙ୍କୁ ଦୁଇ ଗୁଣ ଟଙ୍କା ଦେଇ ପୁରସ୍କୃତ କଲେ ।