ଗୋପାଳର କଥା ଶୁଣି ରାଜା ଲୋକ ଲଗେଇ କୂଅଟିକୁ ଶୁଖାଇ ଦେଲେ । ଗୋପାଳ କୂଅ ଭିତରକୁ ଚାହିଁ ଦେଖିଲା ଯେ ମୁଦିଟା କୂଅ ଭିତରେ ପଡି ଚକ୍ ଚକ୍ କରୁଛି । ତହୁଁ ସେ ଗୋଟାଏ ପାଚିଆରେ ଗୁଡିଏ ଗୋବର ନେଇ ଠିକ୍ ମୁଦି ଉପରକୁ ପକାଇ ଦେଲା । ତାପରେ ଲୋକ ମାନଙ୍କୁ କହିଲା – ଆଜି ଏ କୂଅରେ ଯେତେ ପାଣି ଝରିବ, ତୁମ୍ଭେ ମାନେ ଯେପରି ସଙ୍ଗେ ସଙ୍ଗେ ତାହା କାଢି ଦେବ । ଏଥିରେ ହେଳା କଲେ ରାଜାଙ୍କ ପାଖରେ କହି ଦଣ୍ଡ ସହ ଜୋରିମାନା କରାଇ ଦେବି ।
ଗୋପାଳ ଭାଣ୍ଡର କଡା କଥା ଶୁଣି ଲୋକ ମାନେ କୂଅରେ ପାଣି ହେବାକୁ ଦେଲେନି । କୂଅଟି ସବୁ ବେଳେ ଶୁଖିଲା ହେବାରୁ ସୂର୍ଯ୍ୟ କିରଣ ପଡି କ୍ରମେ ମାଟି ଗୁଡିକ ଶୁଖି ଯାଇ ଫାଟିବାକୁ ଆରମ୍ଭ କଲା । ଲୋକେ କହନ୍ତି ଗୋବର ମାଟି ଧରି ଉଠେ । ମାଟି ଉପରେ ଢଳା, ହୋଇଥିବା ଗୋବର ଗୁଡିକ ମଧ୍ୟ ସୂର୍ଯ୍ୟ କିରଣ ଲାଗି ମାଟି କାମୁଡି ଘଷି ଭଳିଆ ହୋଇ ଗଲା । ଗୋପାଳ ଭାଣ୍ଡ କୂଅ ଉପରେ ଥାଇ ଗୋବର ମାଟି କାମୁଡି ଶୁଖି ଯିବାର ଦେଖି ରାଜାଙ୍କୁ କହିଲା – ଏଥର କୂଅଟିକୁ ପାଣିରେ ପୂରା କରି ଦିଅନ୍ତୁ । ରାଜା ଏଥର ଗୋପାଳ ଭାଣ୍ଡର ଗୂଢ ରହସ୍ୟ କିଛି ନ ବୁଝି ଗୋପାଳ କହିବା ଅନୁସାରେ ଲୋକ ଲଗାଇ କୂଅଟିରେ ପାଣି ପୂର୍ଣ୍ଣ କରି ଦେଲେ । କୂଅରେ ପାଣି ପଶିବା ମାତ୍ରେ ଶୁଖିଲା ଗୋବର ଗୁଡିକ ମାଟି କାମୁଡି କ୍ରମେ କ୍ରମେ ଉପରକୁ ଉଠି ଆସିଲା । କୂଅଟି ଯେତେ ବେଳେ ପୂର୍ଣ୍ଣ ହୋଇ ଗଲା, ସେତେ ବେଳେ ଗୋବର ଫଡାଟି ଆସି କୂଅ ମୁଁହରେ ଲାଗିଲା । ଗୋପାଳ ସଙ୍ଗେ ସଙ୍ଗେ ଗୋବର ଫଡାଟି ହାତରେ ଉଠାଇ ନେଇ ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ସଭାରେ ଯାଇ ପହଁଚିଲା । ଗୋପାଳ ହାତରେ ଘଷି ଫଡାଟି ଦେଖି ରାଜା କହିଲେ – ଗୋପାଳ, ମୋ ମୁଦିଟି କାହିଁ ଦିଅ? ଗୋପାଳ ସଙ୍ଗେ ସଙ୍ଗେ ଘଷି ଫଡାଟି ଭାଙ୍ଗି ଦେଇ ତା ଭିତରୁ ମୁଦିଟି ବାହାର କରି ରାଜାଙ୍କ ଆଗରେ ଥୋଇ ଦେଇ କହିଲେ –
ଏହି ଆପଣଙ୍କ ମୁଦି ନିଅନ୍ତୁ ଛାମୁ । କିନ୍ତୁ ଏ ଗରୀବର ପୁରସ୍କାରଟି ଦେଇ ଦିଅନ୍ତୁ । ଗୋପାଳ ଭାଣ୍ଡର ଅଦ୍ଭୁତ ବୁଦ୍ଧି ଦେଖି ସମସ୍ତେ ତାକୁ ଖୁବ୍ ପ୍ରଶଂସା କଲେ । ରାଜା ଗୋପାଳକୁ ଉପଯୁକ୍ତ ପୁରସ୍କାର ଦେଇ ବିଦା କରି ଦେଲେ ।