ଦିନକର କଥା ମହାରାଜ କୃଷ୍ଣ ଚନ୍ଦ୍ରଙ୍କର ମହାରାଣୀଙ୍କ ଗଳାରୁ ବହୁ ମୂଲ୍ୟ ହୀରା ଯୁକ୍ତ ହାରଟିଏ ହଜି ଗଲା । ତହିଁରେ ରାଜା ଅତିଶୟ ଦୁଃଖିତ ହୋଇ ରାଜ୍ୟରେ ପ୍ରଚାର କଲେ ଯେ, ଯିଏ ହୀରା ହାର ଆଣି ଦେବ, ସେ ମୋ ଠାରୁ ନଗଦ ଏକ ହଜାର ଟଙ୍କା ପୁରସ୍କାର ପାଇବ । ପ୍ରଚାର କଲେ ସତ, କିନ୍ତୁ ତହିଁରେ କୌଣସି ଲାଭ ମିଳିଲା ନାହିଁ, ଏହି ପରି କିଛି ଦିନ ଚାଲି ଗଲା । ଦିଦେ ରାଜା ଅତ୍ୟନ୍ତ ଚିନ୍ତିତ ହୋଇ ଗୋପାଳ ଭାଣ୍ଡକୁ କହିଲେ – ଗୋପାଳ ବହୁ ଦିନ ହେଲା ରାଣୀଙ୍କର ହୀରା ହାରଟି ହଜି ଗଲାଣି । ସେଥି ପାଇଁ ମୁଁ ବହୁତ ଅନୁସନ୍ଧାନ କରି ସବୁଥିରୁ ବିଫଳ ହୋଇ ଶେଷରେ ହଜାରେ ଟଙ୍କା ପୁରସ୍କାର ଦେବାକୁ ପ୍ରଚାର କଲି । କିନ୍ତୁ ତହିଁରେ କିଛି ଫଳ ହେଲାନି । ତେବେ ଆଉ କ’ଣ ହାରଟି ମିଳିବ ନାହିଁ?
ଏ କଥା ଶୁଣି ଗୋପାଳ ଭାଣ୍ଡ ଟିକିଏ ରହି ଯାଇ ମନେ ମନେ କ’ଣ ଭାବି କହିଲା – ଉପାୟ କଲେ ନିଶ୍ଚୟ ମହାରାଣୀଙ୍କର ହୀରାର ହାରଟି ମିଳିଯିବ ଆଜ୍ଞା । ରାଜା ଆତୁର ହୋଇ ପଚାରିଲେ, କି କି ଉପାୟ କରିବି କହିଲ ଭାଣ୍ଡେ? ଭାଣ୍ଡେ ନମ୍ର ସ୍ୱରରେ କହିଲେ – ମହାରାଜା ଆପଣ ରାଜ୍ୟରେ ପ୍ରଚାର କରି ଦିଅନ୍ତୁ ଯେ କାଲି ଦେବୀଙ୍କର ସ୍ୱପ୍ନ ହୋଇଛି – ଯେଉଁ ଲୋକ ହୀରାର ହାରଟିଏ ଅଙ୍କନ କରି ଦେବ, ମୋ ଠାରୁ ହଜାରେ ଟଙ୍କା ପୁରସ୍କାର ପାଇବ । ମୋ ହୁକୁମ୍କୁ ଅମାନ୍ୟ କରି କୌଣସି ପ୍ରଜା ହୀରାର ହାର ଅଙ୍କନ ନ କଲେ ସେ ନିଶ୍ଚୟ ଦଣ୍ଡନୀୟ ହେବ । ଏହା ପ୍ରଚାର କରିବା ଦ୍ୱାରା ପ୍ରଜା ମାନେ ଟଙ୍କା ଲୋଭରେ ହେଉ ବା ଦଣ୍ଡ ଭୟରେ ହେଉ ପ୍ରତ୍ୟେକେ ଚିତ୍ର ଅଙ୍କନ କରି ଆପଣଙ୍କୁ ଆଣି ଦେଖାଇବେ ।
ଗୋପାଳର କଥା ଶୁଣି ରାଜା କହିଲେ – ଏଥିରେ ବିଶେଷ ଫଳ ହେବ କ’ଣ । ଭାଣ୍ଡ ଉତ୍ତର ଦେଲେ – ନିଶ୍ଚୟ ଫଳ ହେବ ମହାରାଜ? କାରଣ ପ୍ରଜାମାନେ ତ ତାଙ୍କ ଜୀବନରେ ହୀରା ହାର କେବେ ଦେଖି ନଥିବେ, ତେଣୁ ମନକୁ ମନ ଅନୁମାନ କରି କୋଳି, କମଳା, ଜହ୍ନି, ଭେଣ୍ଡି ଯାହା ଆସିବ ତାହା ଆଙ୍କି ଆଣି ଛାମୁଙ୍କୁ ଦେଖାଇବେ । ତହିଁରୁ ଜଣା ପଡିବ ଯେ ଯେଉଁ ଲୋକଟି ହୀରା ହାରର ଅଙ୍କନ ସଠିକ୍ ଭାବେ କରି ପାରିବ ସେହି ଲୋକଟି ହୀରା ହାର ପାଇ ରଖିଛି ବୋଲି ଆପଣ ସେୟାକୁ ଧମକ ଦେଇ ପଚାରିଲେ ସେ ନିଶ୍ଚୟ ମହାରାଣୀଙ୍କର ହୀରାର ହାରଟି ଆଣି ଦେବ ।
ଗୋପାଳର ଯୁକ୍ତି ପୂର୍ଣ୍ଣ କଥାଟି ରାଜାଙ୍କ ମନକୁ ବେଶ୍ ପାଇଲା । ସେ ଆଉ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ରାଜ୍ୟରେ ଭାଣ୍ଡ କହିଥିବା କଥାକୁ ଘୋଷଣା କରି ଦେଲେ । ଘୋଷଣା ଶୁଣି ପ୍ରଜା ମାନେ କେହି ଘରେ ବା କେହି ଟଙ୍କା ଲୋଭରେ ଯାହା ମନକୁ ଯାହା ଆସିଲା ଚିତ୍ର ଅଙ୍କନ କରି ନେଇ ରାଜାଙ୍କୁ ଦେଖେଇଲେ । କିନ୍ତୁ କୌଣସି ଚିତ୍ର ହୀରା ହାରର ସ୍ୱରୂପ ହେଲାନି । ଶେଷରେ ଜଣେ ସବଳକାୟ ଲୋକ ଯେଉଁ ଚିତ୍ରଟି ଆଙ୍କି ଆଣି ଦେଲା ସେ ଚିତ୍ରଟି ଠିକ୍ ମହାରାଣୀଙ୍କର ହୀରା ହାର ସଙ୍ଗରେ ମିଳି ଗଲା । ରାଜା ଚିତ୍ରଟି ଦେଖି ଚମକି ଉଠି ଲୋକଟିକୁ ଧମକ ଦେଇ ପଚାରିବାରୁ ଲୋକଟି ଡରି ମରି ହାତ ଯୋଡି କହିଲା –
ମହାରାଜ ହାରଟି ପୋଖରୀ ଘାଟରେ ପଡି ଥିଲା । ତାକୁ ମୋର ସ୍ତ୍ରୀ ପାଇ ଘରକୁ ନେବାରୁ ମୁଁ ଭୟରେ ଆପଣଙ୍କୁ ନଦେଇ ଲୁଚାଇ ରଖିଛି । ଏହି ହାରଟି ନିଅନ୍ତୁ । ହାରଟି ପାଇ ରାଜାଙ୍କ ମନ ବିଶେଷ ଆନନ୍ଦ ହେଲା । ସେ ହାର ପାଇଥିବା ଲୋକଟିକୁ କିଛି ପୁରସ୍କାର ଦେଲେ । ତା ସଙ୍ଗେ ସଙ୍ଗେ ଗୋପାଳକୁ ହଜାରେ ଟଙ୍କା ଦେଇ କହିଲେ – ଗୋପାଳ, ତୁମେ ଖାଲି ଭାଣ୍ଡ ନୁହଁ, ଗୋଇନ୍ଦା ମଧ୍ୟ ।