ପଣ୍ଡିତମହାଶୟ ତାଙ୍କ କନ୍ୟାର ବାହାଘରପାଇଁ ଖୁବ୍ ବ୍ୟଗ୍ର ଥିଲେ । ଜଣେ ପରଚିତ ବ୍ୟକ୍ତି ପ୍ରସ୍ତାବଟିଏ ଯୋଗାଡ କରି ତାଙ୍କୁ ଖବର ଦେଲେ । ଅଗତ୍ୟା ବରପାତ୍ର ଓ ପରିବାର ସମ୍ବନ୍ଧୀୟ ଜିଜ୍ଞାସା ସହିତ ସେ ସହର ଯିବାପାଇଁ ବାହାରିଲେ । ଗାଡିବାଲା ନିକଟକୁ ଖବରପ୍ରେରଣ କରାଗଲା । ଗ୍ରାମରୁ ପାଦଚଲା ରାସ୍ତାରେ ସହରକୁ ଯିବାକୁ ହେଲେ, ବାଟରେ ଜଙ୍ଗଲଟିଏ ପଡେ । ସକାଳୁ ସକାଳୁ ବାହାରିଲେ, ପହଁଚିଲା ବେଳକୁ ପ୍ରାୟ ସଂନ୍ଧ୍ୟା ହୋଇ ଯାଇଥିବ । କିଛି ଅର୍ଥଖର୍ଚ୍ଚ କରି ସୁବାସର ଘୋଡାଗାଡିରେ ସହର ଯିବାରାସ୍ତା ଅଧିକ ବୁଲାଣିଆ ହେଲେ ମଧ୍ୟ ତାହା ଖୁବ୍ ସୁବିଧାଜନକ । ସୁବାସର ଗାଡିରେ ପାଂଚଜଣ ଲୋକ ସ୍ୱଚ୍ଛନ୍ଦରେ ଯାଇପାରିବେ । ଅତିକମ୍ରେ ଚାରିଜଣ ସବାରି ମିଳିଲେ ସେ ସହର ଯିବାପାଇଁ ରାଜିହେବ । ଜଣେ ଲୋକକୁ ନେଇ ସେ କେବେବି ସହର ଯାଏ ନାହିଁ । ଯଦି ବା କୌଣସି ଲୋକର ଜରୁରୀ ଆବଶ୍ୟକତାରେ ତାକୁ ଯିବାକୁ ପଡେ, ତେବେ ସେ ତା’ଠାରୁ ଚାରିଜଣ ଯାତ୍ରୀଙ୍କର ଭଡା ଆଦାୟ ନକରି ଛାଡେ ନାହିଁ ।
ସୌଭାଗ୍ୟବଶତଃ ସେଦିନ ପଣ୍ଡିତମହାଶୟଙ୍କର ସହର ଯିବାରେ କିଛି ବି କ୍ଳେଶ ଉପୁଜି ନଥିଲା । କାରଣ ସୁବାସର ଗାଡିରେ ଯିବାପାଇଁ ଆଗରୁ ତିନିଜଣ ଯାତ୍ରୀ ପ୍ରସ୍ତୁତ ଥିଲେ । ତେଣୁ ଆଉ ଶୁଭମୁହୂର୍ତ୍ତକୁ ଅପେକ୍ଷା ନକରି ସେ ବାହାରି ପଡିଲେ । ଗୋଟିଏ ଛୋଟ ଟିଣବାକ୍ସ ଓ ଘୋଡଣୀଯୁକ୍ତ ଜଳପାତ୍ରଟିଏ ସାଂଗରେ ନେଇ ସେ ଘରୁବାହାରନ୍ତି ତ, ଦେଖିଲେ ସୁବାସ ଅନ୍ୟ ତିନିଜଣ ସବାରିଙ୍କ ସହିତ ତାଙ୍କୁ ଅପେକ୍ଷା କରିଛି ।
ଗାଡିର ନିମ୍ନଭାଗରେ ଥିବା ଗୋଲାକାର ଜାଲିଟିରେସେ ତାଙ୍କ ବାକ୍ସଟିକୁ ରଖିଦେଇ ଗାଡିରେ ବସିଲେ । ଗାଡି ଚାଲିବାକୁ ଆରମ୍ଭ କଲା ।
ଆଗପଟେ ଦୁଇଜଣ ବସିଥିଲେ, ସେଥି ମଧ୍ୟରୁ ସୀତାରାମଙ୍କୁ ପଣ୍ଡିତମହାଶୟ ଜାଣିଥିଲେ । ଅନ୍ୟଜଣକ ରଙ୍ଗନାଥ କିଛି କାରଣବଶତଃ ଗ୍ରାମକୁ ଆସିଥିଲେ, ଏବେ ସେ ପ୍ରସ୍ଥାନ କରୁଛନ୍ତି । ପଣ୍ଡିତଙ୍କ ପାଖରେ ବସିଥିବା ଗୋପୀର ବୟସ ଚାଳିଶ ପାଖାପାଖି । ସେ ତାର ଜଣେ ସମ୍ପର୍କୀୟ ଧନୀରାମଙ୍କ ଘରକୁ ଆସିଥିଲା ଓ ବ୍ୟବସାୟ ସଙ୍କ୍ରାନ୍ତୀୟ କାର୍ଯ୍ୟରେ ସହରକୁ ଯାଉଛି ।
ଗୋପୀ ତା’ ନିକଟରେ ଟିଣ ବାକ୍ସଟିଏ ରଖିଥାଏ । ଟିକିଏ ସୁବିଧାରେ ବସିବା ପାଇଁ ପଣ୍ଡିତମହାଶୟ ବାକ୍ସଟି ଉପରେ ଦୁଇଗୋଡ ରଖିଲେ । ଏଥର ତାଙ୍କର ବସିବାରେ ଆଉ କିଛି ବି ଅସୁବିଧା ହେଲା ନାହିଁ । ମାତ୍ର ଗୋପୀ ତତ୍କ୍ଷଣାତ୍ ଆପତ୍ତି କଲା “ପାଦ କାଢ, ତହିଁରେ ଭଗବାନଙ୍କ ଫଟୋ ରହିଛି ।”
ପଣ୍ଡିତମହାଶୟ ସାଙ୍ଗେ ସାଙ୍ଗେ ପାଦ ହଟାଇ ନେଲେ ଓ ବାକ୍ସଟିକୁ ଛୁଇଁ ସଭକ୍ତି ପ୍ରଣାମକଲେ । କିନ୍ତୁ ଏପରି ବସିବାରେ ସେ ଖୁବ୍ ଅସୁବିଧା ଅନୁଭବ କରୁଥିଲେ । ମାତ୍ର ଗୋପୀ ବେଶ୍ ସୁବିଧାରେ ବସିଥିଲା, କେବଳ ପଣ୍ଡିତମହାଶୟ ହିଁ ଗୋଡ ଲମ୍ବାଇ ବସିପାରୁ ନଥିଲେ ।
କିଛି ସମୟପରେ ସେ ପଣ୍ଡିତମହାଶୟ ଗୋପୀକୁ କହିଲେ “ମହାଶୟ ଦୟାକରି ଆପଣ ଟିକେ ବାକ୍ସଟି ଘୁଂଚେଇବେକି? ଗୋଡ ସଙ୍କୁଚିତ କରି ବସିବାରେ ମତେ ଖୁବ୍ ଅସୁବିଧା ହେଉଛି ।” ମାତ୍ର ଗୋପୀ ତା’ ବାକ୍ସଟିକୁ ପଣ୍ଡିତଙ୍କ ଆଡକୁ ଆଉଟିକେ ଠେଲି ଦେଲା ।
ପଣ୍ଡିତ ମହାଶୟ ତାଙ୍କ ହାତଦୁଇଟି ବାକ୍ସ ଉପରେ ରଖି ଗୋଡଦୁଇଟିକୁ ଯଥାସମ୍ଭବ ସଜାଡି ରଖିଲେ । କିନ୍ତୁ ଗୋପୀ ତାଙ୍କୁ ବାକ୍ସ ଉପରୁ ହାତବି ଉଠାଇ ଦେବାକୁ କହିଲା ।