ଏଥିରେ ସେ ପଣ୍ଡିତ ଜଣକ ଚିଡିଉଠି କହିଲେ ‘ଏ ତ ଗୋଡ ନୁହେଁ, ହାତ ।’ ତା’ପରେ ଗୋପୀ କାରଣ ଦର୍ଶାଇଲା “ବାକ୍ସ ଭିତରେ କାଚ ସାମଗ୍ରୀ ଅଛି । ଦବିଯିବ ଓ ଭାଙ୍ଗି ଚୁର୍ମାର୍ ହୋଇଯିବ ।”
“ମହାଶୟ ଏ ତ ଟିଣ ବାକ୍ସ, ଏତେ ସହଜରେ କଣ ଦବିଯାଉଛି?” ଏହିପରି ଭାବେ ପଣ୍ଡିତ ମହାଶୟ ଧୀରସ୍ୱରରେ ନିଜର ଯୁକ୍ତି ବାଢିଲେ ।
ଗୋପୀ ନାସ୍ତି ସୂଚକ ଢଙ୍ଗରେ ମୁଣ୍ଡ ହଲାଇ କହିଲା,
“ଏ ଟିଣ ଅତି ପତଳା । କାଚସାମଗ୍ରୀ ଗୁଡିକ ବାକ୍ସର ଉପରି ଭାଗରେ ଅଛି । ନିଜର ସହଯାତ୍ରୀକୁ ଅସୁବିଧାରେ ପକାଇବା କିଛି ଭଲ କଥା ନୁହେଁ । ଦୟାକରି ଆପଣ ହାତ ଉଠାଇ ନିଅନ୍ତୁ ।”
ତା’ର ସ୍ୱରରେ କିଛି ତିକ୍ତତା ନଥିଲା, ତେଣୁ ପଣ୍ଡିତମହାଶୟ ସ୍ଥିର କରିପାରୁନାହାଁନ୍ତି ଯେ ଏବେ କଣ କରାଯିବ । କ୍ଷଣମାତ୍ର ଚିନ୍ତା କରି ସେ କହିଲେ, “ଏହି ପରିସ୍ଥିତିରେ ବାକ୍ସଟି ଗାଡିର ନିମ୍ନରେ ଥିବା ଜାଲିରେ ରଖିବା କଥା, ମୋତେ ବସିବାରେ ଖୁବ୍ ଅସୁବିଧା ହେଉଛି ।”
ଗୋପୀ କହିଲା “ସେଥିରେ ଭଗବାନଙ୍କର ଫଟୋ ଅଛି, କାଚ ଜିନିଷ ଅଛି । ସେଥିପାଇଁ ତାକୁ ମୁଁ ମୋ ପାଖେ ପାଖେ ରଖିଛି । ମୁଁ ଆଦୌ ବୁଝିପାରୁନାହିଁ, ଏହାଦ୍ୱାରା ଆପଣଙ୍କର କ’ଣ ଅସୁବିଧା ହେଉଛି? ଏହି ଗାଡିରେ ତ ଆଉଜଣେ ଯାତ୍ରୀ ବସିବା କଥା, ସେହିସ୍ଥାନରେ ତ ମୁଁ ମୋର ବାକ୍ସ ରଖିଛି । ଆଉଜଣେ ଯାତ୍ରୀ ବସିଥିଲେ ତାଙ୍କୁ କଣ ଆପଣ ପାଦରେ ଘୁଂଚାଇ ଦିଅନ୍ତେ ନା ତା ଉପରେ ହାତରଖି ବସିପାରନ୍ତେ? ସେତେବେଳେ ଯଦି କଷ୍ଟହୁଅନ୍ତା ନାହିଁ ତେବେ ଏବେ କାହିଁକି?”
ପଣ୍ଡିତମହାଶୟ ତା’ର ଏଭଳି ଯୁକ୍ତିର ଆଉ କିଛି ବି ପ୍ରତିବାଦ କରି ପାରିଲେ ନାହିଁ । ସେ ଜାଣିପାରିଲେ ଯେ ଗୋପୀ ଖୁବ୍ ଜିଦ୍ଖୋର ପ୍ରକୃତିର ମଣିଷ, ସୁଯୋଗ ମିଳିଲେ ହିଁ ତାକୁ ଠିକ୍ ଜବାବ୍ ଦିଆଯାଇ ପାରିବ ।
କିଛି ସମୟ ପରେ ଗୋପୀ ବିଡିଟାଣିବା ଉଦ୍ଧେଶ୍ୟରେ ପାଖରେ ବସିଥିବା ସୀତାରାମକୁ ଦିଆସିଲି ମାଗିଲା । ମାତ୍ର ସେତେବେଳେ ସେମାନଙ୍କ ଭିତରୁ କାହାରି ପାଖରେ ବି ଦିଆସିଲି ନଥିଲା । ଏଣୁ ଗୋପୀର ରାଗ ଆହୁରି ବଢିଗଲା ।
ଏହି ସମୟରେ ପଣ୍ଡିତମହାଶୟ ଖୁବ୍ ତୃଷା ଅନୁଭବ କଲେ । ପାଖରେ ଥିବା ଜଳପାତ୍ରଟିରୁ ଘୋଡଣୀ କାଢି ଜଳପାନ କରିବାକୁ ସେ ଯାଉଛନ୍ତି ତ ଗୋପୀ କହିଲା ମହାଶୟ, ଆପଣ ଗାଡିରେ ଜଳପାନ କରନ୍ତୁ ନାହିଁ, ଏପରି କରିବା ଦ୍ୱାରା ମୋ ଉପରେ ଜଳ ପଡିବାର ଯଥେଷ୍ଟ ସମ୍ଭାବନା ଅଛି, ପୁଣି ଉଚ୍ଚିଷ୍ଟ ଜଳର କେଇଟୋପା ମୋର ପବିତ୍ର ବାକ୍ସ ଉପରେ ବି ପଡିପାରେ । ତେଣୁ ଦୟାକରି ଆପଣ ଜଳପାତ୍ରର ଘୋଡଣୀ ଖୋଲନ୍ତୁ ନାହିଁ ।”
ପଣ୍ଡିତମହାଶୟ ନିଜର କ୍ରୋଧକୁ ଲୁଚାଇବାକୁ ଯାଇ କହିଲେ “ମତେ ଖୁବ୍ ଶୋଷ ଲାଗୁଛି, ଗାଡି ଅଟକାଇବାକୁ କହିବି?”
ଗୋପୀ ତା’ର ଅନିଚ୍ଛା ଭାବ ପ୍ରକାଶ କରି କହିଲା “ମୁଁ ତ ସହରରେ ଖୁବ୍ଶୀଘ୍ର ପହଁଚିବା ନିହାତି ଦରକାର, ଆପଣଙ୍କର କଥା ଆପଣ ଜାଣନ୍ତି । ଏମିତି ଟିକିଏ ଟିକିଏ କଥାରେ ଗାଡି ଅଟକାଇଲେ, ଠିକ୍ ସମୟରେ ଆମେ ଯାଇ ଆମ ଗନ୍ତବ୍ୟସ୍ଥାନରେ ପହଁଚି ପାରିବା ତ? ପ୍ରାଣ ବଂଚେଇବାର ଥିଲେ, ଗାଡି ରୋକିବାରେ ମୋର କୌଣସି ଆପତ୍ତି ନାହିଁ । ହେଲେ ଏହି ଶୋଷଟିକେ ମେଂଟାଇବା ପାଇଁ ଗାଡି ଅଟକାଇବା କଣ ଠିକ୍ କଥା?”
କ୍ରମେ ବେଳକୁ ବେଳ ପଣ୍ଡିତମହାଶୟଙ୍କ ଭିତରେ କ୍ରୋଧ ଜମାଟ ବାଂଧି ଆସୁଥାଏ । ସେ ପାଣି ଟୋପେ ମଧ୍ୟ ପିଇଲେ ନାହିଁ । ଗାଡିଟି ଆଉ ଟିକେ ଆଗକୁ ଗଡିବା ମାତ୍ରେ ସେ ଦେଖିଲେ ଦୂରରୁ କେହି ଜଣେ ଆସୁଛି । ତା ମୁହଁରୁ ଧୂଆଁ ବାହାରୁ ଥାଏ । ଗୋପୀକୁ ସେ କହିଲେ, “ମହାଶୟ, ବୋଧହୁଏ କେହିଜଣେ ବିଡି ଟାଣି ଟାଣି ଆସୁଛି, ଗାଡି ରଖି ଦେବା?”
ଗୋପୀ ଏକଥା ଶୁଣି ଖୁବ୍ ଖୁସି ହୋଇଗଲା । ଗାଡିବାଲାକୁ ସଙ୍ଗେ ସଙ୍ଗେ ଗାଡି ରଖିବାକୁ ସେ କହିଲା । ଏହାର ସୁଯୋଗ ନେଇ ପଣ୍ଡିତମହାଶୟ ନିଜର ଜଳପାତ୍ରଟିକୁ ଧରି ତଳକୁ ଓହ୍ଲାଇଲେ । ତା’ପରେ ସେ କହିଲେ “ମନେହୁଏ ଏହି ଲୋକଟିକୁ ମୁଁ ଚିହ୍ନିଛି, କିନ୍ତୁ ପ୍ରଚଣ୍ଡ ଶୋଷରେ ମୋ ଗଳା ଶୁଖିଯାଉଛି । ଏବେ ମୁଁ ଜଳପାନ କରିପାରିବି ତ?” ଗୋପୀ କହିଲା, “ଗାଡିରେ ପିଇବାକୁ ସିନା ମନା କରିଥିଲି, ହେଲେ ଏଠି ବା କଣ ଅସୁବିଧା?”