ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୋବିନ୍ଦଙ୍କ ଇଚ୍ଛା

ଭୋଜନ ସମାପ୍ତି ପରେ ଗୋବିନ୍ଦ ରମେଶ ଓ ରାଧାକୃଷ୍ଣଙ୍କ ହାତକୁ ପାନ ବଢାଇ ଦେଉ ଦେଉ କହିଲେ, “ମନେ ହେଉଛି, ଆଜିର ଭୋଜନ ଏତେଟା ସ୍ୱାଦିଷ୍ଟ ହେଲା ନାହିଁ ।”

ରମେଶ କୁଣ୍ଠିତ ଭାବରେ ଜଣାଇଲେ ଯେ ପ୍ରକୃତରେ ଦୁଇ ତିନୋଟି ରାନ୍ଧଣା ଏତେ ବେଶୀ ରୁଚିକର ହୋଇନାହିଁ । ଏଥିସହିତ ସେ ମଧ୍ୟ ପରାମର୍ଶ ଦେଲେ ଯେ ପ୍ରକୃତରେ କିପରି ରୋଷେଇ ହୋଇଥିଲେ ତାହା ଅଧିକ ସୁସ୍ୱାଦୁ ହୋଇପାରି ଥାଆନ୍ତା ।

ରମେଶର ଏପରି କଥାରେ ଗୋବିନ୍ଦ ଅତ୍ୟନ୍ତ ପ୍ରସନ୍ନ ହେଲେ ଓ ବନ୍ଧୁ ରାଧାକୃଷ୍ଣଙ୍କୁ କହିଲେ, “ସାଧୁ ମହାତ୍ମା ମୋ କାନରେ କହିଦେବା ପରି ମନେ ହେଉଛି ଏହି ଯୁବକ ହିଁ ମୋ କନ୍ୟା ପାଇଁ ଉପଯୁକ୍ତ ବର ।”

ରାଧାକୃଷ୍ଣ ଅଧିକ ଖାଇ ଦେଇଥିବାରୁ ଧୀରେ ଧୀରେ ନିଃଶ୍ୱାସ ନେଇ କହିଲେ, “ମୋର ମନେ ହେଉଛି, ସାଧୁ ମହାତ୍ମାଙ୍କର ନାମ ନେଇ ତୁମେ ଅନ୍ୟ କିଛି ଚିନ୍ତା କରି ଏ କଥା କହୁଛ । ଯାହା ଚିନ୍ତା କରୁଛ, ପ୍ରକାଶ କର ।”

ବନ୍ଧୁ କଥାରେ ଗୋବିନ୍ଦ ଟିକେ ହସିଦେଇ କହିଲେ, “ରାଧାକୃଷ୍ଣ, ତୁମେ ତ ଜାଣିଛ ମୋର ମିଠା ଦୋକାନ ଅଛି । ଏହି ବ୍ୟବସାୟ କରୁଥିବା ଲୋକର ପ୍ରଥମ ଗୁଣ ହେଉଛି ତା’ର ଭୋଜନ ସମ୍ବନ୍ଧରେ ଉଚ୍ଚକୋଟୀର ଧାରଣା ରହିବା ନିହାତି ଦରକାର । ଏହି ଗୁଣ ତୁମର ଭଣଜାଙ୍କ ନିକଟରେ ଅଛି । ଏପରି ଯୁବକ ଦୋକାନର ଦାୟିତ୍ୱ ନେଲେ ଅଧିକ ଲାଭ ହେବା ସୁନିଶ୍ଚିତ । ଅନ୍ୟ କାହା ହାତରେ ବ୍ୟବସାୟ ପଡିଲେ ସେ ଯାହା ହାତରେ ପଡିବ ତାହା ଖାଇବ ଓ ଶେଷରେ ସେ ନିଜର ସ୍ୱାସ୍ଥ୍ୟ ଖରାପ କରିବା ସହିତ ମୋର ବ୍ୟବସାୟ ମଧ୍ୟ ବୁଡାଇଦେବ । ଏହି ଗୁଣ ପରୀକ୍ଷା କରିବା ପାଇଁ ମୁଁ ଅନେକ ଯୁବକଙ୍କୁ ମୋ ଘରକୁ ଖାଇବାକୁ ଡାକିଥିଲି । ଯାହା ହେଉ ଭଗବାନଙ୍କ ଅଶେଷ କୃପାରୁ ଶେଷରେ ମୋତେ ରମେଶ ପରି ଜଣେ ଉତ୍ତମ ଯୁବକକୁ ଜାମାତା କରିବାର ସୌଭାଗ୍ୟ ମିଳିଲା । ଏବେ ତାଙ୍କ ହାତରେ ମୁଁ ମୋ ବ୍ୟବସାୟ ଅର୍ପଣ କରି ନିଶ୍ଚିନ୍ତ ମନରେ ଅବସର କଟାଇବି ।”

ରାଧାକୃଷ୍ଣ ତାଙ୍କ ବନ୍ଧୁଙ୍କ ଏଭଳି ନିଷ୍ପତିରେ ଅତ୍ୟନ୍ତ ଆନନ୍ଦିତ ହୋଇ କହିଲେ, “କ’ଣ ଖାଲି ତୁମେ ନିଷ୍ପତି ନେଇଗଲେ ଚଳିବ? ଝିଅକୁ ତ ପୁଣି ପଚାରିବା । ତା’ର ଇଚ୍ଛା ପ୍ରଥମେ ଜାଣିସାର । ତା’ପରେ ସିନା ଜାମାତାକୁ ପ୍ରଶଂସା କରିବ ।”

ଗୋବିନ୍ଦ କହିଲେ “ରତ୍ନମାଳାର ପସନ୍ଦ ଜାଣିବାକୁ ମୁଁ ଆଦୌ ଡେରି କରିନାହିଁ । ତୁମେ ଦୁହେଁ ଏଠାରେ ବସିଥିବା ସମୟରେ ମୁଁ ମୋ ଝିଅକୁ ଏ ପ୍ରସ୍ତାବ ବିଷୟରେ ଜଣାଇଲି । ସେ ଏଥିରେ ସମ୍ପୂର୍ଣ୍ଣ ଭାବେ ରାଜି । ହେଲେ ଜାମାତାଙ୍କର ମନକଥା ବି ବୁଝିନେବା ଭଲ ହେବ ।”

ଗୋବିନ୍ଦଙ୍କର ଏପରି କଥାରେ ରାଧାକୃଷ୍ଣ ହସି ଉଠିଲେ । ରମେଶ ସଙ୍କୋଚର ସହିତ ସ୍ମିତହସି କହିଲେ, “ମୋର ଏହି ପ୍ରସ୍ତାବରେ କୌଣସି ପ୍ରକାର ଅମତ ନାଇଁ । ମାତ୍ର ଜାମାତା ମନୋନୟନ କରିବା ପାଇଁ ଆପଣ ଯେଉଁ ପଦ୍ଧତି ଗ୍ରହଣ କଲେ, ତାହା ଅଭିନବ ଓ ବାସ୍ତବ ଅଟେ । ପ୍ରକୃତରେ ଗୋବିନ୍ଦଙ୍କର ଇଚ୍ଛାକୁ କିଏବା ଏଡେଇ ଦେଇ ପାରିବ?”

“ବାଃ, ବାଃ, କଥା ପରି କଥାଟିଏ ତୁମ ଜାମାତା କହିଛନ୍ତି ।” ରାଧାକୃଷ୍ଣ ଗୋବିନ୍ଦଙ୍କୁ ଏକଥା କହି ଜୋର୍ରେ ହସିଉଠିଲେ । ଏହାପରେ ସେ ତିନିଜଣ ପରସ୍ପରକୁ ଅଭିନନ୍ଦନ ଜଣାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ