ସେତେବେଳେ ବଙ୍କିମଚନ୍ଦ୍ରବାବୁ ବଙ୍ଗଳାର ବହରାମପୁରଠାରେ ଡେପୁଟୀ ମାଜିଷ୍ଟ୍ରେଟ୍ ପଦରେ ଅଧିଷ୍ଠିତ ଥାଆନ୍ତି । ତାଙ୍କ ଚାକିରିଟା ସିନା ଗୋରା ସରକାର ଅଧୀନରେ, ମାତ୍ର ମନଟା ଖାଂଟି ଇଣ୍ଡିଆନ ମନ । ତାଙ୍କର ମନର ସାହସ ଓ ଶକ୍ତି ସତେ ଯେମିତି ଲୁହାଠାରୁ ବି ଅଧିକ ଟାଣ ।
ଦିନକର କଥା । ବଙ୍କିମଚନ୍ଦ୍ରବାବୁ ଇଣ୍ଡିଆରେ ଥିବା ବ୍ରିଟିଶ୍ ବିଚାରପତିଙ୍କ ବିଚାରାଳୟରେ ଜଣେ ବ୍ରିଟିଶ୍ କର୍ଣ୍ଣେଲ ସାହେବଙ୍କ ବିରୋଧରେ ଅଭିଯୋଗ କଲେ । ମାମଲାଟି ଛୋଟ ହେଲେ ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଜଣେ ଇଣ୍ଡିଆନ ନାଗରିକର ସମ୍ମାନର ପ୍ରଶ୍ନ ।
ଘଟଣାଟି ଥିଲା, ଏକଦା କର୍ଣ୍ଣେଲ ଡଫିନ୍ ସେନାଛାଉଣୀ ଦେଇଯିବା ବେଳେ ବଙ୍କିମବାବୁଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ । କେବଳ ସେତିକି ନୁହେଁ, ତାଙ୍କ ସହିତ ଧସ୍ତାଧସ୍ତି ମଧ୍ୟ କରିଥିଲେ । ସେତେବେଳେ ସେଠାରେ ଉପସ୍ଥିତ ଥିବା କୌଣସି ବି ଇଂରେଜ କର୍ମଚାରୀ ଏପ୍ରକାର ଖରାପ୍ ବ୍ୟବହାରରେ ଆଦୌ ପ୍ରତିବାଦ କରିନଥିଲେ । ସେମାନଙ୍କ ଭିତରେ ଜଣେ ବିଚାରପତି ବି ଥାଆନ୍ତି । ଯାହାଙ୍କ କୋର୍ଟରେ ଏହି ଅଭିଯୋଗ କରାଯାଇଥିଲା । ନ୍ୟାୟ ପ୍ରଦାନରେ ସେହି ବିଚାରପତିଙ୍କର ବେଶ୍ ଖ୍ୟାତି ବି ରହିଥିଲା । ସାରା ସହରର ଓକିଲମାନେ ସେହି ବିଚାରପତି ସାହେବଙ୍କ ନ୍ୟାୟ ପ୍ରଦାନରେ ବିଶ୍ୱାସ କରୁଥିଲେ ।
ବିଚରାଳୟରେ କର୍ଣ୍ଣେଲ ସାହେବଙ୍କର ବିଚାର ଚାଲିଲା । ହେଲେ କୌଣସି ବି ଓକିଲ ତାଙ୍କୁ ସାହାଯ୍ୟ କଲେ ନାହିଁ । ଯେତେବେଳେ କର୍ଣ୍ଣେଲ ସାହେବ ଜାଣିଗଲେ ଯେ, କେହି ଜଣେ ହେଲେ ବି ଓକିଲ ତାଙ୍କୁ ସାହାଯ୍ୟ କରୁ ନାହାଁନ୍ତି, ସେ ସିଧାସିଧା ଚାଲିଲେ ବିଚାରପତିଙ୍କ ନିକଟକୁ । ଏହି ଘଟଣାରେ ତାଙ୍କ ସପକ୍ଷରେ ରାୟ ଦେବାକୁ ସେ ବିଚାରପତିଙ୍କୁ ଅନୁରୋଧ କଲେ ।
ମାତ୍ର ବିଚାରପତିଙ୍କଠାରୁ ଉତ୍ତର ଶୁଣିବା ପରେ କର୍ଣ୍ଣେଲ ସାହେବ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ବିଚାରପତି କର୍ଣ୍ଣେଲ ସାହେବଙ୍କୁ କହିଲେ, “ଆପଣ ବଙ୍କିମବାବୁଙ୍କୁ କୋର୍ଟରେ କ୍ଷମା ନ ମାଗିବା ପର୍ଯ୍ୟନ୍ତ ମୁଁ ଏହି ମୋକଦ୍ଦମା ବନ୍ଦ କରିପାରିବି ନାହିଁ । ଏଥିରେ ପୁଣି ବଙ୍କିମବାବୁଙ୍କର ସ୍ୱୀକୃତି ରହିବା ଏକାନ୍ତ ଆବଶ୍ୟକ ।”
ଶେଷରେ ଗୋରା କର୍ଣ୍ଣେଲ ସାହେବ, “କଳା ମଣିଷଙ୍କୁ କ୍ଷମା ମାଗିଲେ । ସେଦିନ ବଙ୍କିମବାବୁଙ୍କର ଏଭଳି ସାହସ ଅଗଣିତ ଇଣ୍ଡିଆବାସୀଙ୍କ ମନରେ ଆଶାର ସଂଚାର ଭରି ଦେଇଥିଲା ।”