ପ୍ରାଚୀନ କାଳର କଥା । ଗୋଟିଏ ନଗରୀରେ ଉଜ୍ଜଳକ ନାମକ ଏକ ବଢେଇ ବସବାସ କରୁଥାଆନ୍ତି । ସେ ବହୁତ ଗରୀବ ଥାଏ । ଯେତେ ଯାହା ରୋଜଗାର କଲେ ମଧ୍ୟ ତାକୁ ଅଂଟେ ନାହିଁ । ସହରରେ ସମସ୍ତେ ବିରାଟ ବିରାଟ ପ୍ରାସାଦ ନିର୍ମାଣ କରି ଅୟସରେ ଜୀବନ ବିତାଉଥିବାବେଳେ ଗରୀବ ବଢେଇଟି ବିଚରା ତା’ର ଛୋଟିଆ ଘରଟିରେ ରହୁଥାଏ । ଦିନେ ବଢେଇଟି ଠିକ୍ କଲା ତା’ର ପରିବାରକୁ ସାଥିରେ ନେଇ ଅନ୍ୟ ଏକ ସହରକୁ ଚାଲିଯିବ । ଏହା ଭାବି ସଂଗେ ସଂଗେ ଅନ୍ୟ ଏକ ସହର ଅଭିମୁଖେ ଯାତ୍ରା ଆରମ୍ଭ କଲା । ବାଟରେ ଯିବା ସମୟରେ ଏକ ଘଂଚ ଜଙ୍ଗଲ ପଡିଲା । ଜଙ୍ଗଲ ମଧ୍ୟରେ ସେ ଦେଖିଲା ଏକ ମାଈ ଓଟ ଓ ତା’ର ଛୁଆ ବାଟବଣା ହୋଇ ବୁଲୁଛନ୍ତି । ଓଟ ଏବଂ ଓଟଛୁଆକୁ ଦେଖି ସେ ଆଉ ଆଗକୁ ନଯାଇ ସେମାନଙ୍କୁ ଧରିଆଣି ଘରେ ପାଳିଲା । ଓଟକୁ ନିତି ଡାଳପତ୍ର ଆଣି ଖାଇବାକୁ ଦିଏ । ଓଟର କ୍ଷୀର ବିକ୍ରୀ କରି ସେ ଦି ପଇସା ରୋଜଗାର କଲା । କିଛି ଦିନ ପରେ ସେ ବଢେଇ କାମ ମଧ୍ୟ ଛାଡିଦେଲା । ବହୁତ ଓଟ ଆଣି ଘରେ ପାଳି ଏକ ବ୍ୟବସାୟ ଆରମ୍ଭ କରିଦେଲା ।
ଦିନେ ସେ ତାର ପତ୍ନୀକୁ ପାଖକୁ ଡାକି କହିଲା, ଏଇ ଓଟ ବ୍ୟବସାୟ ଅତ୍ୟନ୍ତ ଲାଭଜନକ ବ୍ୟବସାୟ । ଓଟ ଦୁଗ୍ଧ ବିକ୍ରିକରିବାରୁ ମୋ ପାଖରେ ଦିନକୁ ଦିନ ମୋର ରୋଜଗାର ବଢୁଛି । ତେଣୁ ମୁଁ ଆଉ କିଛି ଅଧିକ ପଇସା ହେଲେ ରାଜସ୍ଥାନ ଯାଇ ଆହୁରି ଓଟ ଆଣିବି । ଦିନ ପରେ ଦିନ ଗଡି ଚାଲିଲା । ଓଟ ମାନଙ୍କର ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାକୁ ଲାଗିଲା । ଶେଷରେ ଏକାକୀ ଉଜ୍ଜଳକ ଓଟ ମାନଙ୍କର ଯତ୍ନନେଇ ନପାରିବାରୁ ଏକ ଚାକର ରଖିବାକୁ ବାଧ୍ୟ ହେଲେ । ପ୍ରତିଦିନ ସକାଳେ ଓଟ ଗୁଡିକୁ ନେଇ ଲୋକଟି ନିକଟସ୍ଥ ଜଙ୍ଗଲକୁ ଚରାଇବାକୁ ନିଏ । ଓଟ ଗୁଡିକ ଦିନସାରା ମନଭରି ଖାଦ୍ୟ ଖାଇବା ପରେ ସନ୍ଧ୍ୟା ହେଲେ ଗୃହକୁ ଫେରନ୍ତି ।