ଓଟମାନଙ୍କ ମଧ୍ୟରେ ଥିବା ଛୁଆଟି ଧୀରେ ଧୀରେ ବଡ ହେବାକୁ ଲାଗିଲା । ବଢେଇଟି ସେହି ଛୁଆଟିକୁ ଖୁବ୍ ଆଦର ଯତ୍ନରେ ପାଳିଥାଏ । ଦିନେ ବଢେଇଟି ତା’ର ବେକରେ ଏକ ଘଂଟି ବାନ୍ଧିଦେଲା । ଓଟ ଛୁଆଟି ଯିବା ଆସିବା କରିବା ମାତ୍ରକେ ଘଂଟି ବାଜିଉଠେ । ଏହି ଘଂଟି ଶବ୍ଦ ଶୁଣି ଓଟ ଛୁଆର ମନ କୁଣ୍ଢେମୋଟ । ତେଣୁ ସେ ନିଜ ଦଳରେ ନରହି ଜଙ୍ଗଲଯାକ ନିର୍ଭୟରେ ଚରାବୁଲା କରୁଥାଏ ।
ସନ୍ଧ୍ୟା ହେଲେ ସବୁ ଓଟ ଫେରିଆସନ୍ତି । କିନ୍ତୁ ସେ ସେମାନଙ୍କ ସହିତ ନଆସି ବୁଲାବୁଲି କରି ଡେରିରେ ଆସେ । ଅନ୍ୟ ଓଟମାନେ ତାକୁ ଡେରିରେ ଏକାକୀ ନ ଫେରିବାକୁ ଯେତେ ପରାମର୍ଶ ଦେଲେ ମଧ୍ୟ ସେ ସେଗୁଡିକୁ ଖାତିର୍ କରୁନଥାଏ ।
ଦିନକର କଥା, ସନ୍ଧ୍ୟା ହେବାରୁ ସମସ୍ତେ ଘରକୁ ଫେରିଲେ । କିନ୍ତୁ ଯୁବକ ଓଟଟି ତା’ର ପ୍ରତିଦିନ ପରି ପଛରେ ରହିଥାଏ । ତା’ର ବେକରେ ବନ୍ଧାଯାଇଥିବା ଘଂଟି ଶବ୍ଦ ଶୁଣି ଏକ ସିଂହ ତାକୁ ଅନୁସରଣ କରି ଆସିଲା । କିଛି ସମୟ ପରେ ପୂରା ଅଂଧାର ହୋଇଗଲା । ସୁଯୋଗ ଦେଖି ସିଂହ ସଂଗେ ସଂଗେ ଯୁବକ ଓଟର ବେକ ମୋଡି ମାରିଦେଲା । ଜୀବନ କାଳ ମଧ୍ୟରେ ଯଦି ଓଟଟି ଅଗ୍ରଜ ମାନଙ୍କ ଉପଦେଶ ଶୁଣି ଥାଆନ୍ତା, ତା’ହେଲେ ତାକୁ ଏପରି ଅବସ୍ଥା ଭୋଗ କରିବାକୁ ପଡି ନଥାନ୍ତା ।
କାହାଣୀଟି ଶୁଣିସାରି କୁମ୍ଭୀର କହିଲା, ‘ବନ୍ଧୁ! ଯେଉଁ ବ୍ୟକ୍ତି ସର୍ବଦା ପରର ମଂଗଳ କାମନା କରିଥାଏ ସେ ତା’ର ଜୀବନରେ କଦାପି କଷ୍ଟ ପାଏ ନାହିଁ ।’ କିନ୍ତୁ ମୁଁ ତୁମ ସହିତ ବିଶ୍ୱାସ ଘାତକତା କଲି । ମୋର ସ୍ଥାନ ନର୍କରେ । ତୁମେ ମୋତେ ନାନାଦି ସତ୍ ଉପଦେଶ ଦେଇ ଅଶେଶ ପୁଣ୍ୟର ଅଧିକାରୀ ହୋଇ ପାରିଛ । ତେଣୁ ବନ୍ଧୁ, ଦୟାକରି ମୋତେ ଶେଷଥର ପାଇଁ ଆଉ ଏକ କାହାଣୀ କହି ଉପଦେଶ ପ୍ରଦାନ କର । କୁମ୍ଭୀରର କଥା ଶୁଣି ମାଙ୍କଡ କହିଲା, ‘ତେବେ ମୋର ଗୋଟେ କଥା ଶୁଣ । ପ୍ରଥମେ ତୁମେ ଘରକୁ ଯାଇ ତୁମ ଘର ଅଧିକାର କରି ରହିଥିବା ଶତ୍ରୁ ସହିତ ଯୁଦ୍ଧ କର । ଯଦି ଯୁଦ୍ଧରେ ତୁମେ ଜିତିଲ ତୁମର ଖ୍ୟାତି ନିଶ୍ଚୟ ବଢିବ । ଆଉ ଯଦି ଯୁଦ୍ଧରେ ତୁମେ ହାରିବ ବା, ମୃତ୍ୟୁ ବରଣ କର ତା’ହେଲେ ତୁମେ ସ୍ୱର୍ଗକୁ ଯିବ । ଶାସ୍ତ୍ର ପୁରାଣରେ କୁହାଯାଇଛି, ଭଦ୍ରବ୍ୟକ୍ତିଙ୍କୁ ନମ୍ର ସ୍ୱଭାବ, ବୀରକୁ ଅନ୍ୟ ଏକ ବୀର ସହିତ ଶତ୍ରୁତା ଜନ୍ମାଇ, ନୀଚମନା ବ୍ୟକ୍ତିଙ୍କୁ କିଛି ଦାନ ଦେଇ ଏବଂ ଶକ୍ତିବାନ୍ ବ୍ୟକ୍ତିଙ୍କୁ ନିଜର ଶକ୍ତି ଦ୍ୱାରା ସର୍ବଦା ବଶ କରିବା ଉଚିତ୍ । ଏ ସଂପର୍କରେ ମୁଁ ତୁମକୁ ଏକ ଗଳ୍ପ କହୁଛି ଶୁଣ ।