ଲୋକଟିର କଥା ଶୁଣିବାପରେ, ବିରବଲ ଘୋଡାଟିକୁ ନେଇ ତାଙ୍କ ଘରେ ଥିବା ଘୋଡାମାନଙ୍କ ମେଳରେ ବାନ୍ଧିଦେଲେ । ତହିଁ ଆରଦିନ ଯେମିତି ଦୁଇଜଣଯାକ ଆସି ବିରବଲଙ୍କ ଘରେ ପହଁଚିଛନ୍ତି, ବିରବଲ ସଂଗେ ସଂଗେ ରବିଶର୍ମାଙ୍କୁ ଡାକି ନେଇ ଘୋଡା ଶାଳକୁ ଚାଲିଗଲେ ଏବଂ କେଉଁଟା ତାଙ୍କ ଘୋଡା ବୋଲି ବାଛିବାକୁ କହିଲେ । ବିଚରା ରବି ଶର୍ମା ଏତେ ଗୁଡିଏ ଘୋଡାଙ୍କ ମଧ୍ୟରୁ କାହାକୁ ବାଛି ପାରିଲେ ନାହିଁ । ଏହାପରେ ବିରବଲ ଚନ୍ଦ୍ରବର୍ମାଙ୍କୁ ନେଇ ଘୋଡା ଶାଳକୁ ଗଲେ । ଚନ୍ଦ୍ରବର୍ମାଙ୍କୁ ଦେଖିବା ମାତ୍ରକେ ଘୋଡାଟି ଜୋର୍ରେ ବୋବାଇଲା । ଯେମିତି ଘୋଡାକୁ ଫିଟାଇ ଦେଲେ, ସଂଗେ ସଂଗେ ସେ ଚନ୍ଦ୍ରବର୍ମାଙ୍କ ପାଖକୁ ଚାଲିଆସିଲା । ଚନ୍ଦ୍ରବର୍ମା ତାଙ୍କ ଘୋଡାକୁ ଘୋଡାଶାଳରୁ ନେଇ ଆସିଲେ ।
ଏହା ଦେଖି ରବି ଶର୍ମା ସଂଗେ ସଂଗେ ନିଜର ଭୁଲ ବୁଝି ପାରି ବିରବଲଙ୍କ ପାଦତଳେ ପଡିଗଲେ । ଏବଂ ତାଙ୍କୁ କ୍ଷମା କରିଦେବାପାଇଁ କହିଲେ । ଚନ୍ଦ୍ରବର୍ମା ନିଜ ଘୋଡାକୁ ପାଇ ପୁରା ଖୁସି । ସେ ମନେ ମନେ ଭାବୁଥାଆନ୍ତି, ପ୍ରକୃତରେ ବିରବଲଙ୍କର ତୁଳନା ନାହିଁ । ଚତୁର ପଣରେ କେହି ତାଙ୍କ ସମକକ୍ଷ ହେବେ ନାହିଁ । ଏହା ଭାବି ଚନ୍ଦ୍ରବର୍ମା ବିରବଲଙ୍କୁ ଧନ୍ୟବାଦ୍ ଦେଲେ । ସଂଗେ ସଂଗେ ବିରବଲ କହିଲେ, “ମହାରାଜ! ଆପଣ ମୋର ଅତିଥି । ଆପଣ ମୋର ସମ୍ମାନର ଯୋଗ୍ୟ । ଆପଣ କ’ଣ ମୋତେ ଧନ୍ୟବାଦ ଅର୍ପଣ କରୁଛନ୍ତି?”
ବିରବଲଙ୍କ କଥା ଶୁଣି ଚନ୍ଦ୍ରବର୍ମା ଆଶ୍ଚର୍ଯ୍ୟ ହୋଇଗଲେ । ସେ ବିରବଲଙ୍କୁ ତାଙ୍କ ସଂପର୍କରେ କେମିତି ଜାଣିଲେ ବୋଲି ପଚାରିବାରୁ ବିରବଲ ଗୁପ୍ତଚର ଜରିଆରେ ଜାଣି ପାରିଛନ୍ତି ବୋଲି କହିଲେ । ରାଜା ଚନ୍ଦ୍ରବର୍ମା ବିରବଲ କେମିତି ଘୋଡାଟି ତାଙ୍କର ବୋଲି ଜାଣିପାରିଲେ, ଏହି ପ୍ରଶ୍ନ ପଚାରିବାରୁ ବିରବଲ ସରଳ ଭାବରେ ବୁଝାଇ ଦେଇ କହିଲେ, “ମହାରାଜ! ଘୋଡାଟି ସବୁ ସମୟରେ ତା’ର ମୁନିବକୁ ହିଁ ଅନୁସରଣ କରିଥାଏ । ଆପଣ ଆଜି ଯେମିତି ଘୋଡା ଶାଳକୁ ଯାଇଛନ୍ତି ଘୋଡାଟି ଆପଣଙ୍କୁ ଦେଖି ଯେମିତି ହେଲା ମୁଁ ସେଇଥିରୁ ଅନୁମାନ କରିଥିଲି ଯେ ଘୋଡାଟି ଆପଣଙ୍କର ।
ବିରବଲଙ୍କ କଥା ଶୁଣି ଚନ୍ଦ୍ରବର୍ମା ଖୁସି ହୋଇ ନିଜ ଆଙ୍ଗୁଠିରୁ ମୁଦି ବାହାର କରି ବିରବଲଙ୍କୁ ପିନ୍ଧାଇ ଦେଲେ ।