ତ୍ରିରୂପ ଦେଶର ରାଜକୁମାରୀ ଚନ୍ଦ୍ରମତୀ ଅତି ସୁନ୍ଦରୀ ଓ ଗୁଣବତୀ ଥିଲେ । ଥରେ ସେ ବିଚିତ୍ରତାରେ ପୂର୍ଣ୍ଣ ବିରୁପ ଦେଶକୁ ବୁଲିବାକୁ ଗଲେ । ସେଠାରେ ସେ ପହଁଚିବା ମାତ୍ରେ ସେଠାକାର ଯୁବରାଜ ବୀରସେନ ତାଙ୍କୁ ସ୍ୱାଗତ କଲେ ଓ ତାଙ୍କୁ ସାରାଦେଶ ବୁଲାଇ ଦେଖାଇଲେ । କିଛିଦିନ ଏକାଠି ରହିବା ଦ୍ୱାରା ସେ ଦୁହିଁଙ୍କ ମନ ଦୁହିଁଙ୍କ ପ୍ରତି ଆକର୍ଷିତ ହେଲା । କିଛି ଦିନ ପରେ ଚନ୍ଦ୍ରମତୀ ନିଜ ଦେଶକୁ ଫେରି ଆସିଲେ ।
ତା’ପରେ ଚନ୍ଦ୍ରମତୀଙ୍କ ପିତା ରାଜା ସ୍ୱୟମ୍ବର ସଭା ପାଇଁ ଦିନ ସ୍ଥିର କରି ପଡୋଶୀ ରାଜ୍ୟମାନଙ୍କୁ ନିମନ୍ତ୍ରଣ ପଠାଇଲେ । ଅନେକ ରାଜକୁମାର ଆସିଲେ । ବୀରସେନ ମଧ୍ୟ ଆସିଲେ । କିନ୍ତୁ ଠିକ୍ ପୂର୍ବଦିନ ଘୋରକ ନାମକ ଏକ ତାନ୍ତ୍ରିକ ରାକ୍ଷସ ଚନ୍ଦ୍ରମତୀଙ୍କୁ ଅପହରଣ କରି ନେଲା । ଘୋରକ, ରାକ୍ଷସ; ତେଣୁ ଶରୀରରେ ତା’ର ବଳ ଅମାପ; ପୁଣି ତାନ୍ତ୍ରିକ, ତେଣୁ ତା’ର କେହି କିଛି ହେଲେବି କରିପାରୁ ନଥିଲେ । ବୀରସେନ ତାଙ୍କ ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ଘୋରକର ରାଜ୍ୟକୁ ଗଲେ । ରାଜ୍ୟମାନେ ଏକ ନିବିଡ ଘନ ଜଙ୍ଗଲ । ସେଠାରେ ପହଁଚି ସେ ଦେଖିଲେ ଅନ୍ୟ କେତେଜଣ ରାଜପୁତ୍ର ମଧ୍ୟ ଚନ୍ଦ୍ରମତୀଙ୍କୁ ମୁକ୍ତ କରିବା ପାଇଁ ଆସିଛନ୍ତି । ଘୋରକ ଏକଥା ଜାଣି ପାରି ମନ୍ତ୍ର ବଳରେ ସେମାନଙ୍କୁ, ଝିଟିପିଟି, ବେଙ୍ଗ ଓ ବଗ ପ୍ରଭୃତି କରି ଦେଇ କହିଲା, “ଯାଅ, ଏଠାରୁ ଗଲେ ନିଜ ନିଜର ମନୁଷ୍ୟ ଶରୀର ପାଇବ । ନତୁବା ଯେଉଁ ପଶୁ ବା ପକ୍ଷୀ ହୋଇଛ ସେତିକି ଜୀବନ ନେଇ ଶୀଘ୍ର ମରିବ ।”
ରାକ୍ଷସ ଏତକ କହି ପଳାଇଲା । ଏମାନେ ଜଙ୍ଗଲର ସୀମା ବାହାରକୁ ଯିବାକୁ ପ୍ରାଣପଣେ ଚେଷ୍ଟାକଲେ । କେତେକଙ୍କୁ ସାପ ଖାଇଗଲା, କିଏ ବା ବଡ ବଡ ପଶୁଙ୍କ ପାଦରେ ଦଳି ହୋଇଗଲେ । ଅଳ୍ପ କେତେକ ମାତ୍ର କୌଣସିମତେ ବଂଚି ବାହାରକୁ ଆସିଲେ; କିନ୍ତୁ ଅନ୍ୟମାନଙ୍କୁ ସାବଧାନ କରି ଦେବାକୁ ଜଙ୍ଗଲର ସେହି ସୀମା ପାଖରେ କେହି କେହି ରହିଲେ ।
ସେମାନେ ବୀରସେନଙ୍କୁ କହିଲେ, “ଏହି ଜଙ୍ଗଲରେ ଥିବା ଘୋରକର ସମ୍ମୁଖୀନ ହୋଇ ବଂଚି ରହିଲେ ଯଥେଷ୍ଟ ଭାଗ୍ୟର କଥା । ବରଂ ଚନ୍ଦ୍ରମତୀକୁ ଭୁଲିଯାଇ ତୁମେ ଏଠାରୁ ଫେରି ଯାଅ ।”
ବୀରସେନ କହିଲେ, “ତୁମ କଥା ଓ ମୋ କଥା ଭିନ୍ନ । କାରଣ ଚନ୍ଦ୍ରମତୀ ବିନା ଜୀବନରେ ମୂଲ୍ୟ ନାହିଁ, ଯଦି ସେଥିପାଇଁ ପ୍ରାଣ ଯାଏ ତ ଏହା ଅତି ଆନନ୍ଦର କଥା । ମୁଁ ତ ଯେପରି ହେଲେ ଯିବି ।” ଏତିକି କହି ସମସ୍ତିଙ୍କ ବାଧା ସତ୍ତ୍ୱେ ସେ ଜଙ୍ଗଲରେ ପ୍ରବେଶ କଲେ ।
ଜଙ୍ଗଲ ଉଚ୍ଚ ବୃକ୍ଷଶ୍ରେଣୀରେ ପୂର୍ଣ୍ଣ ଥିଲା । ରାସ୍ତା ନଥିଲା । ତଥାପି ସେ ଚାଲିଲେ । କିନ୍ତୁ ଅଳ୍ପ ବାଟ ଯିବା ପରେ କିଏ ପଛରୁ ଆସି ଆଖି ବୁଜି ଧରିଲା । ବହୁଚେଷ୍ଟା କରି ଆଖି ଖୋଲି ସେ ଦେଖିଲେ ଯେ ତାଙ୍କ ସମ୍ମୁଖରେ ଏକ ବିରାଟ ଦାନବ ଛିଡା ହୋଇଛି, ତା’ର ଆଖି ଦୁଇଟିରୁ ସତେକି ନିଆଁ ବର୍ଷୁଛି । ତା’ କେଶଗୁଡା କଂଟା ପରି । ସେ କହିଲା, “ମୋ ନାମ ଘୋରକ । ଅରଣ୍ୟର ବାହାରେ ରାଜକୁମାରମାନେ ତ ତୁମକୁ ନିଶ୍ଚୟ ସାବଧାନ କରିଥିବେ । ତଥାପି ତୁମେ ଭିତରକୁ ଆସିବାକୁ ସାହସ କିପରି କଲ? ଏହିଥିରୁ ଜଣାପଡୁଛି ଯେ ତୁମର ସାହସ ଅତୀବ ପ୍ରଶଂସନୀୟ । କ’ଣ ମୋତେ ମାରିବାକୁ ଆସିଛ?” ଏତିକି କହି ସେ ଅଟ୍ଟହାସ୍ୟ କଲା ।