ବୀରସେନ ନିର୍ଭୀକ ଭାବରେ କହିଲେ, “ମୁଁ ତୁମକୁ ମାରିବାକୁ ଆସିନାହିଁ; ଚନ୍ଦ୍ରମତୀକୁ ମୁଁ ଭଲପାଏ; ତେଣୁ ତାକୁ ରକ୍ଷା କରିବାକୁ ଆସିଛି ।”
ଘୋରକ କହିଲା “ତୁମର ପ୍ରେମ ଯୋଗୁଁ ତୁମକୁ ପ୍ରାଣ ଦେବାକୁ ହେବ । ଚୁପ୍ଚାପ୍ ଏଠାରୁ ତୁମେ ଚାଲିଯାଅ, ମୁଁ ତୁମର କିଛି ହେଲେବି କ୍ଷତି କରିବି ନାହିଁ ।”
ସେ ଦୃଢସ୍ୱରରେ କହିଲେ “ମୁଁ ଚନ୍ଦ୍ରମତୀଙ୍କୁ ଚାହେଁ । ତାଙ୍କ ବ୍ୟତୀତ ମୋର ଏ ଜୀବନ ରହିବା ନ ରହିବା ସହ ସମାନ ।”
ସପ୍ରଶଂସ ଦୃଷ୍ଟିରେ ଘୋରକ ତାଙ୍କୁ ଚାହିଁ କହିଲା, “ଯଦି ତୁମେ ତାହାହିଁ ସ୍ଥିର କରିଛ, ତେବେ ଗୋଟିଏ ଉପାୟ କର, ଯଦ୍ୱାରା ଚନ୍ଦ୍ରମତୀ ସହିତ ତୁମେ ଦେଖା କରିପାରିବ । ଫୁଟୁଥିବା ଗରମ ପାଣିରେ ତୁମେ ସ୍ନାନ କରି ପାରିବ? ତେବେ ମୁଁ ଜାଣିବି ଚନ୍ଦ୍ରମୁଖୀ ସହିତ ଦେଖା କରିବାର ଯୋଗ୍ୟତା ତୁମର ଅଛି କି ନାହିଁ । ଯଦି ନ ପାରିବ ତେବେ ତୁମକୁ ମୁଁ ବେଙ୍ଗଟିରେ ପରିଣତ କରି ଦେବି । ତମେ ଜଙ୍ଗଲ ବାହାରକୁ ଗଲେ ନିଜରୂପ ପାଇବ, ନହେଲେ କୌଣସି ସାପ ବା ଅନ୍ୟ ପ୍ରାଣୀ ତୁମକୁ ଗିଳି ପକାଇବେ ।”
ବୀରସେନ କହିଲେ, “ମୁଁ ଫୁଟନ୍ତା ପାଣିରେ ସ୍ନାନ କରିବାକୁ ରାଜି ।” ଘୋରକ ତାଙ୍କୁ ଗୋଟାଏ ହାତରେ ଉଠାଇ ନେଇ ଚାଲିଲା । ଗୋଟିଏ ସ୍ଥାନରେ ବଡ ଚୁଲ୍ଲୀଟିଏ ଅଛି; ତହିଁ ଉପରେ ତମ୍ବାର ଏକ ବିରାଟ ପାତ୍ରରେ ପାଣି ଫୁଟୁଛି । ସେଥିରୁ ବାମ୍ଫ ବାହାରୁଛି । ଘୋରକ କହିଲା, “ଆଉ ଥରେ ଭଲକରି ଦେଖି ନିଅ ।” ବୀରସେନ ଦୃଢସ୍ୱରରେ କହିଲେ, “ମୋ ନିଷ୍ପତିରେ କୌଣସି ଦ୍ୱିଧା ନାହିଁ ।”
ଘୋରକ ତାଙ୍କୁ ଫୁଟନ୍ତା ପାଣିରେ ପକାଇ ଦେଲା । ସାରା ଦେହ ପୋଡି ଯିବାରୁ ସେ ଚିତ୍କାର କଲେ । ଘୋରକ କିନ୍ତୁ ନିଶ୍ଚିନ୍ତ ହୋଇ ହାଣ୍ଡି ଭିତରକୁ ଚାହିଁ ଦେଖୁଥାଏ । ବୀରସେନଙ୍କ ଦେହ ଭେଣ୍ଡି ପରି ହାଣ୍ଡି ଭିତରେ ସିଝୁଥାଏ କିଛି ସମୟ ଚିତ୍କାର କରି ସେ ନିସ୍ତେଜ ହୋଇ ଉପରକୁ ଭାସି ଉଠିଲେ । ଘୋରକ ଅନ୍ୟ ଏକ ମନ୍ତ୍ର ଉଚ୍ଚାରଣ କରିବାରୁ, ହାଣ୍ଡି, ଚୁଲ୍ଲୀ, ସବୁ କୁଆଡେ ଉଭେଇ ଗଲା ଓ ବୀରସେନ ସେଠାରେ ସୁସ୍ଥ ସବଳ ହୋଇ ଠିଆ ହେଲେ । ଘୋରକ ସନ୍ତୁଷ୍ଟ ହୋଇ କହିଲା, “ତୁମେ ଏବେ ମଧ୍ୟ ଜୀବିତ ରହିଛ? ତୁମେ ଏହିପରି ଭାବେ ତିନିଦିନ ସ୍ନାନ କରିବା ପରେ ମୁଁ ତୁମକୁ କହିଦେବି, କିପରି ଚନ୍ଦ୍ରମତୀ ସହିତ ଦେଖା କରିବ? ଏହି ସବୁ ଭୟଙ୍କର ଅନୁଭୂତି ଭିତର ଦେଇ ତୁମେ ଯାଇ ପାରିବ ତ ଠିକ୍ ଅଛି; ନଚେତ୍ କୁହ, ଏବେ ମଧ୍ୟ ସମୟ ଅଛି, ତୁମକୁ ମୁଁ ଏକ ବେଙ୍ଗ ବନାଇ ଛାଡି ଦେବି ।”
ବୀରସେନ କହିଲେ “ମୁଁ ଚନ୍ଦ୍ରମତୀଙ୍କୁ ଚାହେଁ । ଯାହା ତୁମେ କରିବ କର ।”
ଏହା ଶୁଣିବା ମାତ୍ରେ ଘୋରକ ତାଙ୍କୁ ପ୍ରଶଂସା କରି କହିଲା, “ରାଜକୁମାର, ଆଜି ପର୍ଯ୍ୟନ୍ତ କହିଦେଲେ ବି ଏପରି ସାହାସ କରି ନାହିଁ । ମୁଁ ବୁଝିପାରୁ ନାହିଁ ଯେ ଯାହାପାଇଁ ତୁମେ ଏତେ କଷ୍ଟ ସହୁଛ, ତା’ ସହିତ ତୁମର ପ୍ରେମର ଅର୍ଥ କ’ଣ? ଏହି ପ୍ରେମ କି ପ୍ରକାର ଠିକ୍? ନିଶ୍ଚୟ ତାହା କିଛି ଉତ୍ତମ ବିଷୟ ହୋଇଥିବ । ଠିକ୍ ଅଛି; ଚନ୍ଦ୍ରମତୀକୁ ପାଇବା ପାଇଁ ମୁଁ ତୁମକୁ ଉପାୟ କହି ଯାଉଛି ମନ ଦେଇ ତାହା ଶୁଣ ।
ଘୋରକ କହିଲା “ଏହି ଜଙ୍ଗଲର ଅନ୍ୟପଟରେ ଘୋରକୀ ନାମକ ଏକ ରାକ୍ଷସ ଅଛି । ବଳ, ପରାକ୍ରମ ଓ ଶକ୍ତିରେ ସେ ମୋର ସମାସ୍କନ୍ଧ । ତା’ପାଖରେ ଅଦ୍ଭୁତ କୁଙ୍କୁମ ଅଛି । ତାକୁ ଯଦି ତା’ଠାରୁ ଆଣି ମୋତେ ଦେଇପାରିବ ତ ଚନ୍ଦ୍ରମତୀକୁ ମୁଁ ଛାଡି ଦେବି ।”
ବୀରସେନ ପଚାରିଲେ “ସେହି କୁଙ୍କୁମର ବିଶେଷତ୍ୱ କ’ଣ? ତୁମେ ଯେଉଁ କାମ କରି ନ ପାରିଛ, ମୁଁ କିପରି ତାକୁ କରିବାକୁ ସକ୍ଷମ ହେବି?”
ଘୋରକ ବୁଝାଇ କହିଲା “ତେବେ ଶୁଣ । ମୋ ପାଖରେ ଏକ ଅଦ୍ଭୁତ ଡିବା ଅଛି । ସେଥିରେ ସେହି କୁଙ୍କୁମ ଭରି ନିଜ ପାଖରେ ରଖିଲେ ପୃଥିବୀର କୌଣସି ଶକ୍ତି ମୋର କିଛି ବି କ୍ଷତି କରିପାରିବ ନାହିଁ । ଶେଷକୁ ସେ ଘୋରକୀ ମଧ୍ୟ ମୋ ସମ୍ମୁଖରେ ମଥା ନତ କରି ରହିବ । ଘୋରକୀଠାରୁ ସେହି କୁଙ୍କୁମକୁ ପାଇବା କିଛି ସହଜ କଥା ନୁହେଁ । ତା’ଘରର ସୀମା ଭିତରେ ପ୍ରବେଶ କରିବାହିଁ ଅତି ଦୁଷ୍କର । ଫୁଟନ୍ତା ପାଣିକୁ ଯିଏ ସହିପାରେ ସେହିଁ କେବଳ ସେହି ସୀମା ମଧ୍ୟରେ ପଶି ପାରିବ । ମୁଁ ନିଜେ ମଧ୍ୟ ସାହସ କରି ପାରୁ ନାହିଁ । ଗରମ ପାଣିରେ ଡୁବିବା ପରି ସାମର୍ଥ୍ୟ ଥିବା କୌଣସି ବ୍ୟକ୍ତି ଏଠାକୁ ଆସୁ ବୋଲି ମୁଁ ଚନ୍ଦ୍ରମତୀକୁ ହରଣ କରିଥିଲି । ଏବେ କୁହ, ସାହସ କରି ଘୋରକୀର ସ୍ଥାନକୁ ଯାଇ କୁଙ୍କୁମ ନେଇ ଆସି ପାରିବ? ସେତିକି ସାହସ ଅଛି?”
ବୀରସେନ କହିଲେ, “ମୁଁ ଯଥା ଶକ୍ତି ଚେଷ୍ଟା କରିବି ।”