ସୋଭିଏତ୍ ଋଷର ଗୋଟିଏ ଛୋଟ ଗାଁ ଥାଏ। ସେଇ ଗାଆଁରେ ଜଣେ ଚାଷୀ ଲୋକର ତିନୋଟି ଝିଅ ଥିଲେ । ସେ ଝିଅମାନଙ୍କର ମାଆ ତ ମରିଯାଇଥିଲା । ତେଣୁ ସେହି ଝିଅମାନେ ନିଜର ବାପା ପାଖରେ ରହୁଥିଲେ । ମାଆ ମଲାଦିନୁ ଘରଯାକର ଦାୟିତ୍ୱ ସେ ସାନଝିଅ ମୁଣ୍ଡରେ । ବଡ ଦି’ ଉଉଣୀ କିନ୍ତୁ ଘରକାମରେ ମୋଟେ ମନ ଦିଅନ୍ତି ନାହିଁ । ବଡ ଦି’ ଭଉଣୀମାନେ ଖାଲି ସବୁବେଳେ ବେଶଭୂଷା ହୋଇ ଗାଁଯାକ ବୁଲୁଥାଆନ୍ତି । ତେଣୁ ସେ ସାନଝିଅଟି ଉପରେ ଚାଷୀଟି ଅତ୍ୟନ୍ତ ସୁଖୀ ଥାଏ । ତା’ପରି ଝିଅ ପାଇଥିବାରୁ ଚାଷୀଟି ନିଜକୁ ବଡ ଭାଗ୍ୟବାନ ବୋଲି ମନେ କରୁଥାଏ ।
ଦିନେ ସେହି ଚାଷୀଟି ଦୂର ସହରକୁ କୌଣସି ଏକ କାମରେ ବାହାରିଲା । ଯିବା ଆଗରୁ ଚାଷୀଟି ତା ବଡ ଝିଅ ଦୁହିଁଙ୍କୁ ଡାକି ପଚାରିଲା, ପିଲାଏ ମୁଁ ତୁମ ପାଇଁ କ’ଣ ଆଣିବି କୁହ । ତହୁଁ ଝିଅ ଦୁହେଁ କହିଲେ, “ବାପା! ଆମପାଇଁ ତୁମେ ଦାମିକା ତଥା ସଉକିନିଆ ପୋଷାକ ଆଣିବ ।” ତାପରେ ସାନଝିଅକୁ ମଧ୍ୟ ତା ବାପା ପଚାରିଲା, “ତୋର କ’ଣ ଦରକାର?” ସାନଝିଅଟି କହିଲା, “ମୋର କିଛି ବି ଦରକାର ନାହିଁ । ଯଦି ପାରିବ ଗୋଟିଏ ଗଣ୍ଡଭୈରବ ଚଢେଇର ପର ଆଣିବ ।”
ତାପରେ ଚାଷୀଟି ଯାଇ ସେହି ସହରରେ ପହଁଚିଲା । ଅଳ୍ପଦିନ ମଧ୍ୟରେ ସେ ଚାଷୀଟିର ସମସ୍ତ କାମ ସରିଯିବାରୁ ସେ ତା ଝିଅମାନଙ୍କର ବରାଦମୁତାବକ ଦାମିକା ପୋଷାକ କିଣିଲା । ମାତ୍ର ସେ ଯେତେ ବଜାର ବୁଲିଲା କେଉଁଠାରେ କେହିହେଲେ ବି ତାକୁ ସେ ଗଣ୍ଡଭୈରବ ଚଢେଇର ପର ବିଷୟରେ କିଛି କହିପାରିଲେ ନାହିଁ । ଶେଷକୁ ବୁଢାଟି ହତାଶ ମନରେ ଷ୍ଟେସନକୁ ଫେରିଆସିଲା । ତାର ସାନଝିଅଟିର ମନ କଥା ପୂରଣ ନ କରିପାରିବାରୁ ଚାଷୀଟିର ମନ ଖୁବ୍ ଦୁଃଖ ହେଉଥାଏ । ଏହି ସମୟରେ ଜଣେ ବୁଢା ବାମନ ସହିତ ଏ ଚାଷୀଟିର ହଠାତ୍ ସାକ୍ଷାତ ହେଲା । ଚାଷୀଟି ସେଇ ବାମନ ବୁଢାକୁ ପଚାରିଲା – “ମଉସା, ତୁମ ସହରରେ କେଉଁଠି ଗଣ୍ଡଭୈରବ ଚଢେଇର ପର ମିଳିବ ତା ତୁମେ ମୋତେ କହିପାରିବ?” ସଙ୍ଗେ ସଙ୍ଗେ ବାମନଟି ଟିକେ ମୁରୁକି ହସି କହିଲା, “ମୁଁ ସେ ପରଟି ଦେଇ ପାରିବି । ମାତ୍ର ମୋତେ ତୁମକୁ ଶହେଟି ମୁଦ୍ରା ଦେବାକୁ ପଡିବ ।”
ଏକଥା ଶୁଣି କୃଷକଟି କହିଲା, “ଯେତେ ପଇସା ହେଉ ପଛେ ମୁଁ ତା ଦେବି । ମୋତେ କିନ୍ତୁ ଏ ପରଟି ଦିଅ ।” ସେ ଚାଷୀଟି ଶହେଟି ମୁଦ୍ରା ଦେଇ ବାମନଠାରୁ ମାମୁଲି ପରଟିଏ କିଣିଲା । ଏସବୁ ଘଟଣାରୁ ସେ ଚାଷୀଟି ଆଦୌ କିଛି ବି ବୁଝି ପାରିଲା ନାହିଁ, ଏଇ ପରଟି ମୋ ସାନ ଝିଅର କେଉଁ କାମରେ ଲାଗିବ ।
ଘରକୁ ଫେରି ଆସିଲା ପରେ ବଡ ଦୁଇଝିଅ ବରାଦମୁତାବକ ଦାମିକା ପୋଷାକ ପାଇ ଭାରି ଖୁସି ହେଲେ । ସେ ସବୁ ପୋଷାକ ପିନ୍ଧି ପକାଇ ସେମାନେ ତୁରନ୍ତ ଗାଆଁ ବୁଲିବାକୁ ବାହାରି ପଡିଲେ ।