ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚତୁର ଇଭାନ୍

ପ୍ରାଚୀନ କାଳର କଥା । ରୁଷିଆ ଦେଶରେ ଜଣେ ରାଜା ରାଜୁତି କରୁଥିଲେ । ତାଙ୍କର ଥିଲେ ତିନିପୁଅ । ସେ ତିନିପୁଅଙ୍କ ମଧ୍ୟରୁ ସାନପୁଅ ଇଭାନ୍ ଥିଲା ଅତ୍ୟନ୍ତ ଚତୁର । ରାଜା ତାଙ୍କୁ ସାନପୁଅ ବୋଲି ଯେତିକି ଗେହ୍ଲା କରୁଥାଆନ୍ତି, ତାର ବୁଦ୍ଧି ପାଇଁ ମଧ୍ୟ ତାକୁ ସେତିକି ପ୍ରଂଶସା କରୁଥାଆନ୍ତି । ସେ ରାଜାଙ୍କର ସୁନ୍ଦର ବଗିଚାଟିଏ ଥାଏ । ସେଠାରେ କେତେ ରକମର ଫୁଲ ଫଳର ଗଛ ଥାଏ । ରାଜା ବି ସେ ବଗିଚାର ଅତ୍ୟନ୍ତ ଯତ୍ନ ନେଉଥାଆନ୍ତି । ସେଇ ବଗିଚାରେ ଗୋଟିଏ ଆତ ଗଛ ଥାଏ । ସେ ଗଛରେ କେବଳ ସୁନାର ଆତ ହିଁ ଫଳେ । ଦିନେ ରାଜା ତାଙ୍କ ବଗିଚାରେ ବୁଲୁ ବୁଲୁ ଦେଖିଲେ, ତାଙ୍କର ସୁନା ଆତ କେହି ଜଣେ ଚୋରାଇ ନେଇ ଯାଉଛି । ଏସବୁ ଦେଖି ରାଜା ଖୁବ୍ ମନ ଦୁଃଖରେ ଭାଙ୍ଗିପଡିଲେ । ସେ ରାଜାଙ୍କର ଜଗୁଆଳମାନେ ଯେତେ ସାବଧାନ ହେଲେ ମଧ୍ୟ ପ୍ରତିଦିନ ସୁନା ଆତ ଚୋରି ହେବାକୁ ଲାଗିଲା । ଦିନେ ରାଜା ତାଙ୍କ ପୁଅମାନଙ୍କୁ ଡାକି ସୁନା ଆତର ଚୋରକୁ ଧରିବା ପାଇଁ ଆଦେଶ ଦେଲେ । ବଡ ଦୁଇପୁଅଯାକ ଠିକ୍ ରାତି ଅଧଯାଏଁ ଚେଇଁ ରହି ଦେଖିଲେ, କାହିଁ କେହି ଚୋର ତ ଆସୁନାହାଁନ୍ତି । ତେଣୁ ସେମାନେ ପାହାନ୍ତା ପହରକୁ ଘୁମାଇ ପଡିଲେ । ଠିକ୍ ସେହି ସମୟରେ ଆତ ଚୋରି ହୋଇଗଲା । ଶେଷରେ ପଡିଲା ରାଜାଙ୍କ ସାନପୁଅର ପାଳି । ଇଭାନ୍ ତ ରାତିଯାକ ସେ ବଗିଚାରେ ଖାଲି ବୁଲୁଥାଏ । ଆଖିରେ ତାର ଘୁମ୍ ଆସିଲାକ୍ଷଣି ଇଭାନ୍ କାକର ଲଗାଇ ନିଜ ନିଦ ଭାଙ୍ଗି ଦେଉଥାଏ । ଠିକ୍ ପାହାନ୍ତା ପହରକୁ ଇଭାନ୍ ଦେଖିଲା ଗୋଟିଏ ହୁଳୁହୁଳା ଚଢେଇ ସେ ଆତ ଗଛରେ ବସିଛି । ତାର ଦେହଯାକ ଖାଲି ସୁନାର ପର । ଇଭାନ୍ ସଙ୍ଗେ ସଙ୍ଗେ ସେ ଆତ ଗଛକୁ ଚଢିଯାଇ ସେ ହୁଳୁହୁଳା ଚଢେଇର ଲାଞ୍ଜକୁ ଧରି ପକାଇଲା । ଚଢେଇଟି ଉଡିଗଲା ସିନା କିନ୍ତୁ ରଜାପୁଅ ହାତରେ ସୁନା ପରଟିଏ ଲାଗି ରହିଲା ।

ସକାଳୁ ଦରବାର ବସିଲା । ରାଜା ତାଙ୍କ ସାନପଅକୁ ସେ ଆତ ଚୋର ବିଷୟରେ ପଚାରିଲେ । ଇଭାନ୍ କହିଲା, “ମୁଁ ସେ ଚୋରକୁ ସିନା ଅଟକାଇ ପାରିଲି ନାହିଁ । ହେଲେ ପ୍ରକୃତ ଚୋର କିଏ ତାହା ଜଣାପଡିଛି ।” ଏହା କହି ସୁନା ପରଟିକୁ ଇଭାନ୍ ରାଜାଙ୍କ ଆଗରେ ଥୋଇଦେଲା । ରାଜା ସୁନାଚଢେଇର କଥା ଜାଣି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ସେ ତ ଭାରି ମନୁଆ ଲୋକ । ତିନିପୁଅଙ୍କୁ ସେ ଆଦେଶ ଦେଲେ, ଯେ ସେ ଆତ ଚୋରକୁ ଧରିଆଣିବ, ସେ ହେବ ମୋ ସିଂହାସନର ଉତ୍ତରାଧିକାରୀ । ତହୁଁ ତିନି ଭାଇ ତିନୋଟି ଘୋଡା ଚଢି ସେ ସୁନା ଚଢେଇ ଖୋଜିବା ପାଇଁ ତିନିଦିଗକୁ ଚାଲିଲେ । ସାନ ଭାଇ ଇଭାନ୍ ଅନେକ ବାଟ ଘୋଡାରେ ଗଲାପରେ ସେ ଗୋଟିଏ ବଗିଚା ପାଖରେ ଥକା ମାରିବା ପାଇଁ ଓହ୍ଲାଇ ପଡିଲା । ଗୋଟିଏ ଗଛ ମୂଳେ ବସୁ ବସୁ କେତେବେଳେ ଯେ ତାକୁ ନିଦ ଲାଗିଯାଇଛି । ରାତି ପାହି ସକାଳ ହେଲା । ଇଭାନ୍ ଆଖି ମଳି ଉଠିଲାବେଳକୁ ବେଳ ତ ଆସି ପହରେ ହେଲାଣି । ତାପରେ ସେ ତାର ଘୋଡାକୁ ଖୋଜିବସିଲା । ସେ ଘୋଡାଟି ଯେଉଁ ଗଛ ମୂଳେ ବନ୍ଧା ହୋଇଥିଲା ସେଠାରେ ଯାଇ ଇଭାନ୍ ଦେଖିଲାବେଳକୁ ଘୋଡା ବଦଳରେ ତାର ହାଡଯାକ ସେଠାରେ ଜମା ହୋଇଛି । ଏସବୁ ଦେଖି ଇଭାନ୍ ମନଦୁଃଖରେ ଭାଙ୍ଗିପଡି କେବଳ କାନ୍ଦିବାକୁ ଲାଗିଲା । ସେ ଏବେ ଆଉ କ’ଣ କରିବ! ତାପରେ ମନ ଦୁଃଖରେ ସେ ଚାଲିବାକୁ ଲାଗିଲା । କେତେବାଟ ଗଲାପରେ ଇଭାନ୍ ଗୋଟିଏ ବଣ ପାଖରେ ଗଛ ମୂଳେ ଛାଇରେ ବସି ପଡିଲା । ତାର ତ ଗୋଡ ହାତ ଭାଙ୍ଗିପଡୁଥାଏ । ଠିକ୍ ଏତିକିବେଳେ ସେଠାରେ କୁଆଡୁ ଆସି ଗୋଟାଏ ହେଟାବାଘ ପହଁଚିଲା । ସେ ଇଭାନ୍କୁ ପଚାରିଲା, “ତୁ ଏଠି ଏପରି ମନଦୁଃଖ କରି କାହିଁକି ବସିଛୁ?” ଇଭାନ୍ କହିଲା, “ମନଦୁଃଖ ନ କରିବା ଛଡା ଏବେ ଆଉ ମୋର ଉପାୟ କ’ଣ? ମୋର ଘୋଡାଟି ଥିଲା ଏକମାତ୍ର ଆଶ୍ରୟ । ତାକୁ ତ କିଏ ଖାଇଗଲା । ସେ ସୁନା ଚଢେଇ ଖୋଜିବା ବୋଧ ହୁଏ ମୋର କପାଳରେ ଆଉ ନାହିଁ । ତେଣୁ ବାପାଙ୍କ ରାଜଗାଦୀକୁ ମୁଁ ଆଉ କାହିଁକି ବା ଆଶା କରିବି?”


ଗପ ସାରଣୀ

ତାଲିକାଭୁକ୍ତ ଗପ