ଏଥର ବି ସେ ରାଜକୁମାର ଇଭାନ୍ ମନ ଦୁଃଖରେ ହେଟାବାଘ ପାଖରେ ଆସି କ୍ଷମା ମାଗିଲା । ହେଟା କହିଲା, “ଏବେ ଆଉ ବ୍ୟସ୍ତ ହୋଇ ଲାଭ କଅଣ? ଏଥର ମୁଁ ସେ ରାଜକନ୍ୟାକୁ ନେଇ ଆସିବି । ତୁ କେବଳ ସେ ରାଜନଅର ବାହାରେ ଅପେକ୍ଷା କରିଥିବୁ ।”
ଇଭାନ୍ ହେଟା କଥାରେ ହଁ ଭରି ସେ ରାଜନଅର ବାହାରେ କେବଳ ଅପେକ୍ଷା କଲା । ଏବେ ସେ ହେଟାବାଘଟି ରାଜନଅର ଭିତରେ ପଶି ରାଜାଝିଅ ହେଲେନ୍କୁ କାଖେଇ ବାହାରକୁ ପଳାଇ ଆସିଲା । ପୃଥିବୀରେ ପୁଣି ଏଡେ ସୁନ୍ଦରୀ ଥାଆନ୍ତି । ସେ ରାଜା ଝିଅକୁ ଦେଖି ଇଭାନ୍ ଯେତିକି ଖୁସୀ ହେଲା, ସେତିକି ବି ମନ ଦୁଃଖ କଲା । ହେଟାବାଘ କିନ୍ତୁ ସେ ରଜାପୁଅର ମନକଥା ବୁଝିପାରିଲା । ତହୁଁ ସେ ହେଟା ରଜାପୁଅକୁ କହିଲା, “ତୁ ଆଦୌ ବ୍ୟସ୍ତ ହୁଅନାହିଁ । ଏଇ ରଜାଝିଅକୁ ଆମେ ବାହାରେ କୁଆଡେ ଲୁଚାଇ ଦେବା । ମୁଁ ନିଜେ ରଜାଝିଅ ବେଶରେ ସେ ରାଜନବରକୁ ଯିବି । ତୁ ସେ ସୁନା ଘୋଡାକୁ ନେଇ ଆସିଲେ ମୁଁ ବି ସେଠାରୁ ପଳାଇ ଆସିବି ।”
ଠିକ୍ ସେହିପରି ଘଟଣା ହେଲା । ସେ ରାଜ୍ୟର ରାଜା ରାଜକୁମାରୀ ସାଜିଥିବା ଗଧିଆକୁ ପାଇ ସବୁ କିଛି ଭୁଲିଗଲେ ଏବଂ ଉଭାନ୍କୁ ସୁନାଘୋଡା ଓ ସୁନାହାଉଦା ଦେଇ ତାକୁ ସେଠାରୁ ବିଦାୟ ଦେଲେ । ଇଭାନ୍ ସେ ରାଜ୍ୟର ସୀମା ପାରି ହୋଇନାହିଁ, ହେଟାବାଘ ଆସି ତାଙ୍କ (ଇଭାନ୍ଙ୍କ) ପାଖରେ ହାଜର ।
ତାପରେ ସେମାନେ ଯାଇ ପହଁଚିଲେ ସୁନାଚଢେଇ ଥିବା ରାଜ୍ୟରେ । ସେଠାରେ ମଧ୍ୟ ହେଟାବାଘ ସୁନା ଘୋଡାରୂପରେ ଇଭାନ୍ ସାଙ୍ଗରେ ଗଲା । ଏଣେ ଅସଲ ସୁନାଘୋଡା ଓ ରାଜକୁମାରୀ ହେଲେନ୍ ବାହାରେ ଅପେକ୍ଷା କଲେ । ଛଦ୍ମ ସୁନାଘୋଡା ପାଇ ରାଜା ଇଭାନ୍କୁ ସୁନାପଞ୍ଜୁରୀ ସହିତ ସୁନାଚଢେଇକୁ ବି ଦେଇଦେଲେ । ଇଭାନ୍ ଏଥର ମନଆନନ୍ଦରେ ସେ ସୁନାଚଢେଇ, ସୁନାଘୋଡା ଓ ସୁନ୍ଦରୀ ହେଲେନ୍କୁ ନେଇ ନିଜ ରାଜ୍ୟକୁ ବାହାରିଲା । ହେଟାବାଘ ବି ଇଭାନ୍ ଠାରୁ ଅଧା ବାଟରୁ ବିଦାୟ ନେଲା ।
ଇଭାନ୍ ଯାଉ ଯାଉ ବାଟରେ ତା ଦୁଇ ବଡ ଭାଇକୁ ଭେଟିଲା । ସେମାନେ ଇଭାନ୍ର ସଫଳତା ଦେଖି ମନେ ମନେ ଖୁବ୍ ଈର୍ଷା କରିବାକୁ ଲାଗିଲେ । ତେଣୁ ଇଭାନ୍କୁ କୌଶଳ କରି ଭୁଲାଇ ତା ବଡଭାଇମାନେ ଖାଇବା ପଦାର୍ଥରେ ବିଷ ଦେଇ ଇଭାନ୍କୁ ମାରିଦେଲେ । ଇଭାନ୍ ମରିଯିବାରୁ ହେଲେନ୍, ସୁନାଘୋଡା ଓ ସୁନାପକ୍ଷୀକୁ ଧରି ତା ବଡଭାଇ ମାନେ ନିଜ ରାଜ୍ୟକୁ ଚାଲିଲେ । ହେଟାବାଘଟି ଏହା ଜାଣିପାରି ବଣରୁ ଔଷଧ ଆଣି ଇଭାନ୍କୁ ଦେଲା । ଇଭାନ୍ ସେ ଫଳ ଖାଇ ପୁଣି ଥରେ ନିଜ ଜୀବନ ପାଇଲା । ହେଟାବାଘଟି ଇଭାନ୍ର ବଡ ଦୁଇଭାଇଙ୍କୁ ମାରି ପକାଇଲା । ସାନ ରାଜକୁମାର ଇଭାନ୍ ଯାଇ ତା ରାଜ୍ୟରେ ପହଁଚିଲା । ରାଜା ଇଭାନ୍ର ସଫଳତାରେ ଭାରି ଖୁସି ହେଲେ । ବାପାଙ୍କ ଅନ୍ତେ ସେ ଇଭାନ୍ ରାଜା ହୋଇ ହେଲେନ୍ ସହିତ ସେଠାରେ ସୁଖରେ ରହିଲା ।