ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚତୁର ମହାପାତ୍ରେ

ମହାପାତ୍ରେ କହିଲେ “ଟିକିଏ ହାତ ଖୋଲି ଖର୍ଚ୍ଚ କରିବାର ଇଚ୍ଛା ଅଛି । ମୋ କୋଠାଟିକୁ ଆପଣ ବନ୍ଧକ ରଖନ୍ତୁ, ଆଉ ଦୁଇ ହଜାର ଟଙ୍କା ଦିଅନ୍ତୁ ।”

ମହାଜନଙ୍କ ଆଖିରେ ଆନନ୍ଦ ଝଟକି ଉଠିଲା । ସେ ଯୁଗରେ ଲୋକେ ପାଦରେ ଚାଲି ଚାଲି ତୀର୍ଥ ସ୍ଥାନମାନ ବୁଲୁଥିଲେ । ରେଳ ମଟର ନଥିଲା । ମହାଜନ କହିଲେ, “ମୁଁ ଯାହା ବୁଝୁଛି, ତୀର୍ଥଯାତ୍ରୀ ଦଳକୁ ଫେରି ଆସିବାକୁ ଅନ୍ତତଃ ଛଅମାସ ସମୟ ଲାଗିଯିବ । ଦୁଇ ହଜାର ଟଙ୍କାରେ ହୋଇଯିବ ଭାବୁଛ? ଅବଶ୍ୟ ହାତ ଖୋଲି ଖର୍ଚ୍ଚ କରିବାର ଅର୍ଥ ତୁମେ କ’ଣ ବୁଝୁଛ ତା’ ମୁଁ ଜାଣେନା ।”

ମହାପାତ୍ରେ କିଛି ସମୟ ଆଖି ବୁଜି ନୀରବ ରହିଲେ ଓ କହିଲେ, “ହାତ ଖୋଲି ଖର୍ଚ୍ଚ କରିବି ବୋଇଲେ ତୀର୍ଥକ୍ଷେତ୍ର ମାନଙ୍କରେ ଦୁଃଖୀରଙ୍କି ସମସ୍ତଙ୍କୁ ଦାନ ଦେବି, ଯେଉଁଠି କ୍ଳାନ୍ତ ଲାଗିବ ବା ଆବଶ୍ୟକ ହେବ, ସେଠି ପାଦରେ ନ ଚାଲି ଘୋଡାଗାଡିରେ ଯିବା, ସହଯାତ୍ରୀମାନଙ୍କ ଭିତରେ ଯାହା ପାଖରେ ଭଲ ଖାଇବା ପିଇବାର ସମ୍ବଳ ନଥିବ, ତାକୁ ସାହାଯ୍ୟ କରିବା, ତା’ ପାଇଁ ଲୁଗାପଟା କିଣିଦେବା – ଏଇ ସବୁ ଖର୍ଚ୍ଚକୁ ବୁଝାଉଛି ।”

ମହାଜନ ପଚାରିଲେ “ଦୁଇ ହଜାରରେ ଏସବୁ ହୋଇଯିବ ବୋଲି କିପରି ଭାବୁଛ?”

ମହାପାତ୍ରେ କହିଲେ “ଶେଠଜୀ! ପ୍ରକୃତରେ ମୋର ପାଂଚହଜାର ଲୋଡା । ମୋ କୋଠା ବନ୍ଧକ ରଖି ଯେ କୌଣସି ଲୋକ କୋଡିଏ ହଜାର ଟଙ୍କା ବି ଦେଇଦେବ । କିନ୍ତୁ ମୋତେ ତ ପୁଣି ସୁଧ ଦେବାକୁ ପଡିବ! କେଉଁଠୁ ଏତେ ଦେବି? ଆପଣ ତ ଶହେ ଟଙ୍କାରେ ଦୁଇଟଙ୍କା ସୁଧ ନିଅନ୍ତି ।”

ଏକଥା ଶୁଣି ମହାଜନ ମଧୁର ଭାବରେ ହସିଦେଇ କହିଲେ, “ଶୁଣ ମହାପାତ୍ରେ, ତମେ ଯେତେବେଳେ ତୀର୍ଥଯାତ୍ରା ପାଇଁ ଟଙ୍କା ଲୋଡୁଛ; ପୁଣି ତୀର୍ଥରେ ଦାନଧର୍ମ ବି କରିବ, ସେତେବେଳେ ମୁଁ କ’ଣ କମ୍ ସୁଧରେ ଚଳେଇ ନେବିନାହିଁ? ତମେ ଯେତେ ଲୋଡା ନିଅ । ଶହେ ଟଙ୍କାରେ ଏକ ଟଙ୍କା ସୁଧ ଦେବ, ହେଲା?”

ମହାପାତ୍ରେ ଉତ୍ସାହ ଦେଖାଇ କହିଲେ “ବହୁତ ବହୁତ ଧନ୍ୟବାଦ । ତେବେ ପାଂଚ ହଜାର ଦିଅନ୍ତୁ ।”

କାଗଜପତ୍ର ହୋଇଗଲା । ମହାପାତ୍ରେ ଟଙ୍କା ଧରି ସିଧା ତାଙ୍କ ଭଣଜା ମୋହନ ଘରେ ଯାଇ ପହଁଚିଲେ ।

ମହାପାତ୍ରେ ପଚାରିଲେ “ମୋହନ! ତୁ ସେଦିନ କହୁଥିଲୁ ପାଂଚ ହଜାର ଟଙ୍କା ଯୋଗାଡ ହୋଇଗଲେ ତୁ ତୋ ଘର ପାଖ ଜମି ଖଣ୍ଡିକ କିଣନ୍ତୁ । କ’ଣ ଟଙ୍କା ଯୋଗାଡ ହେଲା?”

ମୋହନ ଦୁଃଖ କରି କହିଲା “ନା, ମାମୁଁ, ହେଲା ନାହିଁ । ମହାଜନ ଶତକଡା ତିନିଟଙ୍କା ସୁଧ ଦାବୀ କରୁଛି । ମୁଁ ଦେଢ ଟଙ୍କା ଯାଏଁ ଦେବାକୁ ମଙ୍ଗିଲି । କିନ୍ତୁ ସେ ମୋଟେ କିଛି ଶୁଣୁ ନାହିଁ ।”

“ତୋତେ ଟଙ୍କା ପରିଶୋଧ କରିବାକୁ କେତେଦିନ ଲାଗିବ?”

“ଖୁବ୍ ବେଶି ହେଲେ ଛଅ ମାସ ।”

“ଭଲ କଥା । ହେଇଟି ପାଂଚ ହଜାର ଟଙ୍କା । ତୋତେ ଦେଢଟଙ୍କା ହାରରେ ସୁଧ ଦେବାକୁ ପଡିବ ନାହିଁ । ଟଙ୍କାର ହାରରେ ଦେବୁ । ଛଅ ମାସରେ ମୁଁ ତାହା ନେବି ।” ଏହା କହି ମହାପାତ୍ରେ ମୋହନକୁ ଟଙ୍କା ଦେଇ ବାହାରିଗଲେ । ଏଣେ ମୋହନର ଆନନ୍ଦ କହିଲେ ନ ସରେ ।

ଯଥା ସମୟରେ ସସ୍ତ୍ରୀକ ମହାପାତ୍ରେ ତୀର୍ଥଯାତ୍ରାକୁ ଗଲେ । ଛଅମାସ ପରେ ସେ ଲେଉଟି ଆସିଲେ । ତାଙ୍କ ସ୍ତ୍ରୀ ଘର ଆଡେ ଅନାଇ ଆନନ୍ଦରେ କହିଲେ, “ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଆମ ବଗିଚା ସତେଜ ସବୁଜ ହୋଇ ରହିଛି । ଘର ବି ପରିସ୍କାର ପରିଚ୍ଛନ୍ନ । କି ଆଶ୍ଚର୍ଯ୍ୟ!”

ମହାପାତ୍ରେ ହସିଲେ ଓ କହିଲେ, “ଏହା କେବଳ ମହାଜନ ଯୋଗୁଁହିଁ ସମ୍ଭବ ହୋଇଛି ।”

ଲକ୍ଷ୍ମୀ ପଚାରିଲେ “କିପରି?”

ମହାପାତ୍ରେ ବୁଝାଇ ଦେଇ କହିଲେ “ମହାଜନ ମୋତେ ଦୁଇ ହଜାର ବଦଳରେ ପାଂଚ ହଜାର ନେବାକୁ ପ୍ରଭାବିତ୍ତ କଲା । ସେଥିପାଇଁ ସେ ସୁଧ ବି କମାଇ ଦେଲା । ତା’ର ଭିନ୍ନ ଉଦ୍ଧେଶ୍ୟ ଥିଲା । ଯଦି ତୀର୍ଥଯାତ୍ରା ଭିତରେ ଆମେ ମରିମୁରା ଯିବା ତ ଭଲ । କୋଠା ତା’ର ହୋଇଯିବ । ଆମେ ଫେରି ଆସିଲେ ବି ନିର୍ଦ୍ଦିଷ୍ଟ ସମୟ ଭିତରେ ପାଂଚ ହଜାର ପରିଶୋଧ କରିବା ଏତେ ସହଜ ହେବ ନାହିଁ । ଅତଏବ କୋଠା ତା’ର ହୋଇଯିବ । ଖାସ୍ ସେଇଥିପାଇଁ ସେ ଆମ ବଗିଚାର ଓ କୋଠାର ଏତେ ତତ୍ତ୍ୱ ନେଇଛି । ସେ ଦେଇଥିବା ଟଙ୍କାଟି ବି ମୋହନର କାମରେ ଆସିଲା ।”

ଉପରଓଳି ମୋହନ ମୂଳ ଟଙ୍କା ଓ ସୁଧ ଆଣି ଦେଲା । ମହାପାତ୍ରେ ତାହା ନେଇ ମହାଜନକୁ ଦେଲେ । ସୁଧ ସହ ଟଙ୍କା ଫେରି ପାଇବା ବେଳେ ମହାଜନ ସର୍ବଦା ପ୍ରଫୁଲ୍ଲ ଦିଶନ୍ତି । କିନ୍ତୁ ଏ କ୍ଷେତ୍ରରେ ମନେ ହେଲା ସେ ଯେପରିକି ବାଧ୍ୟ ହୋଇ ତେନ୍ତୁଳି ଖାଇଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ