ବଡ ବୋକାମୀ କଥା । ଶଙ୍କରା ଖଟରେ ବସି ଭାବୁଛି, ଭଉଣୀ ତ ତା’ର ଭଲ କଥା କହିଲା ତେଲ ଆସିଲେ ମୁଁ ଗାଧେଇବି । ହେଲେ ତେଲ ତ ଏକ ନିର୍ଜୀବ ପଦାର୍ଥ । ତା’ର ପୁଣି କ’ଣ ଗୋଡ ହାତ ଅଛି ଯେ ସେ ଆସିଲେ ମୁଁ ଗାଧୋଇବି । ୟେ ଭଉଣୀ ଭିଣୋଇଙ୍କ କଥା କିଛି ବି ବୁଝି ହେଉ ନାହିଁ । ଏମାନଙ୍କର କ’ଣ ଭାଷା ବଦଳି ଯାଇଛି । ହଉ ଦେଖାଯାଉ କ’ଣ ହେଉଛି ।
ତେଣେ କ’ଣ ହେଇଛି ଚନ୍ଦରା ତା’ ବିଲ ଚାଷ ସାରିବା ବେଳକୁ ସୂର୍ଯ୍ୟ ମୁଣ୍ଡ ଉପରୁ ତଳକୁ ଖସିଲେଣି ମାନେ ଦିନ ଦୁଇଟା ହେଲାଣି । ଚନ୍ଦରା ବଳଦ ଫିଟାଇ ଦେଲା, ଲଙ୍ଗଳ ଜୁଆଳୀ କାନ୍ଧରେ ପକାଇ ଘରକୁ ଫେରୁଥାଏ । ବଳଦ ଚନ୍ଦରା ଆଗେ ଆଗେ ଚାଲିଥା’ନ୍ତି । ଚନ୍ଦରା ବଳଦ ପଛରେ ଚାଲୁଥାଏ । ଚନ୍ଦରା ଘର ଆଉ ଅଳ୍ପ ବାଟ ଅଛି, ବଳଦ ହଳକ କୁଦାମାରି ଦୌଡିଲେ । ଚନ୍ଦରା ଡାକ ଛାଡୁଥାଏ, ବାନ୍ଧେ ବାଡା ଏହିପରି ହୁରି ଛାଡିଥାଏ ଚନ୍ଦରା ।
ଶଙ୍କରା ଚନ୍ଦରାର ବାନ୍ଧେ -ବାଡା ଡାକ ଶୁଣି ଭାବିଲା, ଭିଣେଇ ବୋଧେ ମୋତେ ବାନ୍ଧିକି ବାଡେଇବାକୁ କାହାକୁ ଇଶାରା ଦେଉଛି । ଏହା ବିଚାର କରି ଚନ୍ଦରାର ଶଳା ଶଙ୍କରା ଘଟଣା କ’ଣ ଘଟୁଛି ଜାଣିବାକୁ ଚନ୍ଦରା ଖଳା ବାଡି ଛଣ ଗଦା ପଛପଟେ ଛପି ବସିଲା । ଚନ୍ଦରା ବଳଦ ବାନ୍ଧେ ବାଡାକୁ ଖୁଂଟରେ ବାନ୍ଧିଲା । ଗୋଡ ହାତ ଧୋଇଲା । ବଳଦକୁ କୁଣ୍ଡାପାଣି ଖାଇବାକୁ ଦେଲା । ତା’ପରେ କାଞ୍ଜିକୁ କହିଲା ଆଣିଲ ପଖାଳ ଭାତ, ମାଛ ଭଜା, ମୋତେ ବହୁତ ଭୋକ ହେଲାଣି । ଆଉ ଅପେକ୍ଷା କରିବାକୁ ସମୟ ନାହିଁ । କାଞ୍ଜି ପଖାଳ କଂସାଏ ବାଢିଦେଲା । ମାଛ ଭଜା ଆଣିବାକୁ ଘର ଭିତରକୁ ଗଲା କାଞ୍ଜି । କଥା କ’ଣ ହେଇଛି ନା ସେ ତେଲ ପୂର୍ବଦିନ କିଛି ଗଡିଶା ମାଛ ବିଲରୁ ଧରି ଆଣିଥିଲା । ସେ ମାଛତକ କାଞ୍ଜି ଅତି ଯତ୍ନର ସହିତ ଭାଜି ଶିକାରେ ରଖିଥିଲା । ସେ ମାଛତକ ଚନ୍ଦରାର ବିଲେଇ ଶଙ୍କରା ଖାଇ ଦେଇଛି । କାଞ୍ଜି ଚନ୍ଦରା ପାଖରେ ଭାତ କଂସା ଥୋଇ ଯେତେବେଳେ ମାଛଭଜା ଆଣିବାକୁ ଯାଇଛି, ଦେଖିଲା ବେଳକୁ ଶିକାରେ ମାଛ ଭଜା ନାହିଁ । ବିଲେଇ ଶଙ୍କରା, କାନ୍ଥ ଉପରେ ବସି ମାଛ ଭଜାତକ ସବୁ ଖାଇ ଦେଇଛି । କାଞ୍ଜି ଏସବୁ ଦେଖି ରାଗରେ ଜର ଜର ହୋଇ କହିଲା, ସର୍ବନାଶ ସର୍ବନାଶ । ତେଲ ଏପରି କଥା ଶୁଣି କହିଲା କ’ଣ ହୋଇଛି? ଯୋଗିନୀଖିଆ ଏଇଠି ବସିଥିଲା । ଯୋଗିନୀଖିଆକୁ ଖାଇବାକୁ ଦେଇନାହଁ । ଖାଇବା ଡେରି ହେବାରୁ ବାଡିପଶା ଶଙ୍କରା ସବୁ ମାଛ ଭଜାତକ ଖାଇ ଦେଇଛି । ତେଲ କହିଲା, ତୁ ତାକୁ ଠେଙ୍ଗାରେ ପାହାରେ ଦେଲୁ ନାହିଁ । କାଞ୍ଜି କହିଲା, ଦେଖିଥିଲେ ଆଉ କ’ଣ ସେ ଯୋଗିନୀଖିଆକୁ ଛାଡି ଥାଆନ୍ତି ।
ତେଲ କହିଲା – ହଉ ଦେ ଯା ହେଲା ହେଲା ଶୁଖୁଆ ଦୁଇଟା ପୋଡିଦେ । କାଞ୍ଜି ବି ସେହିକ୍ଷଣି ଶୁଖୁଆ ପୋଡି ଦେଲା । ତେଲ ଶୁଖୁଆ ଲଗେଇ ଭାତ ଖାଇଲା ।