ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚନ୍ଦରା ଚନ୍ଦିରୀ ଫାର୍ସ

ତେଣେ କ’ଣ ହେଇଛି ଛଣ ଗଦା ପଛପଟେ ଚନ୍ଦରା ଶଳା ଶଙ୍କରା ଆଖିରୁ ଲୁହ ଖାଲି ଧାର ଧାର ହୋଇ ବୋହି ପଡୁଥାଏ । ଶଙ୍କରା ମନେ ମନେ କହୁଥାଏ ମୁଁ ସକାଳ ପହରୁ ଗଣ୍ଡେ ଖାଇକି ବି ଆସିନି । ଏ ପର୍ଯ୍ୟନ୍ତ ଉପାସରେ ଅଛି । ମୋ ଭଉଣୀ ପାଟୁଳୀ ନିଜେ ମାଛଭଜା ଖାଇ ମୋ ନାଆଁ ଦେଉଛି । ମୁଁ ୟାଙ୍କ ମାଛ ଭଜା କେତେବେଳେ ଖାଇଲି । ହଉ ଦେଖାଯାଉ କେଉଁ ପାଣି କେଉଁଠିକି ଯାଉଛି । କାଞ୍ଜି ତ ଖାଇବାକୁ ମିଳିଲାନି । ତେଲ ତ ଗାଧୋଇବାକୁ ଆସିଲା ନାହିଁ । ସୂର୍ଯ୍ୟ ଉଦୟବେଳୁ ଘରୁ କ’ଣ ଗଣ୍ଡେ ଖାଇ ଆସିଥିଲି । ସୂର୍ଯ୍ୟ ଅସ୍ତ ହେବା ସମୟ ଆସି ହେଲାଣି । ହଉ, ଶଙ୍କରା ଏପରି ଅନେକ କଥା ମନେ ମନେ ଭାବି ହେଉଥାଏ । ଛଣ ଗଦା ପଛପଟେ ଚୁପ୍ ଚାପ୍ ବସିଥାଏ । ଚନ୍ଦରା ଖାଇ ସାରିଲା । ପଖାଳ କଂସାରେ ଯେଉଁ ତୋରାଣି ବଳିଲା ସେ ତୋରାଣିକି ଶଙ୍କରା କୁକୁରକୁ ପିଆଇବାକୁ ତେଲ କଂସା ଧରି ବାଡି ପଟକୁ ଆସିଲା । ଡାକିଲା ଶଙ୍କରାରେ ତୁ – ଶଙ୍କରାରେ ତୁ – ।

ଛଣ ଗଦା ପଛପଟେ ଚନ୍ଦରା ଶଳା ଶଙ୍କରା ତ ଛପି ବସିଥିଲା । ଶଙ୍କରାକୁ ଆଉ ସମ୍ଭାଳେ କିଏ? ଶଙ୍କରା ତା’ ଭିଣେଇର ଏ ଶଙ୍କରାରେ ତୁ – ଡାକକୁ ଆଦୌ ସହି ପାରିଲା ନାହିଁ । ତାକୁ ଏସବୁ ଭାରି ବାଧିଲା । ଛଣ ଗଦା ପଛପଟରୁ ବାହାରି ଶଙ୍କରା ଦୌଡିଲା । ଭିଣେଇ ଚନ୍ଦରା ହଠାତ୍ ଶଙ୍କରାକୁ ଦେଖି ଶଙ୍କରା ପଛରେ ଦୌଡିଲେ । ରହିଯାଏ – ଶଙ୍କରା ରହିଯା ବୋଲି ଡାକ ଛାଡିଲେ । ଶଙ୍କରା ତା’ ଭିଣେଇ ଡାକ ଶୁଣି ଠିଆ ହେଲା । ରାଗ ଜର ଜର ହୋଇ କହିଲା, ମୁଁ ତୁମ ମାଛ ଖାଇଛି? ମୋତେ ବାନ୍ଧିକି ବାଡେଇବ? ଦେଖିବା ବାନ୍ଧିକି ବାଡେଇଲ? ସକାଳୁ ଆସି ସଞ୍ଜ ହେଲା ହେଲେ ଖାଇବାକୁ ଗଣ୍ଡେତ ଦେଇ ପାରିଲ ନାହିଁ । ତମ ଘରେ କାଞ୍ଜି ତୋରାଣି ଯାହାଥାଉ ମୁଁ ଖାଇ ପିଇ ହଳ ନେଇ ଘରକୁ ଯାଇଥାଆନ୍ତି । ମୋତେ ବିଲରେ କହିଲ ଯା – ଯା କାଞ୍ଜି ଅଛି ଖାଇବୁ? ସେଇ କାଞ୍ଜି ଟିକିଏ ବି ଖାଇବାକୁ ମିଳିଲା ନାହିଁ । ଶେଷରେ ମୋତେ ତୁ–ତୁ ଡାକୁଛ? ଶଙ୍କରାରେ ତୁ- ମୁଁ କ’ଣ ତୁମ କୁକୁର । ଏକଥା ଶୁଣି ଭିଣେଇ ଚନ୍ଦରା କହିଲେ – ଶଙ୍କରା, ତୁ ରାଗୁଛୁ କାହିଁକି? ଆଗେ ମୋ କଥା ଟିକେ ଶୁଣୁ । ସବୁ ପାଲା ତୋ ଭଉଣୀ ଲଗେଇଛି । ତୁ, ତ ଜାଣିଛୁ ତୋ ଭଉଣୀ ମୋତେ ବାପା ଡାକେ ଆଉ ମୁଁ ବି ତାକୁ ବୋଉ ବୋଲି ଡାକେ ।

ଦିନକର ଘଟଣା, ସାଇ ମାଇପେ ତୋ’ଭଉଣୀକୁ କହିଲେ ଅଲାଜୁକୀ ତୋତେ ଟିକେ ଲାଜ ସରମ ନାହିଁ ସ୍ୱାମୀକୁ କ’ଣ କିଏ କେବେ ବାପା ବୋଲି ଡାକେ । ସ୍ୱାମୀ ସ୍ତ୍ରୀକୁ ବୋଉ ବୋଲି ଡାକେ – ଏଗୁଡା ସମାଜ ବାହାର କଥା । ତୋ ଭଉଣୀ ତ ଆଉ ମୋ ନାଆଁ ଧରି ଡାକି ପାରିବନି । କାରଣ ସ୍ତ୍ରୀ’ମାନେ ସ୍ୱାମୀ ନାଆଁ ଧରିଲେ ତାଙ୍କୁ ପାପ ଲାଗିବ । ତା’ପରେ ଆମର ପୁଅ କି ଝିଅ ଥିଲେ ଆମେ ଅମୁକ ବୋଉ ଅମୁକ ବାପା ବୋଲି ଡକାଡକି ହୋଇଥାନ୍ତୁ । ଠାକୁରେ ତ ଏ ପର୍ଯ୍ୟନ୍ତ ତୋ ଭଉଣୀ କୋଳ ଅପୂର୍ଣ୍ଣ ରଖିଲେ । ତେଣୁ ତୋ ଭଉଣୀ ଆମ ନାଆଁ ବଦଲେଇ ଦେବାକୁ କହିଲା । ମୁଁ ଗାଆଁ ମୁଖିଆ ଗୌରାଙ୍ଗ ସାମଲଙ୍କୁ କହିଲି । ଗାଆଁ ମୁଖିଆ ଗ୍ରାମ ସଭା ଡକାଇଲେ । ସେଠାକୁ ସରପଂଚ ବି ଆସିଲେ । ଗାଆଁ ଲୋକେ ମଧ୍ୟ ବସିଲେ । ସେମାନେ ମୋ ନାଆଁ ଦେଲେ ତେଲ ଆଉ ତୋ ଭଉଣୀ ନାଆଁ ଦେଲେ କାଞ୍ଜି । ମୁଁ ତୋତେ ବିଲରେ ଶଙ୍କରା ଯା, କାଞ୍ଜି ଅଛି ଖାଇବୁ । ତା’ ଅର୍ଥ ତୋ ଭଉଣୀ କାଞ୍ଜି ଅଛି, ତୋତେ ସେ ଖାଇବାକୁ ଦେବ । ମୋ କହିବା ଅର୍ଥ ତୁ ବା କାହିଁକି ବୁଝିବୁ । ୟା ମଧ୍ୟରେ ଏଭଳି ଘଟଣା ଘଟିଛି ବୋଲି ତୋତେ ତ ଆଦୌ ଜଣା ନାହିଁ ।

ତା’ପରେ ଆମ ପୋଷା ବିଲେଇ ନାଆଁ ଶଙ୍କରା ଓ ପୋଷା କୁକୁର ନାଆଁ ବି ଶଙ୍କରା । ବଳଦ ନାଁ ବାନ୍ଧେ, ବାଡା । ବିଲେଇ ମାଛ ଭଜା ଖାଇ ଦେଇଥିଲା । ତେଣୁ ବିଲେଇ ଶଙ୍କରାକୁ ଠେଙ୍ଗାରେ ପାହାର ଦେବାକୁ ମୁଁ ତୋ ଭଉଣୀକୁ କହିଲି । ତୋ ନାଆଁ ତ ଶଙ୍କରା ମୋର ସେତେବେଳେ ମନେ ପଡିଥିଲେ ମୁଁ ଏ କୁକୁର ବିଲେଇଙ୍କ ନାଆଁ ଶଙ୍କରା ନ ଦେଇ ଅନ୍ୟ କ’ଣ ନିଶ୍ଚୟ ଦେଇଥାନ୍ତି । ବଳଦ ହଳକ ବିଲରୁ ଡିଆଁ ମାରି ଆସିଲେ । ମୁଁ ତାକୁ ବାନ୍ଧେ, ବାଡା ଗଲେ ବୋଲି ପାଟିକରି ଡାକିଲି । ହେଲେ ତୁ ବୁଝିଲୁ ଯେ ତୋତେ ମୁଁ ବାନ୍ଧିବି ଆଉ ବାଡେଇବି ।


ଗପ ସାରଣୀ

ତାଲିକାଭୁକ୍ତ ଗପ