ଚନ୍ଦରା ତା’ ଶଳା ଶଙ୍କରାକୁ ବୁଝେଇ ଶୁଝେଇ ଘରକୁ ଆଣିଲେ । ଶଙ୍କରା ଏଥର ସବୁ ବୁଝିଲା, ଚନ୍ଦିରୀ ବି ଏସବୁ ଶୁଣି ଖୁବ୍ ମନ ଦୁଃଖ କଲା । ଶଙ୍କରା ସେଦିନ ରାତିରେ ରହିଲା । ଚନ୍ଦିରୀ, ଶଙ୍କରାପାଇଁ ଭଲ ଭାବରେ ରୋଷଇ ବାସ କଲା । ଶଙ୍କରା ଆନନ୍ଦରେ ଖାଇଲା । ରାତିରେ ଚନ୍ଦିରୀ ପୋଡପିଠାଟିଏ ପୋଡିଲା । ସକାଳେ ଶଙ୍କରା ସେ ପୋଡ ପିଠା ଖାଇ ହଳ ବଳଦ ଧରି ନିଜ ଘରକୁ ଆସିଲା । ଭିଣେଇ ଚନ୍ଦରା ଶଳା ଶଙ୍କରାକୁ ବାଟେଇ ଦେବାକୁ ଆସିଲେ । ବାଟରେ ଶଳାକୁ ଚନ୍ଦରା କହିଲେ ବୁଝିଲୁ ଶଙ୍କରା ସ୍ତ୍ରୀ ବୁଦ୍ଧି ପ୍ରଳୟ । ଦେଖିଲୁ ତ ତୋ ଭଉଣୀ ବୁଦ୍ଧିରେ ଏ ନାଆଁ ବଦଳାଇବାରୁ କେତେ ବଡ ଘଟଣା ଘଟିଗଲା । ଏଥର ଆମେ ପୂର୍ବ ଭଳି ସେହି ବାପା’ ବୋଉ ହିଁ ଡକାଡକି ହେବୁ । ଶଙ୍କରାକୁ ବାଟେଇ ଦେଇ ଚନ୍ଦରା ଆସିଲା । ଗାଆଁ ମୁଖିଆ ଗୌରାଙ୍ଗ ସାମଲଙ୍କୁ ଘଟି ଯାଇଥିବା ଘଟଣା ସବୁ ଗୋଟି ଗୋଟି କରି କହିଲେ । ସବୁ କଥା ଶୁଣି ସେ ଗାଆଁ ମୁଖିଆ ଖାଲି ହସି ହସି ବେଦମ୍ । ସେଇଦିନୁ ଚନ୍ଦରା, ଚନ୍ଦରୀ ପୁଣି ବାପା, ବୋଉ ଡକାଡକି ହେଲେ । ଚନ୍ଦରା ଚନ୍ଦିରୀଙ୍କ ଏଭଳି ଫାର୍ସ ଓ ସେମାନଙ୍କ କଥା ଶୁଣି ଗାଆଁ ଲୋକେ ସେମାନେ ସେଇ ବାପା ବୋଉ ଡକା ଡକି ହୁଅନ୍ତି । ଏଥିରେ ଆଉ କେହି କିଛି ବି ଆପତ୍ତି କଲେ ନାହିଁ ।
କିଛିଦିନ ଚାଲିଗଲା । ଠାକୁରଙ୍କ ଦୟାରୁ ଚନ୍ଦରାର ପୁଅଟିଏ ହେଲା । ପୁଅ ନାଆଁ ଦେଲେ ଆନନ୍ଦ । ଚନ୍ଦରାର ପୁଅ ଜନ୍ମ ହେବା ପରେ ଏବେ ଚନ୍ଦରା, ଚନ୍ଦିରୀକୁ ଡାକିଲା ଆନନ୍ଦ ବୋଉ । ଆଉ ସେ ଚନ୍ଦିରୀ, ଚନ୍ଦରାକୁ ଡାକିଲା ଆନନ୍ଦ ବାପା । ତାପରେ ସେ ପରିବାରରେ ଆନନ୍ଦ ଖେଳି ଗଲା । ଚନ୍ଦରା ଚନ୍ଦରୀର ଫାର୍ସ ଏଇଠି ଶେଷ ହେଲା ।