ବିକ୍ରମାଦିତ୍ୟ ଜଳମଧ୍ୟରେ ପ୍ରବେଶ କରି ଲଙ୍ଗରକୁ ଛୁଇଁବା ମାତ୍ରେ ଜାହାଜ ଉଠି ସଙ୍ଗେ ସଙ୍ଗେ ଚାଲିବାକୁ ଆରମ୍ଭ କରିଲା । ସେ ଦ୍ୱୀପର ଉପକୂଳରେ ରହିଗଲେ । ମନେମନେ ଭାବିଲେ ଦ୍ୱୀପରେ ବୁଲିବେ । ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବେ । ବୁଲୁବୁଲୁ ଦ୍ୱୀପର ପ୍ରବେଶ ଦ୍ୱାରରେ ପହଁଚି ଦେଖିଲେ ଏକ ଘୋଷଶାପତ୍ର ଟଙ୍ଗାଯାଇଛି । ଯୋଉଥିରେ ଲେଖାଥିଲା “ଏଠାକାର ରାଜକୁମାରୀଙ୍କ ବିବାହ ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ହେବ ।”
ମହାରାଜ ଖୋଜି ଖୋଜି ଯାଇ ରାଜ ଅନ୍ତଃପୁରରେ ପହଁଚିଲେ । କେହି ତାଙ୍କୁ ବାଧା ଦେଲେ ନାହିଁ । ରାଜକୁମାରୀ ତାଙ୍କୁ ଦେଖିଲେ ଏବଂ ପରିଚୟ ପାଇବା ମାତ୍ରେ ଲାଜରେ ଝାଉଁଳି ପଡିଲେ । ବିକ୍ରମାଦିତ୍ୟଙ୍କ ସହିତ ରାଜକୁମାରୀଙ୍କର ବିବାହ ହେଲା । ସେଠାରେ କିଛିକାଳ ରହିବା ପରେ ମହାରାଜ ନିଜ ରାଜ୍ୟକୁ ଫେରିଲେ । ବାଟରେ ଜଣେ ସନ୍ନ୍ୟାସୀଙ୍କ ସହିତ ଦେଖାହେଲା । ସେ ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ଗୋଟିଏ ଫୁଲମାଳ ଏବଂ ଗୋଟିଏ ବାଡି ଦେଲେ ଏବଂ କହିଲେ, “ହେ ମହାରାଜ! ଏମାନଙ୍କୁ ଯିଏ ପିନ୍ଧିବ ତା’ର ସମସ୍ତ କାମନା ପୂରଣ ହେବ । ସେ ସମସ୍ତଙ୍କୁ ଦେଖି ପାରିବ କିନ୍ତୁ ଅନ୍ୟମାନେ କେହି ତାକୁ ଦେଖି ପାରିବେ ନାହିଁ । ବାଡିଟିର ଚମତ୍କାରିତା ଏହି ଯେ ରାତିରେ ଶୋଇବା ପୂର୍ବରୁ ଯିଏ ଏହାକୁ ଛୁଇଁ ଯେଉଁ ମୂଲ୍ୟବାନ ଆଭୂଷଣ ମାଗିବ ତାହା ତୁରନ୍ତ ପାଇ ପାରିବ ।”
ମହାରାଜ ଫୁଲମାଳ ଏବଂ ବାଡି ଧରି ନିଜ ରାଜ୍ୟରେ ପହଁଚିବାପରେ ନଗର ଉଦ୍ୟାନରେ ବିଶ୍ରାମ ନେଲେ । ସେଠାରେ ତାଙ୍କର ଦୁଇଜଣ ଲୋକଙ୍କ ସହିତ ସାକ୍ଷାତ ହେଲା । ଜଣେ ସାଧୁ ଏବଂ ଜଣେ ଭାଟ । ସେମାନେ ମହାରାଜାଙ୍କୁ ପ୍ରଣାମକରି ନିଜର ଦୁଃଖ ଜଣାଇଲେ । ମହାରାଜ! ଆମେ ଆପଣଙ୍କର ଅନୁଗତ ସେବକ । ଦୀର୍ଘକାଳ ଧରି ଆମେ ଏ ଉଦ୍ୟାନର ରକ୍ଷଣାବେକ୍ଷଣ କରି ଆସୁଛୁ । ଆମେ ଖୁବ୍ ଗରିବ । ଏ ଯାଏଁ କିଛି ବି ପାରିଶ୍ରମିକ ନେଇ ନାହୁଁ କାହାଠାରୁ । ଏଣୁ ଅନୁରୋଧ, କରୁଛୁ ଆପଣ ଆମକୁ ଦୟା କରନ୍ତୁ ଯାହା ଫଳରେ ଆମର ଅଭାବ ଅସୁବିଧା ଦୂର ହୋଇପାରିବ ଏବଂ ଆମେ ସୁଖରେ ରହିପାରିବୁ ।
ମହାରାଜାଙ୍କ ହୃଦୟ ତରଳିଗଲା । ସେ ସନ୍ତୁଷ୍ଟ ହୋଇ ଭାଟକୁ ଫୁଲମାଳ ଏବଂ ସାଧୁକୁ ବାଡିଟି ଦାନକରି ଦେଲେ ଏବଂ ତା’ର ମହିମା ବୁଝାଇଦେଲେ । ସେମାନେ ଯଶଗାନ କରି ଚାଲି ଯିବାପରେ ମହାରାଜା ଭାବିଲେ ସେ ନିଜର ଭାଗ୍ୟବଳରୁ ସନ୍ନ୍ୟାସୀଙ୍କ ପାଖରୁ ଯେଉଁ ଦ୍ରବ୍ୟ ଲାଭ କରିଥିଲେ, ତାହାକୁ ସାଧୁ ଏବଂ ଭାଟ ନିଜର ପୁରୁଷାର୍ଥ ବଳରେ ହାସଲ କରିନେଲେ ।
ସେତେବେଳକୁ ଛ’ମାସ ପୂରି ଯାଇଥିଲା । ଭାଗ୍ୟ ଏବଂ ପୁରୁଷାର୍ଥ ଆସି ଦରବାରରେ ହାଜର ହୋଇ ନ୍ୟାୟ ମାଗିଲେ । ମହାରାଜ ତୁରନ୍ତ କହିଲେ, “ଏ ସଂସାରରେ ପୁରୁଷାର୍ଥ ବିନା କିଛି ପାଇବା ସମ୍ଭବ ନୁହେଁ । ପୁଣି ଏହା ମଧ୍ୟ ସତ୍ୟ ଯେ ଯେତିକି ଭାଗ୍ୟରେ ଥାଏ, ସେତିକି ହିଁ ମିଳେ । ଅତଏବ ଭାଗ୍ୟ ଏବଂ ପୁରୁଷାର୍ଥ ପରସ୍ପରର ପରିପୂରକ ।” ମହାରାଜାଙ୍କ ବିଚାରରେ ସନ୍ତୁଷ୍ଟ ହୋଇ ଭାଗ୍ୟ ଓ ପୁରୁଷାର୍ଥ ଫେରିଗଲେ ।
ଚନ୍ଦ୍ରକଳା କହିଲା, “ହେ ମହାରାଜ! ଆପଣ କ’ଣ ରାଜଚକ୍ରବର୍ତ୍ତି ବିକ୍ରମାଦିତ୍ୟଙ୍କ ପରି ଦାନଶୀଳ ନା ବୁଦ୍ଧିମାନ ନ୍ୟାୟ ବିଚାରକ? ଏଣୁ ସିଂହାସନ ଆଶା ତ୍ୟାଗ କରି ଫେରି ଯାଆନ୍ତୁ ।”
ଭୋଜରାଜ ଆଉ କିଛି କହି ପାରିଲେ ନାହିଁ । ମନେମନେ କ’ଣ ଭାବି ରାଜପ୍ରାସାଦକୁ ଫେରିଗଲେ ।