ମଧୁପୁରର ଜଙ୍ଗଲରେ ଗୋଟିଏ କାଠୁରିଆ ଥିଲା । ତା’ର ଦୁଇଟି ଝିଅ – ଚମ୍ପା ଓ ଚୁନ୍ନି । ଚମ୍ପା ବର୍ଷକର ହେବାବେଳେ ତା’ ମା’ ମରି ଯିବାରୁ କାଠୁରିଆ ଦୁର୍ଗା ନାମକ ଜଣେ ଯୁବତୀକୁ ବିବାହ କଲା – ତା’ ଝିଅର ନାଁ ହେଲା ଚୁନ୍ନି ।
ଦୁର୍ଗା ବଠୋର ସ୍ୱଭାବର ଥିଲା । ଚମ୍ପାକୁ ସେ ବହୁତ କାମ କରିବାକୁ ଦିଏ ଓ ସବୁବେଳେ ତାକୁ ଖାଲି ସେ ଗାଳି ଦିଏ । ଦିନେ ପୂର୍ଣ୍ଣିମା ରାତିରେ ଚମ୍ପାର ହଠାତ୍ ନିଦ ଭାଙ୍ଗିଗଲା । ସେ ଘରର ଅନ୍ୟପାଖରୁ ବାପମା’ଙ୍କ କଥାବାର୍ତ୍ତା ଶୁଣିପାରିଲା ।
ଚମ୍ପାର ବାପା କହିଲେ “ଆମ ଝିଅମାନେ ତ ଏବେ ବଡ ହୋଇଗଲେଣି । ଏଣୁ ଏଇବର୍ଷ ଆମକୁ ଯେମିତି ହେଲେବି ଚମ୍ପାର ବାହାଘର କରାଇ ଦେବାକୁ ହେବ ।” ସ୍ୱାମୀର ଏଭଳି କଥା ଶୁଣି ଦୁର୍ଗା ହଠାତ୍ ରାଗିଯାଇ କହିଲା, “ତମେ କ’ଣ ପାଗଳ ହୋଇଗଲ ନା କ’ଣ? ଚମ୍ପା ବାହାହୋଇ ଗଲେ ଘରକାମ ସବୁ କିଏ କରିବ? କେବଳ ଚୁନ୍ନିର ବାହାଘର କଥା ପାଇଁ ଚେଷ୍ଟା କର । ଚମ୍ପାର ବାହାଘର କଥା ଏବେ ଭୁଲିଯାଅ ।”
କାଠୁରିଆ ଯୁକ୍ତି କଲା “ନା, ନା ତମେ ସେପରି କହିଲେ, କ’ଣ ଚଳିବ? ଚମ୍ପା ପାଇଁ ଉପଯୁକ୍ତ ବରପାତ୍ର ଖୋଜିବା ଆମର କର୍ତ୍ତବ୍ୟ । ସେ ତ କାହିଁ କେତେ ଦିନ ଧରି ଆମର ସେବା କରି ଆସିଲାଣି । ତାହା କ’ଣ ଯଥେଷ୍ଟ ନୁହେଁ? ଆମର କାମ ଦରକାର ବୋଲି ସେ କ’ଣ ବିଭା ହେବ ନାହିଁ, ଏହା କିପରି କଥା?”
ସେ ଯୁକ୍ତି ଗ୍ରହଣ କରିବା ପରିବର୍ତ୍ତେ ତା’ ସ୍ତ୍ରୀ ତଥା ଦୁର୍ଗା ଆହୁରି ରାଗିଯାଇ କହିଲା, “କର୍ତ୍ତବ୍ୟ କଥା କହୁଛ ଯେ, ମୋ ପ୍ରତି କ’ଣ ତୁମର କୌଣସି ବି କର୍ତ୍ତବ୍ୟ ନାହିଁ?”
ମୁଁ କ’ଣ ଏମିତି ସବୁଦିନ ଗଧ ଭଳି ଖଟୁଥିବି? ଘରେ ଚାକରାଣୀ ରଖିବା ଭଳି ତମର ବଳ ଅଛି କି? ଯଦି ନାହିଁ, ତେବେ ଚମ୍ପାକୁହିଁ ଚାକରାଣୀର କାମ କରିବାକୁ ପଡିବ । ସ୍ତ୍ରୀକଥା ଶୁଣି କାଠୁରିଆ ଚୁପ୍ ରହିଲା ।
ସାବତମା’ ର ଏପ୍ରକାର କଥା ଶୁଣି ଚମ୍ପା ଅତ୍ୟନ୍ତ ଦୁଃଖିତ ହେଲା । ସେ ଡରିଗଲା, ଭାବିଲା ଏମିତି ସାରାଜୀବନ ଖଟି ଖଟି ରହିବ? ସେ ପୁଣି ଭାବିଲା, ଏପରି ଏକ ଜୀବନ ବଂଚିବା ଅପେକ୍ଷା ବଣରେ ଜନ୍ତୁଜାନୁଆର ଖାଇଗଲେ ବରଂ ଭଲ । ଏପରି ଭାବି ସେ ବାହାରକୁ ଚାଲି ଆସିଲା ଓ ଜଙ୍ଗଲ ଆଡକୁ ଗଲା । କିନ୍ତୁ ଚମ୍ପାକୁ କୌଣସି ହିଂସ୍ରଜନ୍ତୁ ଦେଖାଦେଲା ନାହିଁ । କେବଳ ଗୋଟିଏ ସ୍ଥାନରେ ଗୋଟିଏ କୁଅ ସେ ଦେଖିବାକୁ ପାଇଲା । ସେ କୁଅ ଭିତରକୁ ଡେଇଁପଡିବାକୁ ବାହାରିଛି, ଠିକ୍ ସେତିକିବେଳେ ପାଖ ଗଛ ଉପରୁ ଗୋଟିଏ ପ୍ରେତ ଆସି ତା’ ଆଗରେ ଠିଆ ହୋଇ ତା’କୁ ପଥରୋଧ କଲା ପ୍ରେତକୁ ଦେଖି ଚମ୍ପା ନ ଡରି ପଚାରିଲା, “ମୋତେ ମୋ କାର୍ଯ୍ୟରେ ବାଧା ଦେବାକୁ ତୁମେ କିଏ?” ତା’ପରେ ପ୍ରେତ ପଚାରିଲା “ଶୁଣ, ଏଡେସୁନ୍ଦର ଜୀବନ ତୁ ନଷ୍ଟ କାହିଁକି କରିବୁ?” ଏହା ଶୁଣି ଚମ୍ପା ଦେଖିଲା ପ୍ରେତଟିଏ ହେଲେ କ’ଣ ହେବ ତା’ମନରେ ଦୟାମାୟା ଅଛି । ତା’ ସାବତମା’ ପରି ସେ ନୁହେଁ । ମଣିଷ ଦୁଃଖରେ ସାନ୍ତ୍ୱନା ପାଇଲେ ତା’ ମନ ଖୋଲିଯାଏ । ତେଣୁ ସେ ଅଳ୍ପ କାନ୍ଦି କାନ୍ଦି ତା’ ମା’ କଥା ମନେ ପକାଇଲା ଓ ଅନୁଭବ କଲା ତା’ ମା’ପରେ ଏଇ ଦୟାବତୀ ପ୍ରେତଟି ଯେପରି ତା’ର ଅତି ନିଜର । ତା’ପରେ ସେ ତା’ ମନଖୋଲି ସବୁ କଥା କହିଲା । ତା’ ସାବତମା’ର ଅତ୍ୟାଚାର, ବାପାର ଦାରିଦ୍ର୍ୟ ଓ ତା’ର ଅସହାୟତା । ସବୁକଥା ଶୁଣି ସେ ପ୍ରେତ କହିଲା “ଏଇ ଟିକିଏ କଥାକୁ ଏତେ ଦୁଃଖ । ମୁଁ ଏହାର ସମାଧାନ କରିଦେବି ।” ଏତିକି କହି ପ୍ରେତଟି କୁଅକୁ ଡେଇଁ ପଡି ଥଳିଟିଏ ଧରି ତହିଁରୁ ବାହାରକୁ ବାହାରି ଆସିଲା । ଚମ୍ପାକୁ ସେ କହିଲା, “ଏଇ ଥଳୀଟି ନେ ଏହା ଏକ ଆଶ୍ଚର୍ଯ୍ୟ ଥଳୀ । ତୋ ସାବତମା’ ତୋତେ ଯେତେ ଗାଳି ଦେବ ଥଳିଟି ସେତେ ସୁନା ମୋହରରେ ଭର୍ତ୍ତି ହେବ; ତେବେ ଯାଇ ତୋର ବିବାହ ମହା ସମାରୋହରେ ହେବ । କିନ୍ତୁ ଏହି ଆଶ୍ଚର୍ଯ୍ୟ ଥଳୀଟି ମାତ୍ର ଦିନକ ପାଇଁ ହିଁ କାମ କରିବ ।”