ଏହାପରେ ଚମ୍ପା ସେ ପ୍ରେତ କଥାରେ ଖୁସିହୋଇ ଥଳୀଟି ଧରି ଘରକୁ ଫେରିଗଲା । ସକାଳୁ ଉଠି ଦୁର୍ଗା ଚମ୍ପାକୁ ଗାଳି ଦେଲା । ଏଣେ ଚମ୍ପା କିନ୍ତୁ ଭାରି ଖୁସି । ସୁନା ମୋହରଟିଏ ସେତେବେଳକୁ ଥଳୀରେ ପଡିସାରିଲାଣି । ସେଦିନ ସଂଧ୍ୟାବେଳକୁ କାଠୁରିଆ ଯେତେବେଳେ ଘରକୁ ଫେରିଲା, ସେତେବେଳକୁ ଚମ୍ପାର ପ୍ରାୟ ଦୁଇଶହ ସୁନାମୋହର ଏକାଠି ହୋଇସାରିଥାଏ । ଚମ୍ପା ଖୁସି ହୋଇ ତା’ ବାପାକୁ ସେ ସୁନାମୋହର ଗୁଡିକ ଦେଖାଇ କହିଲା, “ଏସବୁ ମୋତେ ଜଣେ ପ୍ରେତ ଦେଇଛି ।”
ଦୁର୍ଗା ଏକଥା ଶୁଣି କହିଲା, “ଏଗୁଡିକ ମୋ ଗାଳି ଯୋଗୁଁ ତୁ ପାଇଛୁ । ଏସବୁ ମୋ ଝିଅର ବାହାଘରରେ ଖର୍ଚ୍ଚ ହେବ ।”
କାଠୁରିଆ କହିଲା, “ଏପରି ଅନ୍ୟାୟ ମୁଁ କେବେବି ବରଦାସ୍ତ କରିପାରିବି ନାହିଁ । ଏହି ପଇସାରେ ହିଁ ମୁଁ ମୋ ଝିଅ ଚମ୍ପାର ବିବାହ କରାଇବି ।” ଏକଥା ଶୁଣି ଦୁର୍ଗା ଚୁପ୍ ହୋଇ ରହିଗଲା । କାଠୁରିଆ ତା’ ଝିଅ ପାଇଁ ବର ଖୋଜିବାକୁ ଗଲା ।
ପନ୍ଦରଦିନ ପରେ ପୁଣି ପୂର୍ଣ୍ଣିମା ରାତି ଆସିଲା । ଦୁର୍ଗା ଚୁନ୍ନିକୁ ବୁଝାଇ କରି ତାକୁ ଚମ୍ପାପରି ଥଳୀ ଆଣିବାକୁ ଜଙ୍ଗଲକୁ ପଠାଇଲା । ଚୁନ୍ନି କୁଅପାଖକୁ ଗଲା । ପୂର୍ଣ୍ଣିମା ରାତ୍ରିର ପ୍ରେତ ତାକୁ ସେଥିରେ ମଧ୍ୟ ବାଧା ଦେଲା । ଚୁନ୍ନି କହିଲାକି ସେ ତା ମା’ଠାରୁ ଗାଳି ବରଦାସ୍ତ ନ କରିପାରି ଆତ୍ମହତ୍ୟା କରିବାକୁ ଯାଉଛି । ପ୍ରେତ ତାକୁ ବି ଥଳୀଟିଏ କୁଅରୁ କାଢି ଦେଲା ଓ ଥଳୀର ମାହାତ୍ମ୍ୟ ବୁଝାଇଲା । ପୁଣି ସେ କହିଲା ଏହା କେବଳ ଦିନକ ପାଇଁ କାମ କରିବ । ଚୁନ୍ନି ଖୁସିରେ ଥଳୀ ଧରି ଘରକୁ ଫେରିଲା ।
ଠିକ୍ ସେତିକିବେଳେ ସେ ଦେଶର ରାଜା ତାଙ୍କର ଏକମାତ୍ର ପୁତ୍ରକୁ ଧମକ ଦେଇ କହୁଛନ୍ତି, “କହ, ତୁ ବିବାହ କରିବାକୁ ଚାହୁଁ ନା ନାହିଁ?”
ପିତାଙ୍କ ପ୍ରଶ୍ନରେ ଯୁବରାଜ ଅଳ୍ପ ହସି ଉତ୍ତର ଦେଲେ, “ମୁଁ ତ ବିବାହ କରିବାକୁ ମନା କରିନାହିଁ । ଆମ ରାଜ୍ୟର ଜଙ୍ଗଲରେ ଗୋଟିଏ କାଠୁରିଆର ଦୁଇଜଣ ସୁନ୍ଦରୀ ଝିଅ ଅଛନ୍ତି । ସେମାନେ ମଧ୍ୟ ଖୁବ୍ ଭଲ ସ୍ୱଭାବର ।”
ରାଜା ଏବେ ଠିକ୍ ବୁଝିଗଲେ ଯେ ଯୁବରାଜ ବାରମ୍ବାର କାହିଁକି ଶୀକାର କରିବାକୁ ବଣକୁ ପଳାଏ । ରାଜା ତ ତାଙ୍କ ପୁଅକୁ ଯେତେଶୀଘ୍ର ସମ୍ଭବ ବିବାହ ଦେବାକୁ ଚାହାଁନ୍ତି । ତେଣୁ ସେ କହିଲେ, “ଏଥିରେ ମୋର କୌଣସି ଆପତ୍ତି ନାହିଁ, ସେ ଦୁହିଁଙ୍କଭିତରୁ କେଉଁଟିକୁ ତୋର ପସନ୍ଦ ।”
ପିତାଙ୍କ କଥା ଶୁଣି ଯୁବରାଜ ଆଶ୍ୱସ୍ତ ହୋଇ କହିଲେ, “ଦୁଇଜଣଯାକ ସୁନ୍ଦର । ତଥାପି ମୁଁ ସେମାନଙ୍କ ପାଖକୁ ଯାଇ ଦେଖିବି ଯେ କିଏ ପ୍ରକୃତରେ ମୋ ସ୍ତ୍ରୀ ହେବାପାଇଁ ଯୋଗ୍ୟ ।”
ପରଦିନ ରାଜା ଓ ଯୁବରାଜ ଛଦ୍ମବେଶରେ ଯାଇ ସେ କାଠୁରିଆ ଘରେ ପହଁଚିଲେ । ସେତେବେଳେ ସୂର୍ଯ୍ୟଦୟର ସମୟ; କାଠୁରିଆ କାଠ କାଟିବାକୁ ଜଙ୍ଗଲକୁ ଚାଲିଯାଇଥିଲା । ଚମ୍ପା ଦୁଆର ଓଳାଇ ସେଥିରେ ପାଣି ଛିଂଚୁଥିଲା । ଦୁଇଜଣ ଅଚିହ୍ନା ଲୋକଙ୍କୁ ଦେଖି ସେ ଖଟରେ ଚଦର ବିଛାଇ ତାଙ୍କୁ ସେଥିରେ ବସିବାକୁ ଦେଲା ଓ କହିଲା, “ଆପଣମାନେ ମୋ ବାପାଙ୍କ ସହିତ ଦେଖା କରିବାକୁ ଚାହାଁନ୍ତି? କିନ୍ତୁ ସେ ତ ଏବେ କାମ କରିବାକୁ ଚାଲିଗଲେଣି । ବର୍ତ୍ତମାନ ତ ସେ ଆଉ ଫେରିବେ ନାହିଁ । ଠିକ୍ ସଂଧ୍ୟ୍ୟାକୁ ବାପା ଫେରିବେ । ମା’ ଭିତରେ ଅଛନ୍ତି । ଆପଣମାନେ ତାଙ୍କ ସହିତ କଥା ହେବାକୁ ଚାହାଁନ୍ତି?”
ଇତିମଧ୍ୟରେ ଦୁର୍ଗା ବାହାରି ଆସିଲା । ସେ ଚୁନ୍ନିକୁ ଗାଳିବର୍ଷଣ କରିଚାଲିଛି, କାରଣ ଥଳୀ ସୁନାମୋହରରେ ଭର୍ତ୍ତି ହେବ । ଚମ୍ପା ଘର ଭିତରକୁ ଯାଇ ମା’କୁ ସବୁ କଥା କହିଲା । ଚମ୍ପା କଥା ଶୁଣି ଦୁର୍ଗା କହିଲା, “ତୁ ତାଙ୍କୁ କହିଦେ, ମୋର ଆଜି କାହାସଙ୍ଗେ ବି କଥାବାର୍ତ୍ତା ପାଇଁ ଅବସର ନାହିଁ । ଆଜି ଦେଶର ରାଜା ଆସିଲେ ମଧ୍ୟ ମୁଁ ତାଙ୍କୁ ଏଠାରୁ ଫେରାଇ ଦେବି ।”
ଚମ୍ପା ଘର ଭିତରୁ ବାହାରକୁ ଆସି ଆଗନ୍ତୁକ ଅତିଥୀମାନଙ୍କୁ କହିଲା, “ଆଜି ମା’ ବଡ ବ୍ୟସ୍ତ ଅଛି, ସେ ଆପଣମାନଙ୍କ ସହିତ କଥା କହି ପାରିବ ନାହିଁ ଦୟାକରି ଆପଣ ପରେ ଆସନ୍ତୁ ।”
“ଠିକ୍ ଅଛି, ସେ ଦେଖା କରିବାକୁ ନ ଆସିଲେ, ଆମେ ଆଉ କେବେ ପୁଣି ଦେଖା କରିବୁ ।” ରାଜା ଏତିକି କହି ତା’ପରେ ସେମାନେ ସେଠାରୁ ଫେରିଗଲେ । ବାଟରେ ରାଜା ବିଜୟକୁ କହିଲେ, “ଆମେ ତ ଜଣେ ଝିଅକୁ ଦେଖିଲେ ହେଲେ ତୁମେତ ଦୁଇଜଣଙ୍କ କଥା କହୁଥିଲ । କାହିଁକି ଆଉ ପୁଣି ଆସିବା । କିନ୍ତୁ ଏଇ ଝିଅଟି ମୋତେ ଭାରି ଭଲ ଲାଗୁଛି ।”
ପିତାଙ୍କ କଥାରେ ଏକମତ ହୋଇ ବିଜୟ କହିଲେ, “ତାହେଲେ ତ ଆମର କାଲି ଆସିବା ଆଉ କିଛି ବି ଦରକାର ନାହିଁ । ଅନ୍ୟ ଝିଅଟି ଯିଏ ମା’ ଠାରୁ ଏତେ ଗାଳି ଖାଉଛି, ଜଣାଯାଉଛି ସେ ବଡ ଗୋଳମାଳିଆ । ତେବେ ତ ଠିକ୍ ହୋଇଗଲା ।”
ପରଦିନ ରାଜାଙ୍କ ସୈନିକମାନେ ଆସି କାଠୁରିଆ ବଂଶଙ୍କୁ ବଡ ଜାକଜମକରେ ରାଜା ଘରକୁ ନିମନ୍ତ୍ରଣ କରି ନେଇ ଆସିଲେ । ସେଠାରେ ପହଁଚି ଦୁର୍ଗା ବୁଝିଲା ଯେ କଥାଟା କ’ଣ? ଏହାପରେ ସେ ନିଜେ ବଡ ଲଜ୍ଜା ଅନୁଭବ କଲା ଓ ଚମ୍ପାକୁ କ୍ଷମାମାଗି କହିଲା, “ଝିଅ, ମୋର ବଡ ଭୁଲ୍ ହୋଇ ଯାଇଛି । ମୁଁ ତୋତେ ବହୁତ ହଇରାଣ କରିଛି । ମୋର ଇର୍ଷ୍ୟା ଓ ସ୍ୱାର୍ଥର ଫଳ ମୁଁ ଏବେ ଠିକ୍ ପାଇସାରିଛି । କିନ୍ତୁ ତୁ ସବୁ ସହିଛୁ । ତୋର ସହନଶୀଳତା ଯୋଗୁଁ ତୁ ଆଜି ଏ ଦେଶର ମହାରାଣୀ ହେବାକୁ ଯାଉଛୁ । ପୂର୍ଣ୍ଣିମା ରାତ୍ରିର ପ୍ରେତ ଯୋଗୁଁ ଚୁନ୍ନି ମଧ୍ୟ କିଛି ମୋହର ପାଇଛି ସେତିକି ପୁଞ୍ଜି ନେଇ ତା’ ପାଇଁ କେଉଁଠୁ କାଠୁରିଆଟିଏ ଖୋଜି ତାକୁ ମୁଁ ତା’ସହ ବାହାଦେବି ।” ଏତିକି କହି ଦୁର୍ଗା ଦୁଃଖରେ କାନ୍ଦିଲା ।
ଚମ୍ପା ସାନ୍ତ୍ୱନା ଦେଇ କହିଲା, “ମା’ ସେ କି କଥା? ମୋ ସାନ ଭଉଣୀ ପାଇଁ ବହୁତ ଭଲ ବର ଖୋଜି ମୁଁ ତାକୁ ତା’ସହିତ ବାହା ଦେବି ।”
ଯୁବରାଜ ବିଜୟ ମଧ୍ୟ କହିଲେ, ମୁଁ ତ ଏ ଦେଶର ଭାବି ରାଜା । ତେଣୁ ଚୁନ୍ନିକୁ ସାଧାରଣ ଲୋକ କାହିଁକି କେହି ବାହାହେବ । ତା’ପାଇଁ ମୁଁ ରାଜକୁମାର ବର ଖୋଜି ଦେବି । ସେ ଦାୟିତ୍ୱ ମୋର ।”
ଏକଥା ଶୁଣି ଦୁର୍ଗା ଓ ଚୁନ୍ନି ବହୁତ ଖୁସି ହେଲେ ।