ଗୋଟିଏ ସହରରେ ଚାରିଜଣ ବ୍ରାହ୍ମଣ ବାସ କରୁଥିଲେ । ସେମାନେ ପିଲା ଦିନରୁ ଘନିଷ୍ଠ ବନ୍ଧୁ ଥିଲେ । ଦିନେ ସେମାନେ ଠିକ୍ କଲେ । ପଡୋଶୀ ରାଜ୍ୟକୁ ଯାଇ ସେଠାରେ ଅଧିକ ବିଦ୍ୟା ଶିକ୍ଷା କରିବେ ଏବଂ ଏହି ବିଦ୍ୟାକୁ ଉପଯୋଗ କରି କିଛି ଧନ ଉପାର୍ଜ୍ଜନ କରିବେ । ଏହା ଚିନ୍ତା କରି ସେମାନେ “ପଡୋଶୀ ରାଜ୍ୟକୁ” ଯିବାପାଇଁ ବାହାରି ପଡିଲେ । ସେଠାରେ ସେ ଏକ ବିଦ୍ୟାଳୟରେ ବିଦ୍ୟା ଆରମ୍ଭ କଲେ । ସେଠାରେ ସେମାନେ କାଳ କଠିନ ପରିଶ୍ରମ କଲେ ।
ଦିନେ ସେମାନେ କଥା ହେଲେ, ଆମ୍ଭେମାନେ ତ ବିଜ୍ଞାନର ସମସ୍ତ ବିଦ୍ୟାକୁ ଅଧ୍ୟୟନ କରିସାରିଲୁଣି । ତେଣୁ ଗୁରୁଙ୍କ ନିକଟକୁ ଯାଇ ଗୃହକୁ ପ୍ରତ୍ୟାବର୍ତନ ନିମନ୍ତେ ଅନୁମତି ମାଗିବା । ଏହା କହି ସେମାନେ ଗୁରୁଙ୍କ ନିକଟରେ ପହଁଚିଗଲେ । ଗୁରୁ ମଧ୍ୟ ଶ୍ରଦ୍ଧାରେ ସେମାନଙ୍କର ଶୁଭ ମନାସି ସେମାନଙ୍କୁ ବିଦାୟ ଦେଲେ । ଗୃହକୁ ଯିବା ବାଟରେ ସେମାନେ ଏକ ଛକ ସ୍ଥାନରେ ଅଟକି ଗଲେ । ଛକର ଦୁଇଟି ଦିଗକୁ ଦୁଇଟି ରାସ୍ତା ଯାଇଛି । ସେମାନେ ପ୍ରଥମେ କେଉଁ ରାସ୍ତାରେ ଯିବେ ତାହା ଠିକ୍ ନକରିପାରି ସେହି ଛକ ଉପରେ ବସିପଡିଲେ । କିଛି ସମୟପରେ ସେମାନେ ଦେଖିଲେ ସହରର କେତେକ ବ୍ୟକ୍ତି ଜନୈକ ବଣିକଙ୍କର ଶବକୁ ସତ୍କାର କରିବା ପାଇଁ ମଶାଣିକୁ ନେଉଛନ୍ତି । ସଂଗେ ସଂଗେ ଜଣେ ବ୍ରାହ୍ମଣ ପଣ୍ଡିତ ଶାସ୍ତ୍ର ଫିଟାଇ ଦେଖି କହିଲେ, ବନ୍ଧୁଗଣ! ଶାସ୍ତ୍ରରେ ଲିଖିତ ଅଛି, “ଯେଉଁ ପଥରେ ମହାଜନମାନେ ଯାଆନ୍ତି ସେହି ପଥରେ ଯାତ୍ରା କଲେ ମନରୁ ରାଗ, ଭ୍ରାନ୍ତି ଦୂର ହୋଇଯିବ ।”ତେଣୁ ଆମ୍ଭମାନଙ୍କ ପାଇଁ ଏହି ପଥ ହେଉଛି ପ୍ରକୃଷ୍ଟ ପଥ । ତେଣୁ ଚାଲ, ଆମେ ସେମାନଙ୍କୁ ଅନୁସରଣ କରି ଏହି ବାଟେ ଯିବା । ବନ୍ଧୁ ଜଣକର କଥା ଅନୁସାରେ ସେମାନେ ସେହି ବାଟରେ ଚାଲିଲେ । ଶେଷରେ ସେମାନେ ଯାଇ ଏକ ମଶାଣିରେ ପହଁଚିଲେ ।