ଏହାପରେ ଦ୍ୱିତୀୟ ପଣ୍ଡିତ ଜଣକ ଶାସ୍ତ୍ର ଫିଟାଇ ଦେଖି କହିଲେ, “ଉତ୍ସବ ସମୟରେ, ବିପଦକାଳରେ, ଦୁର୍ଭିକ୍ଷ ପଡିଥିବାବେଳେ, ସଂକଟରେ ଥିବା ସମୟରେ, ରାଜ ଦରବାରରେ କିମ୍ବା ଶ୍ମଶାନରେ ଯାହାକୁ ଦେଖିବ ତା’ ସହିତ ବନ୍ଧୁତା କରିନେବା ଉଚିତ୍ ।” ଆମ୍ଭେମାନେ ତ ବର୍ତ୍ତମାନ ଶ୍ମଶାନରେ ପହଁଚିଯାଇଛେ । ଆମ୍ଭମାନଙ୍କ ସମ୍ମୁଖରେ ଏକ ଗଧଟିଏ ଚରୁଛି । ଶାସ୍ତ୍ର ଅନୁଯାୟୀ ଆମ୍ଭର ଗଧ ସହିତ ବନ୍ଧୁତା କରିବା ଆବଶ୍ୟକ । ସଂଗେ ସଂଗେ ଚାରିବନ୍ଧୁ ଗଧ ନିକଟରେ ଯାଇ ପହଁଚିଗଲେ । ଜଣେ ପ୍ରଥମେ ଗଧକୁ ଆଉଁସି ଦେଲା । ଅନ୍ୟଜଣକ ତା’ର ବେକକୁ କୁଣ୍ଢାଇଧରି ଗେହ୍ଲାକଲା । ଆଉଜଣେ ଗଧର ମୁଣ୍ଡକୁ ଆଉଁସି ଗଧଭାଇ କିପରି ଅଛ ବୋଲି ପଚାରିଲା?
ଏମାନଙ୍କ ଏପ୍ରକାର କାର୍ଯ୍ୟକଳାପ ଦେଖି ଗଧଟି ଭୟଭୀତ ହୋଇ ଧାଇଁବାକୁ ଲାଗିଲା । ସଂଗେ ସଂଗେ ତୃତୀୟ ପଣ୍ଡିତ ଜଣକ ପୁରାଣ ପୋଥି ଫିଟାଇ ଦେଖି କହିଲେ, ଗଧଟି ଦ୍ରୁତ ଗତିରେ ଧାଉଁଛି, ମାନେ ଧର୍ମ ଦ୍ରୁତ ଗତିରେ ଗମନ କରୁଛି । ଗଧଟି ଖୁବ୍ ଜୋର୍ରେ ଦୌଡୁଥିବାରୁ ଏହି ଗଧ ହେଉଛି ଧର୍ମ । ଠିକ୍ ଏହି ସମୟରେ ଏକ ଓଟ ମଧ୍ୟ ସେଠାରେ ପହଁଚି ଖୁବ୍ ଜୋର୍ରେ ଗତି କଲା । ତେଣୁ ପଣ୍ଡିତ ଜଣକ ଓଟକୁ ମଧ୍ୟ ଧର୍ମ ନାମରେ ଅଭିହିତ କଲେ । ଚତୁର୍ଥ ପଣ୍ଡିତ ଜଣକ ନିଜ ଶାସ୍ତ୍ର ଦେଖି କହିଲେ, ଗଧ ରୂପୀ ଧର୍ମ ଏବଂ ଓଟ ରୂପୀ ଧର୍ମକୁ ମିଳନ କରାଇବା ଉଚିତ୍ । ଏହାପରେ ସେମାନେ ମିଳିମିଶି ଗଧଟାକୁ ଅଟକାଇଲେ । ଏହାପରେ ଓଟର ବେକରେ ଏକ ରସି ବାନ୍ଧି ଟାଣି ଟାଣି ଗଧ ନିକଟକୁ ଆଣିଲେ । ଶେଷରେ ଗଧ ବେକ ସହିତ ଓଟ ବେକକୁ ବାନ୍ଧିଦେଲେ । କିଛି ସମୟପରେ ଗଧର ମାଲିକ ଧୋବା ଏକ ଶକ୍ତ ଠେଙ୍ଗାଧରି ଆସିଲା । ପାଳିଥିବା ଗଧର ଏପରି ଅବସ୍ଥା ଦେଖି ପଣ୍ଡିତମାନଙ୍କୁ ଠେଙ୍ଗା ଧରି ଘଉଡାଇଲା । ପଣ୍ଡିତମାନେ ପ୍ରାଣ ବିକଳରେ ଧାଇଁଲେ । କିଛିବାଟ ଯିବାପରେ ଏକ ନଦୀ ପାଖରେ ପହଁଚିଲେ । ନଦରୀ ସୁଅରେ ଏକ ପଳାଶ ପତ୍ର ଭାସି ଯାଉଥିବାର ସେମାନେ ଦେଖିବାକୁ ପାଇଲେ ।
ପତ୍ର ଭାସିବାର ଦେଖି ପଣ୍ଡିତ ଜଣକ କହିଲେ, ‘ବନ୍ଧୁଗଣ! ଏହି ପତ୍ର ଆମର ଦୁଃଖ କଷ୍ଟକୁ ଦୂର କରିବ’ । ଏହା କହି ସେ ସଂଗେ ସଂଗେ ପତ୍ର ଉପରକୁ ଡେଇଁପଡିଲେ । ନଦୀରେ ସ୍ରୋତ ପ୍ରଖର ଥିଲା । ପଣ୍ଡିତ ଜଣକ ସଂଗେ ସଂଗେ ବୁଡିଯିବାକୁ ବସିବାରୁ ଆଉ ଜଣେ ପଣ୍ଡିତ ତାଙ୍କର ଚୁଟିକୁ ଧରି ଉଠାଇବାକୁ ଚେଷ୍ଟା କଲେ । କିଛି ସମୟପରେ ପଣ୍ଡିତ ଜଣକ ମୁଣ୍ଡରେ କି ବୁଦ୍ଧି ଦେଖାଦେଲା କେଜାଣି ସେ ବୁଡିଯାଉଥିବା ପଣ୍ଡିତଙ୍କର ମୁଣ୍ଡ ଗଣ୍ଡି ହାଣିଦେଇ ଅଲଗା କରିଦେଲେ । ହାତ ମଧ୍ୟରେ ମୁଣ୍ଡଟି ଥିଲା । ମୁଣ୍ଡଟି ଆଣି ନଦୀ ବନ୍ଧ ଉପରେ ରଖିଦେଲେ । ବନ୍ଧୁମାନଙ୍କୁ କହିଲେ, ବନ୍ଧୁଜଣକ ପୂରାପୁରି ବୁଡିଯାଉଥିଲେ, ମୁଁ ତ ତାଙ୍କ ଅଧା ଶରୀରକୁ ରକ୍ଷା କରିପାରିଲି । ଏହାପରେ ପଣ୍ଡିତମାନେ ସେହି ଅଧା ଶରୀରକୁ ନଦୀ ବନ୍ଧରେ ଛାଡି ଆଗକୁ ଚାଲିଲେ ।
କିଛିବାଟ ଚାଲି ଚାଲି ଗଲାପରେ ଏକ ଗ୍ରାମ ପଡିଲା । ସେତେବେଳକୁ ସୂର୍ଯ୍ୟ ଅସ୍ତ ଗଲେଣି । ବାଧ୍ୟ ହୋଇ ତିନିବନ୍ଧୁ ସେଠାରେ ରହିବାକୁ ଠିକ୍ କଲେ । ଗ୍ରାମବାସୀମାନେ ମଧ୍ୟ ସେମାନଙ୍କ ଗ୍ରାମରେ ତିନିଜଣ ପଣ୍ଡିତଙ୍କୁ ଦେଖି ବହୁତ ଖୁସି ହେଲେ ଓ ନିଜ ନିଜ ଘରକୁ ରାତିରେ ଖାଇବାପାଇଁ ଆମନ୍ତ୍ରଣ କଲେ । ପ୍ରଥମେ ଜଣେ ପଣ୍ଡିତ ଏକ ମହାଜନଙ୍କ ଘରକୁ ଖାଇବାକୁ ଗଲେ । ସେଠାରେ ପଣ୍ଡିତଙ୍କୁ ସିମେଇ କ୍ଷୀରି ଖାଇବାକୁ ଦିଆଗଲା । ସିମେଇ ଗୁଡିକ ତ ସୂତା ପରି ଦେଖାଯାଉଥାଏ । ଏହାକୁ ଦେଖି ପଣ୍ଡିତ ଜଣକ ସଂଗେ ସଂଗେ ଶାସ୍ତ୍ର କଥା ମନେପକାଇଲେ । ପ୍ରକୃତରେ ଏହି ଦୀର୍ଘ ସୂତାର ଅର୍ଥ ଅଳସୁଆ ବ୍ୟକ୍ତି । ଯେଉଁ ବ୍ୟକ୍ତି ଆଳସ୍ୟ ପରାୟଣ ହୁଏ, ଶେଷରେ ସେ ମୃତ୍ୟୁବରଣ କରେ । ଏହା ଭାବି ପଣ୍ଡିତ ଜଣକ ସିମେଇ କ୍ଷୀରି ନଖାଇ ଚାଲିଗଲେ ।
ସେହିପରି ଦ୍ୱିତୀୟ ପଣ୍ଡିତ ଜଣକ ଯାହା ଘରକୁ ଖାଇବାକୁ ଗଲେ, ସେଠାରେ ତାଙ୍କୁ ମଣ୍ଡାପିଠା ଖାଇବାକୁ ଦିଆଗଲା । ମଣ୍ଡାପିଠା ଦେଖିବା ମାତ୍ରକେ ତାଙ୍କର ଶାସ୍ତ୍ରରେ ବର୍ଣ୍ଣିତ କଥା ମନେ ପଡିଗଲା । ଶାସ୍ତ୍ରରେ ଲେଖାଥିଲା ଯେଉଁ ଖାଦ୍ୟ ବୃହତ୍ ଆକାର ଧାରଣ କରିଥାଏ, ସେହି ଖାଦ୍ୟ ସେବନ କଲେ ଅକାଳରେ ମୃତ୍ୟୁ ବରଣ କରିବାକୁ ପଡିଥାଏ । ଏହା ଭାବି ପଣ୍ଡିତ ଜଣକ ମଣ୍ଡାପିଠା ନଖାଇ ଉପବାସରେ ଫେରିଲେ । ସେହିପରି ତୃତୀୟ ପଣ୍ଡିତଙ୍କ ଉଦ୍ଧେଶ୍ୟରେ ଗୃହସ୍ଥ ଚିତଉପିଠା କରିଥାଆନ୍ତି । ଚିତଉ ପିଠାରେ ଥିବା କଣା ଗୁଡିକୁ ଦେଖି ପଣ୍ଡିତଙ୍କର ଶାସ୍ତ୍ର କଥା ମନେପଡିଗଲା । ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିଲା ଯେଉଁ ପିଠାରେ ଛିଦ୍ର ଥିବ ତା’କୁ ଭକ୍ଷଣ କଲେ ଅନର୍ଥ ଉପୁଜି ଥାଏ । ଏହି କଥା ମନେପଡିଯିବା ମାତ୍ରକେ ପଣ୍ଡିତେ ଖାଇବେ କ’ଣ? ସଂଗେ ସଂଗେ ସେହି ବ୍ୟକ୍ତିଙ୍କ ଘରୁ ଚାଲିଆସିଲେ ।
ତିନିଜଣଯାକ ପଣ୍ଡିତ ସାରା ରାତି ଉପବାସରେ କଟାଇଦେଲେ । କିନ୍ତୁ ଗ୍ରାମବାସୀମାନେ ପଣ୍ଡିତଙ୍କର ଏତାଦୃଶ ଆଚରଣ ଦେଖି ମନେ ମନେ ହସୁଥାଆନ୍ତି । ବାସ୍ତବିକ ଏହି ପଣ୍ଡିତମାନେ ପୋଥିଗତ ବିଦ୍ୟା ହାସଲ କରିଛନ୍ତି । ପ୍ରକୃତରେ ସେମାନେ ଏକ ଏକ ମୂର୍ଖ ପଣ୍ଡିତ । କାହାଣୀଟି ଶୁଣିସାରି ଚକ୍ରଧର କହିଲେ, “ବିଚରା ପଣ୍ଡିତମାନଙ୍କର ଦୁର୍ଭାଗ୍ୟ । ସୌଭାଗ୍ୟ ବଶତଃ ଜଣେ ବ୍ୟକ୍ତି ଅରଣ୍ୟରେ ପଡିରହିଲେ ମଧ୍ୟ ବଂଚିଥାଏ କିନ୍ତୁ ହତଭାଗ୍ୟ ବ୍ୟକ୍ତି ଯେତେ ଯତ୍ନରେ ରହିଲେ ମଧ୍ୟ ମୃତ୍ୟୁବରଣ କରେ । ଚକ୍ରଧର ଏ ସଂପର୍କରେ ଏକ କାହାଣୀ କହିବାକୁ ଆରମ୍ଭ କଲେ ।