ସେମାନେ ସେ ଦିନ ସହରର ଗୋଟିଏ ଧର୍ମଶାଳାରେ ବିଶ୍ରାମ ନେଲେ । ବହୁତ ପରିଶ୍ରମ ହୋଇ ଥାଏ । ସାନ ଭଉଣୀ ଚେତା ନଥିବା ପରି ନିଘୋଡ ନିଦରେ ଶୋଇ ପଡିଛି । ସେତିକି ବେଳେ ସାନ ଭାଇ ଭାବିଲା, ଏପରି ଗୁଣି ଗାରେଡି ଜାଣି ଥିବା ଝିଅକୁ ନେଇ ନିଜର ସ୍ତ୍ରୀ କରି ରଖିବ ସିନା, ହେଲେ ତା ପ୍ରତି, ତାର ଗୁଣି ଗାରେଡି ପ୍ରତି ତ ଭୟ ରହିବ । ଆଜି ଭଲରେ ଭଲରେ ସମୟ ଅତିବାହିତ ହେବ । କାଲି ଯେତେ ବେଳେ କୌଣସି ଅସୁବିଧା ହେବ । ସେଦିନ ନିଶ୍ଚୟ ଏ ଗୁଣି ଗାରେଡି ପେଶି ମୋତେ ହତ୍ୟା କରିବାକୁ ଭୁଲିବ ନାହିଁ । ତେଣୁ ୟାକୁ ଏହି ଠାରେ ଶେଷ କରି ଦେଲେ ମଣିଷର ଗୋଟାଏ କଂଟା ଯିବ । ସାନ ଭାଇ ସିନା ଏକଥା ସେହି ମୁହୁର୍ତରେ ଭାବିଲା । ହେଲେ ପର ମୁହୂର୍ତକୁ ସେ ଭାବିଲା ଯେ ଝିଅଟାର କି ଦୋଷ, ସେ ତ ମୋର ତିନି ଭାଇଙ୍କୁ ଏତେ ବଡ ବିପଦରୁ ମୁକୁଳାଇ ଦେଲା । ଏପରି ଅବସ୍ଥାରେ ମୁଁ କିପରି ତାକୁ ହତ୍ୟା କରିବି । ଏଥି ଲାଗି ସ୍ତ୍ରୀ ହତ୍ୟା ଦୋଷ ମୋତେ ଲାଗିବ । ନାଁ ତାହା କରିବା ଉଚିତ୍ ନୁହେଁ । ବରଂ ତା’ର ଜୀବନ ରହୁ, ମୁଁ ଏଠାରୁ ପଳାଇ ଯିବାଟା ଉଚିତ୍ ହେବ ।
ଏହା ପରେ ସାନ ଭାଇ ସେୟା କଲା, ସାନ ଭଉଣୀ ନିଦ୍ରାରେ ଶୋଇ ଥିବା ଅବସ୍ଥାରେ ସେ ସହର ଛାଡି ପଳାଇ ଗଲା ।
ରାତି ପାହି ସକାଳ ହେବାରୁ ସାନ ଝିଅ ଦେଖିଲା । ସାନ ଭାଇ ଆଉ ତା’ ପାଖରେ ନାହିଁ । ସେ ତାକୁ ଠକାଇ ଦେଇ ପଳାଇ ଯାଇଛି । ସେ ତା’ର ପ୍ରତିଶୋଧ ନେବାକୁ ଚାହିଁ ଥିଲେ । କ’ଣ କେବେ କରି ପାରି ଥାଆନ୍ତା । ହେଲେ ମନରେ ତା’ର ଭୟ, ଭକ୍ତି, ଆଦର ତା’ ପ୍ରତି ଥିଲା ସେ ଭାବିଲା ସ୍ୱାମୀ ସିନା ମୋ ପ୍ରତି ଭୁଲ୍ କରି ମୋତେ ଅଧା ରାସ୍ତାରେ ଛାଡି ଚାଲି ଗଲେ । ଏଣିକି ମୋର ଦୁଃଖ ପଡିଲା ସେ ଦୁଃଖକୁ ତ ମୁଁ ଫେରାଇ ପାରିବି ନାହିଁ । ମୋତେ ହିଁ ଭୋଗିବାକୁ ହେବ । ତାଙ୍କ ଲାଗି ବିପଦ ଘଟାଇଲେ ସେଥିରେ ତ ମୋର କୌଣସି ଲାଭ ହେବ ନାହିଁ । ସେ ଗଲେ ଗଲେ, ଠାକୁରାଣୀଙ୍କ କୃପାରୁ ସେ ଯେଉଁଠି ଥାଆନ୍ତୁ ସେଠାରେ ସେ ସୁଖରେ ଥାଆନ୍ତୁ ।
ଏହା ଭାବି ସାନ ଝିଅ ଆଖିରୁ ଲୁହ ପୋଛି ନିଜେ ସନ୍ନ୍ୟାସିନୀ ବେଶ ଧାରଣ କରି ଜଙ୍ଗଲ ଆଡକୁ ପଳାଇ ଗଲା ।