ସେ ଦିନ ଚାରି ଭାଇଙ୍କର ସେହି ଅରଣ୍ୟ ମଧ୍ୟରେ ହିଁ ରାତ୍ରି ପାହିଲା ।
ସକାଳ ହେଲା ତଥାପି ତାଙ୍କର ନିଦ ଭାଙ୍ଗିଲା ନାହିଁ । ଯେତେ ବେଳେ ଟାଣ ଖରା ଯାଇ ସେମାନଙ୍କ ଉପରେ ପଡିଲା । ସେତେ ବେଳେ ଯାଇ ଚାରି ଭାଇଙ୍କ ନିଦ୍ରା ଭାଙ୍ଗିଲା ।
ନିଦ ଭାଙ୍ଗିବାରୁ ସେମାନେ ତର ବର ହୋଇ ଉଠିଲେ । ରାତ୍ରି ସାରା ଓ ଦିନଟା ଉପାସରେ କଟାଇ ଥିବା କାରଣରୁ ସେମାନଙ୍କୁ ଖୁବ୍ ଭୋକ ହେଉ ଥାଏ । ଶିକାର ତ କରି ପାରିଲେ ନାହିଁ । ଭୋକ ହେବାରୁ ସେମାନେ ବିଚାର କଲେ ଏବେ ଆମେ ରାଜ ଉଆସକୁ ଫେରି ଯିବା ।
ଏହା ପରେ ରାଜା ପୁଅ ଚାରି ଭାଇ ନିଜର ରାଜ ଉଆସକୁ ବାହୁଡି ଯିବା ଲାଗି ଅଶ୍ୱ ମାନଙ୍କୁ ଦୌଡାଇ ଦେଲେ ।
ସେମାନଙ୍କର ସେଦିନ ଦୁର୍ଯୋଗ ଥିଲା, ଅଶ୍ୱ କିମ୍ବା ରାଜା ପୁଅ ମାନେ ନିଜ ରାଜ୍ୟକୁ ବାହୁଡିବା ରାସ୍ତା ଭୁଲି ଯାଇ ଅନ୍ୟ ଏକ ରାସ୍ତାରେ ଚାଲି ଗଲେ ।
ଅଶ୍ୱ ମାନେ ଯେ କେତେ ଦୂର ଚାଲି ଗଲେଣି ତାହା ରାଜା ପୁଅ ମାନଙ୍କୁ ଜଣା ପଡିଲା ନାହିଁ । ସେମାନେ ଏଭଳି ଯାଉ ଯାଉ ଅନ୍ୟ ଏକ ରାଜ୍ୟରେ ପହଁଚି ଗଲେ । ଭୋକ ତ ଭୋକ ସେତେ ବେଳକୁ ଏତେ ଜୋର୍ରେ ଶୋଷ ହେଉ ଥିଲା ଯେ ସେମାନେ କେଉଁ ଠାରେ ପାଣି ମୁନ୍ଦେ ପାଇବେ ସେହି ଲକ୍ଷରେ ଥାଆନ୍ତି ।
ଯୋଗକୁ ଗୋଟିଏ ଗାଁ ମୁଣ୍ଡରେ ଏକ କୂଅ ଦେଖିଲେ । ହେଲେ କ’ଣ ହେବ କୂଅ ମୂଳରେ ଗାଁଟା ସାରା ମାଇପେ ହାଣ୍ଡି କୁଣ୍ଡେଇ ଧରି ବସିଛନ୍ତି । ଜଣଙ୍କ ପରେ ଜଣେ ସେ କୂଅରୁ ପାଣି ନେଉଛନ୍ତି ।
ଚାରି ଭାଇଙ୍କୁ ତ ଖୁବ୍ ଶୋଷ ହେଉ ଥାଏ, ସେମାନେ ମଧ୍ୟ ପାଣି ପିଇବା ଲାଗି ସେହି କୂଅ ପାଖକୁ ଯାଇ ପିଇବାକୁ ପାଣି ମାଗନ୍ତେ ସେଥି ମଧ୍ୟରୁ ଜଣେ ସ୍ତ୍ରୀ ଲୋକ ମାଠିଆରେ ମାଠିଏ ପାଣି ଆଣି ସେମାନଙ୍କୁ ପିଇବାକୁ ଦେଲା ।