ରାଜା ପୁଅ ଚାରି ଜଣ – ଭୋଜନାଳୟ ମଧ୍ୟରେ ବସି ଥାଆନ୍ତି । ଏହା ମଧ୍ୟରେ ସାନ ଭଉଣୀ ଜଣଙ୍କ ଚାରି ଭାଇଙ୍କର ସୁନ୍ଦର ଚେହେରା ଦେଖି ଆସକ୍ତ ହୋଇ ପଡିଲା । ଆଉ ମଧ୍ୟ ଅନ୍ୟ ତିନି ଭଉଣୀଙ୍କୁ କହିଲା – ତମେ ମାନେ ଭାବନା ଯେ ଏମାନେ ସାଧାରଣ ଘରର ପୁଅ । ଏମାନେ ନିଶ୍ଚୟ କୌଣସି ରାଜାଙ୍କର ପୁଅ । ପଥ ଭୁଲି ଏ ସହରକୁ ପଳାଇ ଆସି ଛନ୍ତି ।
ସାନ ଭଉଣୀର କଥା ଶୁଣି ସମସ୍ତଙ୍କର ମଧ୍ୟ ସେହି ପରି ମନେ ହେଲା ସେମାନେ ତ ଗୁଣି, ଯନ୍ତ୍ର, ମନ୍ତ୍ର, ତନ୍ତ୍ର ବିଦ୍ୟାରେ ପାରଙ୍ଗମ, ତେଣୁ ବଡ ତିନି ରାଜା ପୁଅଙ୍କୁ ତିନି ବଡ ଭଉଣୀ ନିଜ କୋଠରିକୁ ମେଣ୍ଢା କରି ନେଇ ଗଲେ ।
ସେମାନେ ତିନି ରାଜା ପୁଅଙ୍କୁ ଦିନ ବେଳା କୋଠରି ମଧ୍ୟରେ ମେଣ୍ଢା କରି ରଖୁ ଥିଲେ ପୁଣି ରାତି ହେଲେ ମଣିଷ କରି ଦେଉ ଥିଲେ । ତା’ପରେ ଚାରି ଭାଇଙ୍କ ସହିତ କାମନା ବାସନାରେ ମାତି ଆନନ୍ଦ କରୁଥିଲେ । ସେହି ପରି ସାନ ଭଉଣୀ ସାନା ରାଜା ପୁଅକୁ ନିଜର ଆୟତରେ ରଖି ନେଲା, ତାଙ୍କୁ ନିଜର ସ୍ୱାମୀ ଭାବେ ଖୁବ୍ ସେବା ଯତ୍ନ କରୁ ଥାଏ । ସାନ ଭଉଣୀର ଏପରି ବ୍ୟବହାର ଦେଖି ରାଜାଙ୍କର ସାନ ପୁଅ ମଧ୍ୟ ସେହି ଝିଅକୁ ଭଲ ପାଇ ବସିଲା । ସେ କିନ୍ତୁ ସାନ ପୁଅକୁ ମେଣ୍ଢା କରି ରଖିଲା ନାହିଁ । ସାଧାରଣତ ମନୁଷ୍ୟ ଭାବରେ ପାଖରେ ରଖି ଭଲ ପାଇଲା । ସେଥି ଯୋଗୁଁ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ଏପରି ନିଗୂଢ ହୋଇ ଗଲା ଯେ ଏବେ କେହି କାହାକୁ ଛାଡି ରହି ପାରିଲେ ନାହିଁ ।
ଏହି ଭଳି ଭାବରେ ଚାରି ଭାଇ ଚାରି ଭଉଣୀଙ୍କ ପାଖରେ ରହି ଥାଆନ୍ତି । ଦିନେ ରାଜାଙ୍କର ସାନ ପୁଅର ପିତା ମାତା ଓ ତାର ରାଜ ଉଆସ କଥା ମନେ ପଡିଲା । ସେ ସ୍ଥାନରେ ଆଉ ତାକୁ କିଛି ଭଲ ଲାଗିଲା ନାହିଁ । ସଦା ସର୍ବଦା ମନ ମାରି ଯେଉଁଠି ବସିଲା ସେଠାରେ ଆଖିରୁ ଲୁହ ଗଡିଲା ।