ଏକଥା ଦେଖି ସାନ ଭଉଣୀର ମନରେ ଖୁବ୍ ଦୁଃଖ ସନ୍ତାପ ଆସିଲା । ସେ ତହୁଁ ରାଜା ପୁଅର ମନରେ ଆନନ୍ଦ ଆଣିବା ଲାଗି ଗଳାରେ ଦୁଇ ବାହୁ ଛନ୍ଦି ଗଣ୍ଡ ଦେଶରେ ଚୁମ୍ବନଟିଏ ଦେଇ କହିଲା – ତମର ଏବେ କ’ଣ ହୋଇଛି, ଏପରି ବିଷାଦ ମନରେ ଯେଉଁଠି ପାରୁଛ ସେଠାରେ ବସି ଯାଉଛ କାହିଁକି?
ସାନ ଭଉଣୀ ଠାରୁ ରାଜା ପୁଅ ଏପରି କଥା ଶୁଣି କହିଲା – ପ୍ରିୟେ ତୁମକୁ ସତ କହି ବିନିତ ଆଉ କାହା ପାଖରେ ସତ କହିବି । ଏବେ ମୋର ମାତା ପିତାଙ୍କ କଥା ଖୁବ୍ ମନେ ପଡୁଛି । ଚାରି ଭାଇ ଆମେ ସାଥି ହୋଇ ଆସି ଥିଲୁ ଆଜି ଯାଏଁ କେହି ହେଲେ ଜଣେ ଘରକୁ ଫେରିଲୁ ନାହିଁ । ପିତା ମାତା ବୃଦ୍ଧ ଅବସ୍ଥା ତାଙ୍କର ଆମ ଲାଗି ସେମାନେ ଖୁବ୍ ବ୍ୟସ୍ତ ହେଉ ଥିବେ । ତା’ପରେ ସେହି ତିନି ଭାଇ ଯାକ ବିବାହିତ, ଘରେ ସେମାନଙ୍କର ସ୍ତ୍ରୀ ମାନେ କେତେ ଯେ ଭାବୁ ଥିବେ । ସ୍ୱାମୀ ମାନଙ୍କ ଚିନ୍ତାରେ ସେମାନେ ହତଶିରୀ ହୋଇ ଯିବେଣି । ତୁମକୁ ମୋର ଅନୁରୋଧ, ତୁମେ ଏହାର କିଛି ବ୍ୟବସ୍ଥା କର । ଯେମିତି ହେଉ ସେମାନଙ୍କୁ ଉଦ୍ଧାର କରି ରାଜ୍ୟକୁ ପଠାଅ ।
ସାନ ରାଜା ପୁଅ ଠାରୁ ଏକଥା ଶୁଣି ସାନ ଝିଅ ବଡ ଅଡୁଆରେ ପଡି ଗଲା । ସେ କ’ଣ କରିବ କିଛି ବି ଭାବି ପାରିଲା ନାହିଁ । ଗୋଟେ ପଟେ ତିନି ଭାଇଙ୍କୁ ଉଦ୍ଧାର କରି ପଠାଇ ଦେଲେ ତିନି ଭଉଣୀଙ୍କ ମନରେ ଦୁଃଖ ହେବ । ଯଦି ତାହା କରି ନପାରିଲି ତାହା ହେଲେ ସ୍ୱାମୀଙ୍କ ମନକୁ ଦାରୁଣ ଦୁଃଖ ଆସିବ ।
ଏହା ପରେ ସାନ ଭଉଣୀ ମୁଣ୍ଡରେ ଗୋଟିଏ କଥା ତିନି ଭାଇଙ୍କୁ ଖସାଇ ଦେଲେ ଭଉଣୀ ମାନେ ଏବେ ଦୁଃଖରେ ଘାରି ହେବେ । ଯଦି ଖସାଇ ନଦେବି ମୋର ଏହି ପ୍ରିୟ ପୁରୁଷ ମୋତେ ଭୁଲ୍ ବୁଝିବେ । ଏହି ଭଳି ଚିନ୍ତା କରି କରି ଶେଷରେ ସାନ ଭଉଣୀ ଚିନ୍ତା କଲା ଯେ କେବଳ ମୋର ପୁରୁଷଙ୍କ ପାଇଁ ଯାହା କରିବାର କଥା କରି ଦେବି ।