ସାନ ଭଉଣୀ ଏହା ଭାବି ସାରି ଚାରି ଗୋଟି ବଇଁଚ କୋଳି ଆଣି କହିଲା – ଏଥର ମୁଁ ତୁମର ମନରେ ଯେପରି ଦୁଃଖ ନହେବ ସେହି କଥା କରୁଛି । ନିଅ ଏହି ଚାରୋଟି ବଇଁଚ କୋଳି, ଏହା ଅମୃତ ପରି ମିଠା, ଚାରି ଭାଇ ଏହାକୁ କଳରେ ଚାପି ରଖିବ । ଦେଖିବ ତମକୁ ଆଉ ଏଠାକାର ଗୁଣି ଲାଗିବ ନାହିଁ । ଯିଏ ଯେତେ ଗୁଣି କଲେ ମଧ୍ୟ ତାହା କାର୍ଯ୍ୟ କରିବ ନାହିଁ । ଏହା ପରେ ତୁମେ ଚାରି ଭାଇ ନିର୍ଭୟାନନ୍ଦରେ ନିଜ ରାଜ୍ୟକୁ ଫେରି ଯିବ ।
ସାନ ଝିଅ ଠାରୁ କୋଳି ଚାରୋଟିକୁ ନେଲା ସାନ ଭାଇ । ତା’ର ମନ ମଧ୍ୟରେ ଗୋଟିଏ କଥା ନାରୀ, ନଦୀ, ନିଆଁ ଏ ସମସ୍ତଙ୍କୁ ଆଦୌ ବିଶ୍ୱାସ କରିବାର ନୁହଁ । ସାନ ଝିଅ ମୋତେ ଏତେ ଆପଣାର ମନେ କରି ପୁଣି କିପରି ପାଖରୁ ଅଲଗା କରିବ କହୁଛି । ନାଁ ଏ କୋଳି ତିନୋଟିକୁ ଆଗ ତିନି ଭାଇଙ୍କୁ ଦେଇ ପରୀକ୍ଷା କରିବି ।
ଏହା ପରେ ସାନ ଭାଇ କହିଲା – ଆହେ ପ୍ରିୟେ ମୋର ଏବେ ଚାରୋଟି କୋଳି କ’ଣ ହେବ । ମୁଁ କିନ୍ତୁ ତୁମକୁ ଛାଡି କିପରି ରହିବି । ବରଂ ତିନି ଜଣଙ୍କ ଲାଗି ତମେ କୋଳି ଦିଅ । ମୁଁ ସେମାନଙ୍କୁ ଦେଇ ଦେଲେ ସେମାନେ ଏଠାରୁ ମୁକ୍ତ ହୋଇ ରାଜ୍ୟକୁ ଫେରି ଯିବେ । ଆଉ ମଧ୍ୟ ତୁମେ ଯଦି ମୋ ସାଥିରେ ଯିବା ଲାଗି କହୁଛ ତାହା ହେଲେ ମୋତେ ମଧ୍ୟ ଗୋଟିଏ କୋଳି ଦିଅ । ସାନ ଭଉଣୀ କହିଲା – ନାଁ ମୁଁ ବର୍ତ୍ତମାନ ତୁମ ସାଥିରେ ଯାଇ ପାରିବି ନାହିଁ ।
ସାନ ଭାଇ କହିଲା – ତାହା ହେଲେ ଠିକ୍ ଅଛି, ତୁମେ ମୋତେ ତିନୋଟି କୋଳି ଦିଅ ।
ହେଲେ ଏକଥା ଭାବି କୋଳି ଗୁଡିକ ଭାଇ ମାନଙ୍କ ପାଖକୁ ନେଇ ଗଲା ହେଲେ କୋଳିବା ଦେବ କିପରି । ଦିନରେ ସେମାନେ ତ ମେଣ୍ଢା ରୂପରେ ଅଛନ୍ତି । ରାତିରେ ପୁଣି ବଡ ଭଉଣୀ ମାନଙ୍କ ପାଖରେ ଥିବେ । ଏକଥା ଭାବି ଭାବି ପୁଣି ଯାଇ ସାନ ଭଉଣୀକୁ କହିଲା – ଏହାର ପୁଣି କି ଉପାୟ କରିବା କୁହ ।