ସାନ ଭାଇ ଯାହା କହୁଛନ୍ତି ତାହା ସତ୍ୟ କଥା – ସେଇଠୁ ସାନ ଭଉଣୀ କହିଲା, ଏମିତି ତ ଅନେକ ଦିନ ବିତି ଗଲାଣି । ଆଉ ମାତ୍ର କେତେ ଦିନ ଅମାବାସ୍ୟା, ଅମାବାସ୍ୟା ଦିନ ରାତିରେ ମୋର ଭଉଣୀ ମାନେ ମନ୍ତ୍ର ସିଦ୍ଧ କରିବା ନିମନ୍ତେ ଭୈରବୀ ମାତାଙ୍କ ମନ୍ଦିରକୁ ଯିବେ । ସେହି ଦିନ ରାତ୍ରିରେ ମନେ ରଖି ତୁମେ ଭାଇ ମାନଙ୍କୁ ନେଇ କୋଳି ଦେଇ ଦେବ । ବାସ୍ ସେଦିନ ଭାଇ ମାନେ ନିର୍ଭୟରେ ଏଠାରୁ ପଳାଇ ଯିବେ ।
ଆସିଲା ଦିପାବଳୀ ଅମାବାସ୍ୟା, ସଂଧ୍ୟା ହେବାରୁ ତିନି ଭଉଣୀ ଯାକ ଭୈରବୀ ମନ୍ଦିରକୁ ବାହାରି ଗଲେ । ସାନ ଭାଇ ଏହି ସୁବିଧା ଉଣ୍ଡି ସାନ ଭଉଣୀର କଥାନୁଯାୟୀ କୋଳି ତିନୋଟି ନେଇ ଭାଇ ମାନଙ୍କୁ କଳରେ ଯାକି ବାକୁ କହିଲା – ଏହା ପରେ ତୁମକୁ ଏହି ସାନ ଭଉଣୀ ମାନଙ୍କର ଗୁଣି କାଟିବ ନାହିଁ ।
ତା’ପରେ ତିନି ଭାଇ ଯାକ ପାଟିରେ କୋଳି ଯାକନ୍ତେ ସେମାନଙ୍କର ସଦ୍ବୁଦ୍ଧି ଫେରି ଆସିଲା । ଏବେ ଆଉ ସେଠାରେ ମୁହୂର୍ତେ ରହିବା ନିରାପଦ ନୁହଁ । ତେଣୁ ବିଳମ୍ବ ନକରି ସେ ସ୍ଥାନ ଛାଡି ପଳାଇଲେ ।
ଏଣେ ତିନି ଭଉଣୀ ଯାକ ଭୈରବୀ ମାତାଙ୍କ ମନ୍ଦିରରୁ ମନ୍ତ୍ର ସିଦ୍ଧ କରି ଫେରି ଆସିଲେ । ଆସି ନିଜ ନିଜ କୋଠରିରେ ଦେଖନ୍ତି ତ ସେମାନଙ୍କର ପ୍ରିୟ ପୁରୁଷ ମାନେ ନାହାଁନ୍ତି । ନିଜର ସମସ୍ତ ଜିନିଷ ପତ୍ର ଧରି ସେମାନେ ପଳାଇ ଯାଇଛନ୍ତି । ସେମାନେ ଆମକୁ ଠକି ଦେଇ ଛନ୍ତି । ଏଥର ସେମାନଙ୍କୁ ନାହିଁ ରକ୍ଷା ଏହା ଭାବି ସେମାନେ ସେମାନଙ୍କର ବୀର ବେତାଳ ମାନଙ୍କୁ ରାସ୍ତାରୁ ସେ ତିନି ଭାଇଙ୍କୁ ବାନ୍ଧି ଆଣ ବୋଲି ଆଦେଶ ଦେଲେ ।
ବୀର ବେତାଳ ମାନେ ଆଦେଶ ପାଇବା ମାତ୍ରେ ପବନ ବେଗରେ ଧାଇଁ ଯାଇ ସେମାନଙ୍କ ପାଖରେ ପହଁଚି ଗଲେ ହେଲେ ସେମାନଙ୍କୁ ଧରି ଆଣି ବାକୁ ଆଉ ସାହାସ ପାଇଲେ ନାହିଁ । ତହୁଁ ସେମାନେ ନିରାଶ ହୋଇ ନିରସ ବଦନରେ ତିନି ଭଉଣୀଙ୍କୁ କହିଲେ । ତମେ ମାନେ ଏବେ ସେମାନଙ୍କ ଆଶା ଛାଡି ଦିଅ । ସେମାନେ ନିଜ କଳରେ କୋଳି ଯାକି ଛନ୍ତି ଆମର ସବୁ ବୁଦ୍ଧି ସେଥି ଲାଗି କାର୍ଯ୍ୟ କଲା ନାହିଁ ।