ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚାରୁ କୁମାରୀ କାହାଣୀ ।

ପୋଛିକୋଟ ବୋଲି ଖଣ୍ଡିଏ ଛୋଟିଆ ରାଜ୍ୟ । ବୈତରଣୀ ନଦୀ କୂଳରେ ଅନେକ କୋଶ ବାଟ ଛଡା । ବଣ ଜଙ୍ଗଲରେ ପରିପୂର୍ଣ୍ଣ । ସେଠିକାର ଚାଷ ଜମି ମାନଙ୍କରେ ବଢିଆ ଫସଲ ହୁଏ । ଲୋକମାନେ ଖୁସିରେ ଚଳନ୍ତି । ଦେଢୀ ମହାଜନୀ ଲଗାନ୍ତି । କେହି କାହାକୁ ବି ଆଶ୍ରା କରନ୍ତିନି । ସମସ୍ତେ ଆତ୍ମନିର୍ଭରଶୀଳ ହୋଇ ଚଳନ୍ତି । ଅଭାବ ସିନା ମଣିଷ ଜୀବନରେ ଆଘାତ ଦେଇ ତାକୁ ଆଗେଇ ଦିଏନି, ଯାହାର ଅଭାବ ନାହିଁ ତା’ର ପୁଣି ଅସୁବିଧା କ’ଣ? ଜଗତରେ ଗୋଟିଏ ବୋଲି ସୁଖୀ ସେ ।

                ପୋଛିକୋଟର ଲୋକମାନେ କର୍ମଠ ଓ ଚାଷୀ ହୋଇଥିବାରୁ ତାଙ୍କ ଭାତ ଆନ ଖାଉ ଥାଏ । ତେଣୁ ସେଠାକାର ରାଜା ବି ଥାଆନ୍ତି ଅତି ଆନନ୍ଦରେ । ତାଙ୍କର ବି ବିଶେଷ କିଛି ଅସୁବିଧା ନ ଥାଏ । ତାଙ୍କର ସେପରି ଶତ୍ରୁ ବି କେହି ନ ଥାଏ । ଖୁବ୍ ସୁଖରେ ତାଙ୍କର ଦିନକାଳ ଅତିବାହିତ ହୋଇ ଯାଉଥାଏ । ଗୋଟିଏ ବୋଲି ପୁଅ ସେହି ରାଜାଙ୍କର । ନାଁ ତାର ସୁରେନ୍ଦ୍ର କୁମାର । ଆସି ଯୁବକ ହେଲାଣି ସେ । ସେ ଖୁବ୍ ମେଳାପି, ହର୍ଷମନା, ସବୁରି ସଙ୍ଗରେ ମିଶେ । ସମସ୍ତେ ବି ତାକୁ ଖୁବ୍ ଭଲ ପାଆନ୍ତି । ସୁରେନ୍ଦ୍ର କୁମାର ଯାହାକୁ ଡାକେ, ଯାହାକୁ ଯାହା କହେ, ସେମାନେ ସମସ୍ତେ କୁମାରଙ୍କ କଥା ମାନି ନିଅନ୍ତି ।

                ବାପା ମାଆଙ୍କର ଗୋଟିଏ ବୋଲି ପୁଅ ହେତୁ ସେ ସୁରେନ୍ଦ୍ର କୁମାର ଛୋଟବେଳୁ ବଡ ଅଲ୍ୟଳ ହୋଇ ବଢିଥାଏ । ଯେତେବେଳେ ଯାହା ସେ ଚାହେଁ ତାକୁ ତାହା ଦିଆଯାଏ । ଦିନେ ସେହି ରାଜପୁତ୍ର ସୁରେନ୍ଦ୍ର ଗଲା ଶିକାର କରିବାକୁ । ସାଙ୍ଗରେ ତା’ର ମନ୍ତ୍ରୀପୁଅ, କଟୁଆଳ ପୁଅ ଦି’ଜଣ ଛଡା ଆଉ କେହି ନଥିଲେ । ସେମାନେ ଶିକାର ଖୋଜି ଖୋଜି ଶେଷରେ କିଛିବି ପାଇଲେନି । ତେଣୁ ସେହି ଜଙ୍ଗଲ ବାଟରେ ଆଗେଇ ଯାଉ ଯାଉ ଚାଲିଗଲେ ବୈତରଣୀ କୂଳ ଯାଏଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ