ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚାରୁ କୁମାରୀ କାହାଣୀ ।

ସ୍ୱର୍ଗ କନ୍ୟାମାନେ କହିଲେ – ଆମେ ତୁମକୁ ଗୋଟିଏ ପାରିଜାତ ଫୁଲ ଦେଉଛୁ । ତାକୁ ନେଇ ତୁ ତୋ ମୁଣ୍ଡ ବେଣୀରେ ଖୋସିଦେ । କୁମାରର ଶବଟାକୁ କାନ୍ଧରେ ପକା । ଦେଖିବୁ ତୋର ଆଉ କିଛି ବି ଅସୁବିଧା ହେବନି । ପବନ ପରି ଶୂନ୍ୟେ ଶୂନ୍ୟେ ତୁ ଉଡିଯାଇ ସିଧା ପହଁଚିବୁ ମଙ୍ଗୁଋଷିଙ୍କ ଆଶ୍ରମରେ । ସତକୁ ସତ ସ୍ୱର୍ଗ କନ୍ୟାମାନେ ଯାହା କହିଥିଲେ, ସେହିପରି କଲାରୁ ସେ ଚାରୁ କୁମାରୀ ଚଢେଇ ପରି ଉଡି ଉଡିକା ଚାଲିଗଲା ।

ଏଣେ ସେ ମୁଣ୍ଡହୀନ ପ୍ରେତଟା ସୁରେନ୍ଦ୍ର କୁମାରର ମୁଣ୍ଡ ଲଗାଇ ଖୁବ୍ ମନ ଖୁସିରେ ଚାଲିଲା ପୋଛିକୋଟ । ସେଠି ଏହି ରାଜପୁତ୍ର ପାଇଁ ଖାଲି ହାଲ ହୋଳ ପଡିଥାଏ । ଲୋକମାନେ ବି ଲାଗିପଡିଥାନ୍ତି ସୁରେନ୍ଦ୍ର କୁମାରକୁ ଖୋଜା ଖୋଜି କରିବାକୁ । ପୁଅ କୁଆଡେ ଗଲା ବୋଲି ରାଣୀ କାନ୍ଦି କାନ୍ଦି ଖୁବ୍ ଅସ୍ଥିର ହେଲେଣି । ତେଣୁ ରାଣୀଙ୍କ ପେଟକୁ ଅନ୍ନ ଜଳ କିଛି ବି ଯାଉ ନଥାଏ । ରାଜାଙ୍କର ମନ ଅତିଶୟ ଦୁଃଖ ହେବା କାରଣରୁ ସେ ଆଦୌ ଦରବାର କରୁ ନ ଥାନ୍ତି । ମନ୍ତ୍ରୀ ଖାଲି ନିଯୁକ୍ତ କରୁଥାନ୍ତି ଲୋକ ଉପରେ ଲୋକ । ଲାଗିଥାଏ ଯୁବରାଜଙ୍କ ଲାଗି ଖୋଜା ଲୋଡା ଅନୁସନ୍ଧାନ । ଠିକ୍ ଏତିକି ବେଳେ ମାୟାମୂର୍ତ୍ତି ସେଠାରେ ପହଁଚି ଯିବାରୁ ସମସ୍ତେ ଆନନ୍ଦ ହୋଇ ଉଠିଲେ ।

ସେ ମୁଣ୍ଡହୀନ ପ୍ରେତ ତା ବୁଦ୍ଧି ବଳରେ ରାଜପୁତ୍ର ହୋଇ ସେହି ରାଜବାଟୀରେ ରହିଲା । ଧିରେ ଧିରେ ସେ ପ୍ରେତଟି ଚାଲି ଚଳନ ରୀତିନୀତି ସବୁ ମିଶାଇ ନେଲା ଠିକ୍ ରାଜ କୁମାର ସୁରେନ୍ଦ୍ର କୁମାର ପରି । ଏମିତିକାକି ତାକୁ କେହି ବି କିଛି ସନ୍ଦେହ କଲେନି । ପ୍ରେତକୁ ବା ପୁଣି ଜଣାନାହିଁ କେଉଁ କଥା ।

        କିଛିଦିନ ଗଲାରୁ ସେ ପ୍ରେତରୂପୀ ରାଜକୁମାରର ସାଙ୍ଗସାଥିମାନଙ୍କୁ ଯାଇ କହିଲା – ମୋ ବାପାଙ୍କୁ କହ, କେନ୍ଦୁଝରର ରାଜକୁମାରୀ ମେଘମାଳା ସଙ୍ଗେ ମୋର ବିଭାଘର ନିମନ୍ତେ ବରାଦ କରିବେ । ମୋତେ ସେ କେନ୍ଦୁଝର ରାଜକୁମାରୀ ମେଘମାଳା ଦିନେ ବଚନ ଦେଇଥିଲା ଯେ, ତା ସଙ୍ଗାତ ଚାରୁ କୁମାରୀ ଭଲ ହୋଇଗଲେ ସେ ନିଶ୍ଚେ ମୋତେ ହିଁ ବିଭା ହେବ । ଏବେ ମୁଁ ଶୁଣୁଛି ସଙ୍ଗାତ ତା’ର ଆସ୍ତେ ଆସ୍ତେ ଭଲ ହୋଇ ଗଲାଣି । ଆଉ ତ କିଛି ବିଶେଷ ଅସୁବିଧା ନାହିଁ, ତେବେ ମୋ ସହିତ ମେଘମାଳାର ବିଭାଘରର ଶୀଘ୍ର ଯୋଗାଡ ଯନ୍ତ୍ର ନକଲେ କିଛି ବି ଭଲ ହେବନି ।

ରାଜକୁମାରର ସାଥୀମାନେ ତୁରନ୍ତ ଯାଇ ମନ୍ତ୍ରୀଙ୍କୁ ଏହି ସବୁ କଥା କହିଲେ । ତାପରେ ମନ୍ତ୍ରୀ କହିଲେ ରାଜାଙ୍କୁ । ରାଜା ଯାଇ ରାଣୀଙ୍କି ଏହି ବିଷୟରେ ପଚାରିଲେ । ରାଣୀ କହିଲେ – ପୁଅ ଯଦି କଥା କରି ଆସିଛି ତେବେ ଆମେ ତାକୁ ଭାଙ୍ଗିଦେବା କାହିଁକି? କେନ୍ଦୁଝର ଜେମା, ଆମ ଅପେକ୍ଷା ବାପା ତା’ର ବହୁତ ବଡ ରାଜା । ଦବା ନବା ବି ଭଲ କରିବେ । ବୋହୂଟି ସୁନ୍ଦରୀ ହେଉ ବା ବାନ୍ଦରୀ ହେଉ, ଆମ ପୁଅର ଯେତେବେଳେ ସେହିଠାରେ ହିଁ ମନ ମାନିଛି ସେତେବେଳେ ଆମେ ଆମ ପୁଅର ବିଭାଘର ସେହିଠାରେ ହିଁ କରିଦେବା ଉଚିତ୍ ।

ଏସବୁ ଶୁଣି ରାଜା ବି ଆଉ କିଛି ପ୍ରତିବାଦ କଲେନି । ସ୍ଥିର କଲେ ପୁଅର ବିଭାଘର କରିବାକୁ । କେନ୍ଦୁଝର ରାଜାଙ୍କ ଠାରୁ ଏ ବିଭାଘର ବିଷୟରେ ସ୍ପଷ୍ଟ ମତ ବୁଝିବା ପାଇଁ । ତେଣୁ ଦୂତ ଚିଠି ନେଇ କେନ୍ଦୁଝର ଗଲା ।

ତେଣେ ମେଘମାଳାର ମନ ଆଦୌ ସ୍ଥିର ନାହିଁ । ସେ ଖାଲି ନିଶିଥିନୀ ଚକ୍ରବାକୀ ପରି କାନ୍ଦି କାନ୍ଦି ନିଜ ଆଖି ଫୁଲାଇ ଦେଲାଣି । ଏବେ ସେ କ’ଣ କରିବ, କୁଆଡେ ଯିବ, କିଛି ବି ସ୍ଥିର କରି ପାରୁନି । କାରଣ ଦିନେ ରାତିରେ ସେ ଶୋଇଛି । ହଠାତ୍ ସେ ଏକ ସ୍ୱପ୍ନ ଦେଖିଲା – ଜଣେ ସନ୍ନ୍ୟାସୀ ତାକୁ କହୁଛନ୍ତି, ସଙ୍ଗାତ ତୋର ବଂଚିଗଲା । ହେଲେ ସେ ମୁଣ୍ଡହୀନ ପ୍ରେତଟା କାଟି ନେଲା ସୁରେନ୍ଦ୍ର କୁମାରର ମୁଣ୍ଡ । ତା’ପରେ ହଠାତ୍ ମେଘମାଳାର  ନିଦଟା ଭାଙ୍ଗିଗଲା । ତା ମୁଣ୍ଡରେ ଅନ୍ୟ କଥା କିଛି ବି ଜୁଟିଲା ନାହିଁ । ମେଘମାଳାର ଜୀବନଟା ଖାଲି ହା ହା କରି ଉଠୁଥାଏ । ସେ ଏବେ କ’ଣ କରିବ, କୁଆଡେ ଯିବ, ଦେଖିଥିବା ସ୍ୱପ୍ନ କଥା ଏବେ ସେ କାହାକୁ ବା ପଚାରିବ, କିଛି ଠିକ୍ କରି ନପାରି ସେ ଖାଲି କାନ୍ଦିବାକୁ ଲାଗିଲା ।

ସଖୀମାନେ ଆସି ଘଟଣା କ’ଣ ବୋଲି ମେଘମାଳାକୁ ପଚାରିଲେ । ସେମାନଙ୍କୁ ନିଜର ଭିତର କଥା କିଛି ନ କହି ମେଘମାଳା କେବଳ ଏତିକି କହିଲା ସେ ଗିରି ଦୁର୍ଗ ଯାଏଁ ଯିବାକୁ । ତାର ସେହି କଥା ଠିକ୍ ହେଲା । ମେଘମାଳା ସଙ୍ଗରେ କୋଇଲି ଓ ବସନ୍ତ ନାମରେ ଯୋଡିଏ ମାତ୍ର ସଖୀ ଗଲେ ସେହି ଗିରି ଦୁର୍ଗକୁ । ଏହି କଥାଟା ଯେପରି ରାଜା ନ ଜାଣିବେ, ସେଥିପାଇଁ ଯିବା ଆଗରୁ ମେଘମାଳା ଅନ୍ୟମାନଙ୍କୁ ବି ସାବଧାନ କରି ଦେଇ ଗଲା ।

ତେଣେ ଚାରୁ ଯାଇ ପହଁଚିଲା ମଙ୍ଗଋଷିଙ୍କ ଆଶ୍ରମରେ । ପରମ ସାଧକ ତପସ୍ୱୀ ସେ । ସାରା ଜୀବନ ସାଧନା କରି କରି ବଚନ ସିଦ୍ଧି କରିଥାନ୍ତି ସେ । ତାଙ୍କରି ଆଜ୍ଞାରେ ମଲା ମଣିଷ ବଂଚେ, ବଂଚିଲା ମଣିଷ ବି ମରେ । ଗଛ ପୁଣି କଥା କହେ । ପାହାଡ ଚଢେଇ ପରି ଉଡେ । ପାଣି ପଥର ପାଲଟେ । ପଥର ବି ପାଣି ହୋଇ ବହିଯାଏ । ଋଷି ବେଶି କିଛି କଥାବାର୍ତ୍ତା କରନ୍ତି ନାହିଁ । ଯିଏ ଯାହା କହେ ସବୁ ଶୁଣନ୍ତି ହେଲେ ସେ ପଚାରନ୍ତି ପଦେ । ବର ଦିଅନ୍ତି ପଦେ । ସାତ ଦିନରେ ଦିନେ ସେ କଳ୍ପତରୁ ହୋଇ ସାହାଡା ସୁନ୍ଦରୀ ମୂଳେ ବସନ୍ତି । ସେଦିନଟା ସବୁ କଥାରେ ହଁ ଛଡା ନାହିଁ ମୋଟେ ନ ଥାଏ । କେହି ନ ହୋଇ ପାରିବା କଥା ଘେନି ଯଦି ସେ ଦିନେ ପହଁଚେ, ତେବେ ତା’ର ସେ କାମଟି ବି ହୋଇଯାଏ ।

ଚାରୁ କୁମାରୀ ସୁରେନ୍ଦ୍ରର ଗଣ୍ଡିଟା ନେଇ ସେଠାରେ ପହଁଚିବା ବେଳକୁ ସେହି ଦିନଟା ପଡିଥାଏ କଳ୍ପତରୁ ଯୋଗ । ଋଷି କଳ୍ପତରୁ ହୋଇ ବାହାରିଥାନ୍ତି ସାହାଡା ସୁନ୍ଦରୀ ମୂଳକୁ । କଥାରେ ଅଛି – ଯୋଗକୁ ବ୍ରହ୍ମା ଖଟେ, ମନ୍ଦରୁ ଭଲ ଘଟେ ।

ଚାରୁ କୁମାରୀ ସେଠାରେ ପହଁଚିବା ମାତ୍ରେ ସେ ଖୁବ୍ ବିକଳ ହୋଇ କାନ୍ଦିଲା, ମୁଣ୍ଡ ବାଡେଇ ଗଡିଲା । କହିଲା – ଆପଣ ମୋତେ ଟିକେ ଦୟା ନ କଲେ ମୁଁ ଆଜି ଏହିଠାରେ ହିଁ ଆତ୍ମହତ୍ୟା କରିବି ଋଷି ଗୋସାଇଁ । ହତଭାଗିନୀ ଯୁବତୀ ମୁଁ ସାରା ଜୀବନ ପାଷାଣୀ ହୋଇ କଷ୍ଟ ଭୋଗୁଥିଲି । କିନ୍ତୁ ଯେ ମୋର ଉପକାର କଲେ ତାଙ୍କର ହିଁ ଅନିଷ୍ଟ ହେଲା । ମୁଁ ସିନା ବଂଚିଲି, ହେଲେ ତାଙ୍କର ମୁଣ୍ଡଟା ଚାଲିଗଲା, ସେ ହେଲେ ମୃତ ଶବ ।

ଋଷି ମେଘମନ୍ଦ୍ର ଜିଣା କଣ୍ଠରେ ପଚାରିଲେ – ଯଦି ତୋର ସବୁ କଥା କହିବାର ଅଛି, ତେବେ ତୁ କହିଯା ।

ଚାରୁ ତା ଜୀବନର କାହାଣୀ ଟିଇକରୁ ନିଇଖ ଯାଏଁ ସବୁ ଗପିଗଲା । ତାପରେ ଋଷି ପଚାରିଲେ – “ତାହେଲେ ତୁ ମୋଠୁ କ’ଣ ମାଗୁଛୁ?”

ଚାରୁ କହିଲା – ଉପକାରୀ ବଂଚନ୍ତୁ । ଅପକାରୀ ତା ଅପକର୍ମ ପାଇଁ ଉଚିତ୍ ଶାସ୍ତି ପାଉ । ଋଷି ଯାଇ ସାହାଡା ସୁନ୍ଦରୀ ମୂଳେ ବସିଲେ ଓ କହିଲେ –

ମୁଣ୍ଡହୀନ ପ୍ରେତ                              ଉଡିଆ ଏଠାକୁ

                    ସ୍କନ୍ଧୁ ମୁଣ୍ଡଯାଏଁ ଖସି

ରଜା ପୁଅ ପାଉ                              ମୁଣ୍ଡଟି ତାହାର

                    ବଂଚି ଉଠୁ ସେ ହସି ହସି ।

ପର ଅମଙ୍ଗଳ                                            କରିବାରୁ ପ୍ରେତ

                     ତୋ ମୁଣ୍ଡ ହେଉ ପର୍ବତ ।

ପଡିଥାଆ ମାଟି                               କାମୁଡି ବାଳକ

                     ବାଜୁ ଦିଶେ ନହବତ ।

ଏତକ କହି ଋଷି ନୀରବ ହେଲେ । ସେଦିନ ଆଉ ଚାରୁ କୁମାରୀ ସଙ୍ଗେ ତାଙ୍କର ଆଉ କିଛି କଥାବାର୍ତ୍ତା କରିବାର ନ ଥିଲା, ହେଲେ ବିଚାରିଣୀ ଚାରୁ କେବଳ ବିକଳ ହୋଇ ଉଠୁଥାଏ ସୁରେନ୍ଦ୍ର କୁମାର ବଂଚିବା ପାଇଁ ।

ସେହି କ୍ଷଣି ସୁରେନ୍ଦ୍ର କୁମାର ମୁଣ୍ଡ ଲଗାଇ ଉଡି ଆସିଲା ପ୍ରେତଟା । ସେ ପ୍ରେତଟା ଆଦୌ ଜାଣି ପାରି  ନ ଥିଲା କି ଏବେ ତା’ର ଅବସ୍ଥା କ’ଣ ହେବାକୁ ଯାଉଛି । ତେଣୁ ସେ ଖାଲି ଖୁବ୍ ଜୋର୍ରେ ହସୁଥାଏ । ଚାରୁ କୁମାରୀ ପ୍ରତି ତାତ୍ସଲ୍ୟଭରା ଚାହାଣି ହାଣି ତାକୁ ସେ ଖାଲି ବିଦ୍ରୂପ କରୁଥାଏ ।

ମଙ୍ଗୁ ଋଷି ବସିବା ସ୍ଥାନରୁ ଫୁଲ ପାଣି ମୁଠାଏ ଧରି ଫୋପାଡି ଦେଲେ ସୁରେନ୍ଦ୍ରର ଶବ ଦେହ ଉପରକୁ । ତେଣେ ପ୍ରେତ ସ୍କନ୍ଧରୁ ମୁଣ୍ଡଟା ଖସି ଆସି ସିଧା ଲାଗିଗଲା ସୁରେନ୍ଦ୍ର କୁମାରର ଶବ ସ୍କନ୍ଧରେ । ତାପରେ ଯାଇ ବଂଚି ଉଠିଲା ସୁରେନ୍ଦ୍ର କୁମାର । ମୁଣ୍ଡହୀନ ପ୍ରେତ ପୂର୍ବପରି ଠିଆ ହୋଇଥାଏ ସେହିଠାରେ । ହଠାତ୍ ଗୋଟିଏ ପର୍ବତ ଆସି ତା ସ୍କନ୍ଧରେ ଲାଗିଲା, ଦେଖୁ ଦେଖୁ ସେ ହୋଇଗଲା ପର୍ବତ ମୁଣ୍ଡିଆ ପ୍ରେତ । ଏସବୁ ଭାରି ଅଡୁଆ ଲାଗିଲା ସେ ପ୍ରେତକୁ । ଏବେ ସେ କ’ଣ କରିବ କୁଆଡେ ଯିବ ବୋଲି ଭାବି ଭାବି ଥୋଡାଏ ବାଟ ଉଡିଗଲା । ତେଣିକି ତାର ଆଉ ବଳ ପାଇଲାନି । ତାପରେ ସେ ସିଧା ଖସି ପଡିଲା ମାଟି ଉପରେ । ପର୍ବତ ମୁଣ୍ଡଟା କ୍ରମେ କ୍ରମେ ବଢିଗଲା ବେଳକୁ ବେଳ । ବିଚରା ପ୍ରେତଟା ଆଉ ସେହିଠାରୁ ମୋଟେ ଉଠି ପାରିଲାନି । ସେ ପ୍ରେତଟି କେବଳ ନିଜ କଲା କର୍ମକୁ ସୁମରି ସେଇଠି ହିଁ ପଡି ରହିଲା କାଳ କାଳ ପାଇଁ ।

ସୁରେନ୍ଦ୍ର କୁମାର ଚେତି ଉଠିଲା ଠିକ୍ ନିଦରୁ ଉଠିଲା ପରି । ଆଗରେ ଜଣେ ସିଦ୍ଧ ପୁରୁଷକୁ ଦେଖି ସୁରେନ୍ଦ୍ର କୁମାର ତାଙ୍କୁ ଅତି ଭକ୍ତିରେ ନମସ୍କାର କଲା । ଋଷି ମୁହଁରେ କିଛି ନ କହି କେବଳ କଲ୍ୟାଣ ଛଳରେ ନିଜ ହାତ ଟେକି ଆଶୀର୍ବାଦ ଦେଲେ ସୁରେନ୍ଦ୍ରକୁ ।

ଚାରୁ କେବଳ କାନ୍ଦୁଥାଏ । ତାକୁ ଦେଖି ସୁରେନ୍ଦ୍ର ଆଶ୍ଚର୍ଯ୍ୟକାଠ ହୋଇ ପଚାରିଲା – ତୁମେ କିଏ, ଏଠାରେ ବସି କାନ୍ଦୁଛ କାହିଁକି?

ତାପରେ ଯାଇ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସକଳ କଥା ଶୁଣାଗଲା । ଚାରୁ ଏସବୁ ଶୁଣି ଶୁଣି ତା ଦି’ଆଖିରୁ ଗଡି ଆସିଲା ଯୋଡିଏ ଲୁହର ଧାର । ସୁରେନ୍ଦ୍ରର ଜୀବନଟା କୃତଜ୍ଞତାରେ ପଡିଲା ଚାରୁ କୁମାରୀ ପାଖରେ । ସେ ପଚାରିଲା ଏଥର କ’ଣ କରିବା?

ଚାରୁ କହିଲା – ମହର୍ଷି ଯାହା ଆଦେଶ ଦେବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ