ମହର୍ଷି ତ ଦିନକେ ଜଣକୁ ପଦେ ମାତ୍ର କଥା କହନ୍ତି । ସେଦିନ ତ ସେ ଆଉ କିଛି ବି କହିବେନି । ତେଣୁ ଦିହେଁଯାକ ସେଦିନ ସେହି ଋଷିଙ୍କ ଆଶ୍ରମ ତୋଟାରେ ରହିବାକୁ ବାଧ୍ୟ ହେଲେ । ବହୁତ କଥାବାର୍ତ୍ତା ପଡିଲା । ସେଠାରେ ଦିହେଁ ଦିହିଁଙ୍କ ପ୍ରତି ଖୁବ୍ ଆକୃଷ୍ଠ ହେଲେ । ସ୍ନେହ ଜାଗି ଉଠିଲା । ମନ ଚାହୁଁଥିଲା ଜୀବନରେ ଜୀବନ ମିଳାଇ ଦେବାକୁ । ମାତ୍ର ମେଘମାଳା ଠିଆହେଲା ପ୍ରତିବନ୍ଧକ ହୋଇ ।
ସେ ଦିନଟି ଗଲା । ତା ପରଦିନ ସକାଳେ ଦିହେଁ ଯାଇ ଋଷିଙ୍କୁ ଦର୍ଶନ କଲେ । ଋଷି ସେମାନଙ୍କୁ କଲ୍ୟାଣ କରିସାରି ପଚାରିଲେ ତୁମେ ଏବେ କ’ଣ ଚାହଁ?
ସୁରେନ୍ଦ୍ର କହିଲା – “ଏଣିକି ଆମେ କ’ଣ କରିବୁ?”
ଋଷି କହିଲେ – “ଚଢେଇ ପରି ତୁମେମାନେ ସିଧା ଉଡିଯାଅ ସେହି ଗିରି ଦୁର୍ଗକୁ । ମେଘମାଳା ସେହିଠାରେ ହିଁ ତୁମମାନଙ୍କୁ ଅପେକ୍ଷା କରିଛି ।” ଏତିକି କହିବା ପରେ ସୁରେନ୍ଦ୍ର ଓ ଚାରୁକୁ ଆଉ ସେଠାରେ ଅପେକ୍ଷା କରିବାକୁ ପଡିଲାନି । ଆପଣା ଛାଏଁ ସେମାନେ ସେଠାରୁ ଉଡିଗଲେ ଠିକ୍ ଚଢେଇ ପରି ।
ଏଣେ ମେଘମାଳା ତ ସଖୀ ଯୋଡିଏ ସଙ୍ଗରେ ଆଣି ସେହି ଗିରି ଦୁର୍ଗରେ ପହଁଚିଛି । ସେ ମେଘମାଳା ତା ଜୀବନ ପ୍ରତି ଆଉ ମୋଟେ ଭରସା ରଖିନି । ସେ ଖାଲି ତନ୍ନ ତନ୍ନ କରି ଖୋଜୁଛି ଚାରୁ କୁମାରୀର ପଥର ପ୍ରତିମାକୁ । ମାତ୍ର କାହିଁ ସେ ପ୍ରତିମା? ଯେଉଁ ସ୍ଥାନରେ ପ୍ରତିମାଟି ଥିଲା, ସେ ସ୍ଥାନଟା ତ ଖାଲି ପଡିଛି । ବରଂ ତା’ର କିଛିଦୂର ଛଡାରେ ଦେଖା ଯାଉଛି ମଣିଷ ରକ୍ତର ଚିହ୍ନ ।
ଏସବୁ ଦେଖି ଜୀବନଟା ହା-ହା-କାର କରି ଉଠିଲା ମେଘମାଳାର । ତା ମନକୁ ସତେ ଯେମିତି ବାରଆଡୁ ବାର ପାପ ଛୁଇଁଲା । ସୁରେନ୍ଦ୍ର କୁମାର କଥା ଓ ସ୍ୱପ୍ନ କଥା ମନେ ପକାଇ ସେ ଖୁବ୍ କାନ୍ଦିଲା । ତାପରେ ସେ ପଥର ଉପରେ ମୁଣ୍ଡ ବାଡେଇ ନିଜ ତାଳୁ ଫଟେଇଲା । ସଖୀ ଯୋଡିକ ଯେତେ ବୁଝାଇ ସୁଝାଇ କହିଲେ ବି ସେ ମେଘମାଳା କାହାରି ବି କିଛି କଥା ଶୁଣିଲାନି । ସେ କେବଳ କହିଲା – ମୁଁ ଆତ୍ମହତ୍ୟା କରିବି । ତୁମେମାନେ ଯଦି ପ୍ରକୃତରେ ମୋର ସଖୀ ହୋଇଥିବ ଓ ମୋ ପାଇଁ ହିତ ମନାସୁଥିବ, ତେବେ ମୋତେ ନିଶ୍ଚୟ ସାହାଯ୍ୟ କରିବ ।
ସଖୀମାନେ ପଚାରିଲେ – “ଏବେ ଆମେ କ’ଣ କରିବୁ?”
ତହୁଁ ମେଘମାଳା କହିଲା – “ଶୁଖିଲା କାଠ ପତର ସଂଗ୍ରହ କରି ଗୋଟାଏ ଯୁଈ ପ୍ରସ୍ତୁତ କର । ମୁଁ ସେଇ ଯୁଈ ଭିତରେ ଠିଆ ହୋଇ ପ୍ରଭୁଙ୍କୁ ଡାକିବି ।”
ଏପରି ଏକ କଥା ଶୁଣି କୋଇଲି ଓ ବସନ୍ତ (ସଖୀଦ୍ୱୟ)ଙ୍କ ଦେହ ଖାଲି ଶୀତେଇ ଉଠିଲା । ସେମାନେ କହିଲେ – “ଆଗେ ନିଆଁରେ ଠିଆହେଲେ ତୁମେ ଆଉ ବଂଚି ପାରିବ ତ?”
ମେଘମାଳା କହିଲା –
“ମନ ଦମ୍ଭ ଥିଲେ ବଡବା ଅନଳେ
କର୍ମି ଯିବ ସନ୍ତରିଣୁ
ବିଷଧର ସର୍ପ ମୁଖେ ଚୁମ୍ବ ଦେବ
ଆସିବ ସୁଖେ ଫେରିଣ ।”
ମୁଁ ଯେବେ ସତ୍ୟରେ ଥିବି, ମନ ଯେବେ ମୋର ପ୍ରଭୁଙ୍କ ଚରଣରେ ଲାଖି ରହିଥିବ, ତେବେ ଜଳନ୍ତା – ଯୁଈରେ ଠିଆହୋଇ ବି ମୁଁ ମୋର କାମ ହାସଲ କରିନେବି । ଇତିହାସ ପୃଷ୍ଠା ଚିରଦିନ ପାଇଁ ଏ କଥା ଘୋଷଣା କରୁଥବ ।
ସଖୀମାନେ ଆଉ ମେଘମାଳାର କଥାରେ କିଛିବି ପ୍ରତିବାଦ ନ କରି କିଛି କିଛି ଶୁଖିଲା କାଠ ଓ ଶୁଖିଲା ପତ୍ର ଗୋଟିଆ ଗୋଟି କଲେ । ଅଗ୍ନିମୁଖୀ କାଠି ଘଷି ନିଆଁ ଜଳାଇଲେ । ଚଡ ଚଡ କଡ କଡ ହୋଇ ନିଆଁ ଜଳି ଉଠିବା ଦେଖି ମେଘମାଳା ପ୍ରସ୍ତୁତ ହେଲା ସେହି ଯୁଈରେ ନିଜକୁ ଝାସ ଦେବାକୁ । ଧର୍ମ ଦେବତାଙ୍କୁ ନମସ୍କାର କରି ମେଘମାଳା କହିଲା – “ହେ ପ୍ରଭୁ ଧର୍ମ ଦେବତା! ମୁଁ ଯଦି ସତୀ, ମୋର ମନ ଯଦି ନିର୍ମଳ ତେବେ ମୋ କହିଥିବା କଥା ଅଟଳ ରହୁ ।” ଏହା କହି ମେଘମାଳା ସିଧା ଯୁଈ ଭିତରକୁ ଡେଇଁ ପଡିଲା ବେଳକୁ ଉପରେ ଥାଇ ସୁରେନ୍ଦ୍ର କୁମାର ତାକୁ ଡାକିଲା – “ଦଣ୍ଡେମାତ୍ର ଅପେକ୍ଷା କର ଜେମାଦେଈ ମେଘମାଳା! ଚାରୁ କୁମାରୀ ସଙ୍ଗେ ମୁଁ ଫେରି ଆସିଛି ।”
ଏପରି ଏକ କଥା ଶୁଣି ସତେ ଯେମିତି ମେଘମାଳାର ଦେହ ଓ ମନ ଖାଲି ସିହରି ଉଠିଲା । କିଏ ବୋଲି ଉପରକୁ ଅନାଇ ମେଘମାଳା ଦେଖେ ତ, ଯୁବା ଯୁବତୀ ଯୋଡିଏ ଓହ୍ଲାଇ ଆସୁଛନ୍ତି । ମେଘମାଳା ବି ଠିକ୍ ଚିହ୍ନି ପାରିଲା ସେହି ଦୁଇ ଜଣଙ୍କୁ । ତେଣୁ ତା ମୁହଁରେ ଏବେ ହସ ଦେଖାଗଲା । ତା’ର ବ୍ରତ ପୂର୍ଣ୍ଣ ହୋଇଛି । ତା ସଙ୍ଗାତ ତ ବଂଚିଛି । ଏଣିକି ସେ ବିଭା ହେବ ।
ହେଲେ କାହାକୁ?
ମେଘମାଳା ଯାହା ହାତରେ ଦେଖିବ ସେହି ଫରୁଆଟି । ଯେଉଁ ଫରୁଆ ଭିତରେ ସେ ନିଜ ନାମ ଲେଖି ମୁଣ୍ଡର କେଶ ପୂରାଇ ତାକୁ ଭସାଇ ଦେଇଥିଲା ଓ ନିୟମ କରିଥିଲା । ମୋର ଯେ ସ୍ୱାମୀ ହେବ, ତାହାର ହାତରେ ପଡୁ ଏହି ଫରୁଆଟି ।
ମେଘମାଳା ସେମାନଙ୍କୁ ଦେଖି ଆଉ ଯୁଈ ଭିତରକୁ ଝାମ୍ପ ଦେଲାନି, ଆଗନ୍ତୁକ ମାନଙ୍କୁ ଦେଖି କେବଳ ଗିରି ଦୁର୍ଗରେ ଲାଗିଗଲା ଗୋଟାଏ କଳକଲ୍ଲୋଳର ଘନଘଟା ।
ମେଘମାଳା ସିନା ଚାରୁକୁ ଜାଣେ, ହେଲେ ଚାରୁ ତ ମେଘମାଳାକୁ ଆଦୌ ଜାଣି ନଥିଲା । ତେଣୁ ସେମାନେ ଦୁହେଁ ଅନେକ କଥା ପଚରାପଚରି ହେଲେ । ଚାରୁ ତା ବାପାଙ୍କ କଥା ପଚାରିବାରୁ ମେଘମାଳା କହିଲା, ଆମ ଘରେ ଅଛନ୍ତି ମଉସା ।
ତାପରେ କେତେ ଗହନ ଗୋପନ କଥା ଫିଟିଲା । ସମସ୍ତେ ପରସ୍ପର ସହିତ ଖୁବ୍ ଚିହ୍ନା ଚିହ୍ନି ହେଲେ । ତା’ପରେ ସେମାନେ ସିଧା ଗଲେ କେନ୍ଦୁଝର । ଚାରୁର ବାପା ତ ମେଘମାଳାର ଉଆସରେ ଥିଲେ । ତାଙ୍କ ଝିଅ ଲେଉଟିବା ଦେଖି ସେ ଖୁବ୍ ଆଦରରେ ଚାରୁକୁ ନିଜ କୋଳକୁ ନେଲେ । ଖୁବ୍ କାନ୍ଦିଲେ, ହସିଲେ, ତା’ପରେ ସେ କହିଲେ – ମେଘମାଳାକୁ – ମା ମେଘମାଳା! ତୋ ଦୟାରୁ ଚାରୁ ମୋର ବଂଚିଛି । ଏଣିକି ସେ ଯେପରି ହାତକୁ ଦି’ହାତ ହେବ, ତା’ର ବରାଦ ତୁ ହିଁ କରିବୁ ।
ମେଘମାଳା କହିଲା – ମୁଁ ସତ କହିବି ମଉସା! “ମୋର ଯିଏ ସ୍ୱାମୀ ହେବ, ସଙ୍ଗାତ ମୋର ତାକୁହିଁ ବିଭାହେବ । ଆମେ ଦିହେଁ ଛଡାଛଡି ହୋଇ ମୋଟେ ରହିପାରିବୁନି ।” ସତକୁ ସତ ସେହି କଥା ହିଁ ହେଲା ।
ସବୁକଥା କେନ୍ଦୁଝର ରାଜା ଜାଣିଲେ । ପୋଛିକୋଟକୁ ଖବର ପଠାଗଲା । ସେଠାକାର ରାଜା ପଲଟଣ ସଲଟଣ ଘେନି ଆସିଲେ । ଶୁଭଦିନ ଦେଖି ବିଭାଘର ହେଲା । ମେଘମାଳା ଓ ଚାରୁ ଦିହେଁଯାକ ସୁରେନ୍ଦ୍ର କୁମାରକୁ ବିଭାହେଲେ । ଚାରୁ ବାପାଙ୍କୁ କେନ୍ଦୁଝର ଓ ପୋଛିକୋଟ ରାଜା ଠିକ୍ ଚିହ୍ନି ପାରିଲେ । ତାଙ୍କ ପ୍ରତି ମୁଣ୍ଡହୀନ ପ୍ରେତ ଯେଉଁ ଯେଉଁ ପ୍ରକାର ଅତ୍ୟାଚାର କରିଗଲା, ସେଥିପାଇଁ ଦୁଇ ରାଜା ବହୁତ ଦୁଃଖିତ ହେଲେ । ତାପରେ ସବୁ କାମ ସରିଲା । ଭୋଜିଭାତ ଖାଇସାରି ଲୋକେ ହାକୁଟି ମାଇଲେ ।
ସୁରେନ୍ଦ୍ର କୁମାର ମେଘମାଳା ଓ ଚାରୁ କୁମାରୀକୁ ସଙ୍ଗରେ ନେଇ ନିଜ ରାଜ୍ୟ ପୋଛିକୋଟକୁ ଫେରି ଗଲା । ମୋ କଥାଟି ସରିଗଲା ।