ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚାରୁ କୁମାରୀ କାହାଣୀ ।

ବଢିଆ ପାଣି । ସେହି ନଦୀଟି କାଚକେନ୍ଦୁ ପରି ନିର୍ମଳ ଗଭୀର ହୋଇ ଥିବାରୁ କଳାଗୁମର ଦିଶୁ ଥାଏ । ତା ଭିତରେ ଦଣ୍ଡ କିରି ଓ ଜଲାମାଛ ପଞ୍ଝା ପଞ୍ଝା ହୋଇ ଖେଳୁଥାନ୍ତି । ସେହି ବୈତରଣୀ କୂଳକୁ ଲାଗି ଖଣ୍ଡିଏ ଶିବ ମନ୍ଦିର ବି ଥାଏ । ସନ୍ନ୍ୟାସୀ ନ ହେଲେ ମଧ୍ୟ ଦାଢୀ ନିଶ ରଖି ଜଣେ ସେବକ ସେଠାରେ ଥାନ୍ତି । ଘର ସଂସାର ସଙ୍ଗେ ତାଙ୍କର କିଛି ବି ସମ୍ବନ୍ଧ ନଥାଏ । ତେଣୁ ସେ ମୋଟେ ତାଙ୍କ ଘରକୁ ଯାଆନ୍ତିନି । କେବଳ ଗ୍ରାମାଂଚଳକୁ ଯାଇ ପାଦୁକା ବାଂଟନ୍ତି । ଗ୍ରାମରୁ ଯାହା କିଛି ଚାଉଳ ପତ୍ର ମିଳେ ତାକୁ ଆଣି ସେ ସେବକ ଜଣକ ଠେକାରେ ବସାନ୍ତି । ତା ପରେ ଠାକୁରଙ୍କ ପାଖରେ ନୈବେଦ୍ୟ ହୁଏ । ଯଦି ଦୈବାତ୍ କେହି ଅତିଥି ଅଭ୍ୟାଗତ ଆସନ୍ତି, ତେବେ ସେବକ ଜଣକ ଆଦର ଅଭ୍ୟର୍ଥନା କରି ଆଗେ ସେମାନଙ୍କ ଖବର ବୁଝନ୍ତି । ସେମାନଙ୍କୁ ପ୍ରସାଦ ଖୁଆନ୍ତି । ବିଶ୍ରାମ ଘରେ ବିଶ୍ରାମ ନେବାକୁ ଅତିଥି ଅଭ୍ୟାଗତ ମାନଙ୍କୁ ସେ ସେବକ ଜଣକ ସମସ୍ତ ସୁବିଧା ସୁଯୋଗ ଦିଅନ୍ତି ।

ସେଦିନ ସୁରେନ୍ଦ୍ର କୁମାର ଓ ତା’ର ବନ୍ଧୁମାନେ ଯାଇ ସେଠାରେ ପହଁଚିଲା ବେଳକୁ ସଂନ୍ଧ୍ୟା ତ ହୋଇଯାଇଥିଲା । ସେବକ ଆଗନ୍ତୁକ ମାନଙ୍କର ପରିଚୟ ପାଇ ସେମାନଙ୍କୁ ଅନୁରୋଧ କଲେ ସେଠାରେ ରହିବାକୁ । ସେବକଙ୍କ ହସ ହସ ମୁଖ ଓ ଧୀର ଶାନ୍ତ କଥାବାର୍ତ୍ତା ଶୁଣି ଯୁବକମାନେ ଖୁବ୍ ଆନନ୍ଦ ଅନୁଭବ କଲେ । ସେବକଙ୍କ କଥା ଭାଙ୍ଗି ଦେବାକୁ ସେମାନଙ୍କର ଆଦୌ ଇଚ୍ଛା ହେଲାନି । ତେଣୁ ସେହି ଯୁବକମାନେ ବାଧ୍ୟ ହେଲେ ସେଠି ରାତିଟା କଟାଇବାକୁ ।

ସେଠାରେ ସଂନ୍ଧ୍ୟା ଆରତୀ ଦର୍ଶନ ହେଲା । ସମସ୍ତେ ପୁରାଣ ପାଠ ଶୁଣିଲେ, ଧୂପ ବଢିଲା । ନୀତି ହେବାରୁ ସଭିଏଁ ପ୍ରସାଦ ବି ପାଇଲେ । ବଢିଆ ପବନ ଦେଉଥାଏ ସେଠାରେ । ନଦୀକୂଳିଆ ସୁବାସ ଫୁଲର ମହକ ଛୁଟିଆସି ସତେ ଯେମିତି ସମସ୍ତଙ୍କ ମନରେ ଆନନ୍ଦ ଢାଳୁ ଥାଏ । ରାତ୍ରିଚର ପକ୍ଷୀମାନେ ବେଳେ ବେଳେ କାକଳି କରୁଥାନ୍ତି । ବାଘ ଗର୍ଜିଉଠେ । ଭାଲୁ ଡକା ପାରେ । ହରିଣ, ସମ୍ବର ପାଣି ପିଇବାକୁ  ସେହି ନଦୀକୂଳକୁ ଆସନ୍ତି । ଖୁବ୍ ଜୋର୍ରେ ସେମାନେ ମଧ୍ୟ ବୋବାଳି ଛାଡନ୍ତି । ବାର୍ହା ଘଡଘଡ ହୋଇ ସେ ବାଟେ ଦଉଡେ । ଏହି ଯୁବକମାନେ ଘରେ ଶୋଇ ଏସବୁ ଶବ୍ଦ ଶୁଣୁଥାନ୍ତି । ଏଣେ ସେମାନଙ୍କର ମନ ହେଉଥାଏ ତୀର ମାରି ଗୋଟାଏ ଯୋଡାଏ ଶିକାର କରିବାକୁ; ମାତ୍ର ଏପରି ଏକ  ପୁଣ୍ୟ ପୀଠରେ ଅନ୍ୟାୟ ଭାବେ ଜୀବହିଂସା କରିବା ଉଚିତ୍ ନୁହେଁ ଭାବି ଶେଷରେ ସେମାନେ ନୀରବ ହେଉଥାନ୍ତି । ହେଲେ ନିଜ ନିଜ ଭିତରେ କଥାବାର୍ତ୍ତା ହୋଇ ସେମାନେ ସେହି ସ୍ଥାନଟାକୁ ପ୍ରଶଂସା କରୁଥାନ୍ତି ଖୁବ୍ ଜୋର୍ରେ ।

ସମୟାନୁକ୍ରମେ ରାତି ପାହିଲା । କାଉ କୋଇଲି ସବୁ ବୋବାଇଲେ । ସେବକ ଜଣକ ବ୍ରାହ୍ମ ମୁହୂର୍ତରୁ ନିଜ ଶଯ୍ୟା ଛାଡି ନିତ୍ୟକୃତ୍ୟ ସମାପନ କଲେ । ଆରତୀ ଘଂଟା ବାଜିଲା । ଧୂପ ଗନ୍ଧର ସୂଚନା ପାଇ ଯୁବକମାନେ ବି ଗଲେ ନିଜ ନିଜର ନିତ୍ୟକର୍ମ ସମାପନ କରିବାକୁ । ସୁନିର୍ମଳ ନଦୀ ଘାଟ । ଘଷି ମାଜି ହେବାକୁ ସେଠାରେ ମୁଗୁନି ପଥର କେତେଖଣ୍ଡ ପଡିଛି । ତା ଉପରେ ସେହି ଯୁବକମାନେ ଦାନ୍ତ ଘଷୁଛନ୍ତି, ଠିକ୍ ଏତିକିବେଳେ ସେମାନେ ଦେଖିବାକୁ ପାଇଲେ – ଠିକ୍ ମଝି ନଈରେ ଭାସି ଯାଉଛି ଗୋଟିଏ କାଠ ଫରୁଆ ।

ଏସବୁ ଘଟଣା ଦେଖି ସୁରେନ୍ଦ୍ର କୁମାର ସେ କଟୁଆଳ ପୁଅକୁ କହିଲା ‘ଯାଅ ସଙ୍ଗାତ, ନଦୀ ମଧ୍ୟରେ ପହଁରି କରି ସେ ଫରୁଆଟି ଆଣ । ତା ଭିତରେ କ’ଣ ଅଛି ଆମେ ଟିକେ ଦେଖିବା ।”

ସେ କଟୁଆଳ ପୁଅଟିର ନାଁ – ଶ୍ରୀବନ୍ତ । ରାଜପୁତ୍ର ସୁରେନ୍ଦ୍ର କୁମାର କହିଲା ମାତ୍ରେ ସେ ଶ୍ରୀବନ୍ତ ଆଗ ପଛ କିଛି ନ ବିଚାରି ସିଧା ଡେଇଁ ପଡିଲା ପାଣିକି । ମାତ୍ର ଆଶ୍ଚର୍ଯ୍ୟର କଥା । ଶ୍ରୀବନ୍ତ ପହଁରି ପହଁରି ଫରୁଆ ପାଖରେ ପହଁଚିଲା ବେଳକୁ ସେଠାରେ ସେ କିଛି ବି ଦେଖିବାକୁ ପାଇଲେନି; କାରଣ ଲହଡି ଆଘାତରେ ତାହା (ସେହି ଫରୁଆଟି) ପାଣିରେ ବୁଡିଗଲା । ତେଣୁ ଶ୍ରୀବନ୍ତ ବାଧ୍ୟ ହେଲା ସେଠାରୁ ନିଃଷ୍ଫଳ ହୋଇ ଫେରି ଆସିବାକୁ ।

ସେ ଶ୍ରୀବନ୍ତ ଆସି କୂଳରେ ପହଁଚିଲା ବେଳକୁ ପୁଣି ସେହି କାଠ ଫରୁଆଟି ଯଥା ସ୍ଥାନରେ ଭାସିଲା । ସୁରେନ୍ଦ୍ର ଏଥର ମନ୍ତ୍ରୀ ପୁଅକୁ କହିଲା – “ଏଥର ତୁମେ ଯାଅ ସଙ୍ଗାତ ।

ମନ୍ତ୍ରୀ ପୁଅଟିର ନାଁ – ରବୀନ୍ଦ୍ର । ବଢିଆ ଭାବରେ ପହଁରି ପାରେ ସେ । ତେଣୁ ସେ ମୋଟେ ଦି ଖେପା କରିଦେଇ ପହଁଚିଲା ଯାଇ ସେହି ଫରୁଆ ପାଖରେ । କିନ୍ତୁ ହାତ ବଢାଇଲା ବେଳକୁ ସେ କିଛି ବି ଦେଖି ପାରିଲାନି । ପୂର୍ବଭଳିଆ ପୁଣି ଫରୁଆଟି ବୁଡିଗଲା ଅଥଳ ଜଳରାଶିରେ । ତେଣୁ ରବୀନ୍ଦ୍ର ମଧ୍ୟ ବାଧ୍ୟ ହେଲା ସେଠାରୁ ନିରାଶ ହୋଇ ଫେରିବାକୁ । ସେ ଆସି କୂଳରେ ପହଁଚିବା ମାତ୍ରେ ଫରୁଆଟି ପୁଣି ଭାସୁଥିବାର ଦେଖାଗଲା ।

ସୁରେନ୍ଦ୍ର ତା’ର ସାଙ୍ଗମାନଙ୍କୁ ସାମାନ୍ୟ ଥଟ୍ଟା କରି କହିଲା – “ତୁମେ ଗୁଡିଏ ଅମଙ୍ଗୁଳିଆ ମଣିଷ । ଶାଗ ବି ତୁମଦ୍ୱାରା ସିଝିବନି । ଏଥର ତୁମେମାନେ ଦେଖୁଥାଅ, ମୁଁ ନିଜେ ଯାଇ ସେହି ଫରୁଆଟା ଘେନି ଆସିବି ।”

ତହୁଁ ପହଁରି ପହଁରି ଗଲା ସୁରେନ୍ଦ୍ର ସେହି ଫରୁଆ ପାଖକୁ । ଫରୁଆଟି ବି ଆଉ ବୁଡିଲାନି । ସୁରେନ୍ଦ୍ର ହାତରେ ଶେଷରେ ସେହି ଫରୁଆଟି ଧରା ପଡିଲା । ଏଥର ସୁରେନ୍ଦ୍ରର  ବାହାଦୂରୀ ପୁଣି ଦେଖେ କିଏ? ତହୁଁ ସେ ସୁରେନ୍ଦ୍ର ଆସିଲା ଗୋଟାଏ ବୀର ବାହାଦୂର ଭଳିଆ । ତହୁଁ ଶ୍ରୀବନ୍ତ ଓ ରବୀନ୍ଦ୍ରକୁ ଥଟ୍ଟା କରି ସେ ରାଜପୁତ୍ର କହିଲା – “ତୁମେ ସବୁ ମାଇଚିଆ ମଣିଷ । ଛାର ଗୋଟିଏ ଫରୁଆକୁ ତୁମେମାନେ କେହି ବି ଧରି ପାରିଲନି?”

ରବୀନ୍ଦ୍ର କହିଲା – “ବୁଝିଲ ସଙ୍ଗାତେ! ଏହି ଫରୁଆରେ ନିଶ୍ଚୟ କିଛି ଦୈବୀଶକ୍ତି ଅଛି । ତା ନହେଲେ ଆମମାନଙ୍କୁ ଦେଖି ଏହା ଅଦୃଶ୍ୟ ହେଲା କାହିଁକି?

ସୁରେନ୍ଦ୍ର ହଠାତ୍ ଅବାକ୍ ହୋଇ କହିଲା – “କାଠ ଫରୁଆଟେ, ସେଥିରେ ପୁଣି ଗୋଟେ ଦୈବୀଶକ୍ତି କ’ଣ ଅଛିମ?” ଏହିପରି ଭାବେ ନାନା କଥା ପରେ ଗାଧୁଆ ପାଧୁଆ ସାରି ସେମାନେ ନଦୀ ତୀରକୁ ଉଠିଲେ । ନିଜ ନିଜ ଲୁଗାପଟା ବଦଳା ବଦଳି କରିସାରି ଫରୁଆ ଖୋଲି ସେମାନେ ଦେଖିଲେ ଯେ, ତା ଭିତରେ ଅଛି ଗୋଟିଏ କୁମାରୀ ମୁଣ୍ଡର କେଶ । ସେହି କେଶଟି ଦେଖିବାକୁ ହାଣ୍ଡିକଳା ପରି କଳା ଏବଂ କୁଂଚୁକୁଂଚିଆ । ତା ଭିତରୁ ଏଭଳି ଏକ ମନ ମତାଣିଆ ମହକ ଉଠୁଥାଏ ଯେ ସେହି ଯୁବକମାନେ ଏସବୁ ଦେଖି ମୁଗ୍ଧ ହେବେ କ’ଣ ଓଲଟି ପୂର୍ବାପେକ୍ଷା ଆହୁରି ଅଧିକ ଆଶ୍ଚର୍ଯ୍ୟ ହୋଇଗଲେ ।

କେଶଟି ମାପି ଦେଖିଲେ, ତାହା ଦୀର୍ଘ ଦୁଇହାତ ଲମ୍ବ । ସେଥିରୁ ଏକ ପ୍ରକାର ମନ ମତାଣିଆ ମହକ ଛୁଟୁଛି । ସେହି ଫରୁଆ ଭିତରେ ଲେଖା ହୋଇଛି – ମେଘମାଳା । ଏସବୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲା ସେ ସୁରେନ୍ଦ୍ର । ତା ସହିତ ବି ଆଶ୍ଚର୍ଯ୍ୟ ହେଲେ ତା ସଖାମାନେ । ଏ ମେଘମାଳା ପୁଣି କିଏ? ଏ କେଶଟି ଯଦି ପ୍ରକୃତରେ ତା’ରି ହୋଇଥାଏ, ତେବେ ସେ ନିଜେ କେଡେ ସୁନ୍ଦରୀ  ହୋଇ ନ ଥିବ? ଯାହା ମୁଣ୍ଡ କେଶରୁ ଏପରି ସୁଗନ୍ଧ ବାହାରୁଛି, ତା ଦେହରୁ କିପରି ସୁବାସ ବାହାରୁ ନ ଥିବ? ଏହିପରି ନାନା କଥା ସେମାନଙ୍କ ଆଲୋଚନା ପରିଶରକୁ ଆସିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ