ଗୋଟିଏ ମନ୍ତ୍ର ଶିଖିଥିଲା ସେ ତାକୁ ପଢିଲେ ନିଆଁ ଜଳୁଥିବ । ନିଆଁର ତେଜ ଶହେ ଗୁଣ ପ୍ରବଳ ହୋଇଉଠେ । ସେହି ତୀରଟି ଯାଇ ଘର ଛାତରେ ଲାଗିବାକ୍ଷଣି ସେଠାରେ ପ୍ରବଳ ବେଗରେ ନିଆଁ ଜଳି ଉଠିଲା । ସେହି ନିଆଁ ତାତିରେ ଚେମଣୀଗୁଡାକ ଛଟପଟ ହୋଇ କୁଆଡେ ନାଇଁ କୁଆଡେ ପଳାଇ ଗଲେ । ଆଉ କିଛି ବାଧା ବନ୍ଧନ ନାହିଁ ଦେଖି ସମସ୍ତେ ପଶିଲେ ସେହି ଦୁର୍ଗ ଭିତରକୁ । ଅଗଣାଯାକ କଂଟା ଗଛ, ଛୋଟ ଛୋଟ ଅରଖ ଗଛ ଉଠି ସେଠାରେ ଝୁମ୍ପୁଡି ଜଙ୍ଗଲ ଭଳିଆ ହୋଇଥାଏ । ସାପ ଗୋଧି ଇତ୍ୟାଦି ବିଷାକ୍ତ ଜୀବମାନେ ବୁଲୁଥାନ୍ତି ଖାଦ୍ୟ ଖୋଜି ଖାଇବାକୁ । ପାଦ ଉଠାଇ ପାଦ ପକାଇବାକୁ ଭୟ ଲାଗୁଥାଏ । ତଥାପି ଯୁବତୀମାନେ ଅତି ସାବଧାନରେ ଚାଲି ଦେଖୁଥାନ୍ତି ପ୍ରକୋଷ୍ଠ ପରେ ପ୍ରକୋଷ୍ଠ ।
ଗୋଟିଏ ଖଞ୍ଜା ଖୁଆଡ ଡେଇଁ ଆଉ ଗୋଟିଏ ଖୁଆଡରେ ପହଁଚିଲାବେଳକୁ ସେମାନେ ଦେଖିଲେ ଜଣେ ମଣିଷ ପଦ୍ମାସନ କରି ବସିଛି । ତା ଚାରିପାଖ ଉଇ ହୁଙ୍କା ଗଢିଛନ୍ତି । ହୁଙ୍କା ଉପରେ ଲତାପତ୍ର ଉଠି ଗୋଟିଏ ଛୋଟ ବଣ ହୋଇ ଯାଇଛି । ମଣିଷ ଜଣକ ବଂଚିଛି କି ମରିଛି କହି ହେଉନି । ଏ କଥା ଦେଖି ବଡ ଆଶ୍ଚର୍ଯ୍ୟ ଲାଗିଲା ମେଘମାଳା ଓ ତା’ର ସଖୀମାନଙ୍କୁ । ତଥାପି ଗଛଲତା ଓପାଡି ହୁଙ୍କାଟା ତାଡିବା ପାଇଁ ସଖିମାନଙ୍କୁ କହିଲା ମେଘମାଳା ।
ପିଲାଦିନୁ କେହି ତ ମେଘମାଳାର କଥାକୁ ଜମା ତଳେ ପକାନ୍ତିନି । ତେଣୁ ଯାହା କିଛି ହେଉ ପଛକେ ସମସ୍ତେ ମିଶି ଲାଗିପଡି ଗଛଲତା ସଫାକରି ହୁଙ୍କାଟା ତାଡିଲେ । ମଣିଷଟି ଆଗରୁ ଯେମିତି ବସିଥିଲା ସେମିତି ବସିଛି । ଏତେ ଟିକିଏ ହେଲେ ବି ହଲଚଲ ହେଉନି, ତାର ଆଖି ବନ୍ଦ । କେବଳ ଜଣା ଯାଉଥାଏ ନାକବାଟେ ନିଃଶ୍ୱାସ ନେଲାପରି ।
ମେଘମାଳା ଆଦେଶରେ ଅନେକ ସମୟ ଯାଏଁ ସେହି ମଣିଷକୁ ସିଂଚା ବିଂଚା କଲାରୁ ମଣିଷଟି ଧୀରେ ଧୀରେ ତା ଆଖି ଫିଟାଇ ଅନାଇଲା ଏବଂ ସେହି ମଣିଷକୁ ମେଘମାଳା ପଚାରିଲା – “ଆପଣ କିଏ? ଏ ଦୁର୍ଗର ରହସ୍ୟ କ’ଣ ଏବଂ ଏଠାରେ କାହିଁକି ଏପରି ଅବସ୍ଥାରେ ବସିଛନ୍ତି? ଏ ସମସ୍ତ କଥା ଆମ ଆଗରେ କହିଦିଅନ୍ତୁ ।
ମଣିଷ ଜଣକ କହିଲା – ‘ମା’! ତୁମ ରୂପ ଭେକ ଦେଖି ମୋର ଅନୁମାନ ହେଉଛି, ତୁମେ ନିଶ୍ଚୟ ଜଣେ ରାଜକୁମାରୀ ହୋଇଥିବ । ମୁଁ ଆଜି ନିତାନ୍ତ ଅସହାୟ ଓ ଅସମର୍ଥ ହୋଇଥିଲେ ମଧ୍ୟ ମୁଁ ତୁମରି ଜାତିର ଲୋକ । ମୋର ବୁନ୍ୟାଦି ଓ ଆଭିଜାତ୍ୟ ତୁମରି ପରି ଦିନେ ଥିଲା । ମୋତେ ବି ହଜାର ହଜାର ଲୋକ କହୁଥିଲେ, ରାଜା ରାଜା ବୋଲି । ଶହ ଶହ ଲୋକ ମୋରି ହୁକୁମ୍କୁ ଅନାଇ ବସୁଥିଲେ । ସୁନା ରୂପା ଓ ଟଙ୍କା ପଇସାରେ ମୁଁ ବି ଖେଳୁଥିଲି । ଜଗତରେ ମୋର ଅଭାବ ବୋଲି କିଛି ବି ନଥିଲା । ଦିନ ଆସିଲା ଦୁଃଖ ଦୁର୍ବିପାକକୁ ସଙ୍ଗରେ ଘେନି କାଳ ରାହୁପରି । ମୋର ସୁଖ ସ୍ୱାଚ୍ଛନ୍ଦ୍ୟକୁ ଗିଳିବାକୁ ସେ ତାର କରାଳ ମୁଖ ମେଲାଇଦେଲା । ସୁଦିନ ଗୁଡିକ ମୋର ପରିଣତ ହେଲା ଘୋର ଦୁର୍ଦ୍ଦିନରେ । ଶହେ ପ୍ରାଣୀ କୁଟୁମ୍ବ ହଠାତ୍ ଟଳି ପଡିଲେ ଗୋଟିକ ପରେ ଗୋଟିଏ ଲେଖା ।
ମେଘମାଳା ପଚାରିଲା – “କ’ଣ ହେଲା ସେମାନଙ୍କର?”
ମଣିଷ ଜଣକ କହିଲେ – “ଗୋଟାଏ ପ୍ରେତ କୁଆଡୁ ଆସି ସେ ତାର ନାନା ପ୍ରକାର ଉପଦ୍ରବ ଆରମ୍ଭ କରିଦେଲା । ସେ ଉପଦ୍ରବ ହେଲା ମୋ ବଂଶର କରାଳ କାଳ । ତା’ରି ଫଳରେ ଗୋଟିକ ପରେ ଗୋଟିଏ ଟଳି ପଡିଲେ । କେବଳ ଶେଷ ଦୀପଶିଖା ଭଳି ରହିଗଲା ଗୋଟିଏ ଝିଅ । ମୁଁ ଭାବିଥିଲି ତାକୁ ଘେନି କେଉଁ ଦୂର ପ୍ରଦେଶକୁ ପଳାଇଯିବି । ମାତ୍ର ସେ ଝିଅ ମୋଟେ ମଙ୍ଗିଲାନି । ଓଲଟି ମୋତେ ସେ କହିଲା – “ମୁଁ ମରିବି ପଛକେ, ଏଠୁ ପାଦ କାଢି କୁଆଡେ ବି ଯିବିନି ।
ଜୀବନରେ ମୁଁ ତାକୁ ଅତିଶୟ ସ୍ନେହ କରୁଥିଲି । ଯେତେବେଳେ ସେ ଯାହା ଚାହୁଁଥିଲା, ତାହା ମୁଁ ପୂରଣ କରୁଥିଲି ବାଧ୍ୟ ହୋଇ । ସବୁବେଳେ ଯେପରି ସେ ଖୁସି ରହିବ, ସେଥିପାଇଁ ଆପଣା ଚେଷ୍ଟା କରୁଥିଲି । ତେଣୁ ମୁଁ ତା କଥାରେ ଆଦୌ ବାଧା ଦେଇ ପାରିଲିନି । ବାଧ୍ୟ ହୋଇ ତାକୁ ଘେନି ପଡି ରହିଲି ସେହି ମରଣ ଗୁମ୍ଫାରେ ।
ଦିନେ ଅଧରାତିରେ ପ୍ରେତଟା ଝଡପରି ଆସି ଦେଖାଗଲା । ସେ ରୂପ ଆଜି ପର୍ଯ୍ୟନ୍ତ ମୋ ଆଖି ପଟରୁ ଲିଭିନି । ଖାଲି ଗୋଟିଏ ଗଣ୍ଡି । ତାର ବେକଠାରୁ ମୁଣ୍ଡଟା ମୋଟେ ନଥାଏ । ହାତ ଯୋଡାକ ତାର ଆଶାତୀତ ଭାବରେ ଲମ୍ବ । ଛାତି ଉପରେ ଖଣ୍ଡାପରି ଗୋଟାଏ ନାକ । ତାର ମୁହଁ ନାହିଁ କି ମୁଣ୍ଡ ନାହିଁ ତଥାପି ବି ସେ କଥା କହୁଥାଏ ଠିକ୍ ମଣିଷ ପରି । ଝିଅକୁ ମୋର ବାଧ୍ୟ କଲା ବିଭା ହେବାକୁ ।
କଥାଟା ମୋର ମୋଟେ ପସନ୍ଦ ହେଲାନି । ମୋର ସେ ଝିଅଟି ବି ପୂରାପୂରି ମନା କରିଦେଲା । ଏଥିପାଇଁ ସେ ପ୍ରେତଟା ରାଗି ଉଠିଲା ନିଆଁପରି । ଝିଅକୁ ମୋର ଅଭିଶାପ ଦେଇ କହିଲା – ‘ପଥର ପାଲଟି ଯା’ । ତାରି କଥା ଅନୁସାରେ ଝିଅ ମୋର ସେହି ଦିନଠାରୁ ପଥର ପାଲଟି ଗଲା । ତାପରେ ତା ପାଇଁ ମୁଁ କାନ୍ଦି ଉଠିଲି ଅସହାୟ ପରି । ତାପରେ ସେହି ପ୍ରେତଟା କୁଆଡେ ଅନ୍ତର୍ଦ୍ଧାନ ହୋଇଗଲା । ମୋର ଶେଷ ଦୀପଶିଖାଟି ଲିଭି ଯିବାରୁ ମୁଁ ପାଗଳ ପ୍ରାୟ ହୋଇ ଅସଂଖ୍ୟ ଦିଅଁ ଦେବତାଙ୍କୁ ଡାକିଲି । କାହାରି ମୋ ପ୍ରତି ଟିକିଏବି ଦୟା ଆସିଲାନି । ଦିନକ ପାଇଁ ବି କେହି ଶୁଣିଲେନି ମୋ ଆକୁଳ ବିକଳ ଡାକ । ତେଣୁ ମୁଁ ଭାବିଲି ତପସ୍ୟା କରିବି । ଦେବତା ସନ୍ତୋଷ ହୋଇ ମୋ ଡାକ ଯଦି ଶୁଣନ୍ତି, ତେବେ ମୋ ଶେଷ ଦୀପ ଶିଖାଟି ଥରକ ପାଇଁ ହେଲେ ବି ଜଳି ଉଠିବ । ତେଣୁ ମୁଁ ତପସ୍ୟାରେ ବସିଲି । ଧ୍ୟାନ ମୋର ଯାଇ ରହିଲା ପ୍ରଭୁଙ୍କ ପାଖରେ । ମୁଁ ମଲି କି ବଂଚିଛି ସେ କଥା ବି ଆଉ ଜାଣି ପାରିଲିନି । ଆଜି ଅନେକ ଦିନ ପରେ ତୁମେ ଆସି ମୋତେ ଉଠାଇଲ । ତୁମେ କିଏ ମା?
ମେଘମାଳା କହିଲା – “ମୁଁ କେନ୍ଦୁଝର ରାଜକୁମାରୀ ମେଘମାଳା ।”
ମଣିଷଟି ପଚାରିଲା – “ଏଠାକୁ ଆସିଲ କିପରି?”
ମେଘମାଳା କହିଲା – “ବନ ବିହାର କରୁ କରୁ ଆମେ ଦୈବାତ୍ ଆସି ଏ ଗିରି ଦୁର୍ଗଟି ଦେଖିଲୁ । ଏହାର ଦରୋଜାରେ ଥିବା ଲୁହା କବାଟ ବନ୍ଦ ହୋଇଥିଲା । ବହୁ କଷ୍ଟରେ ତାକୁ ଖୋଲି ଆମେ ଏ ଦୁର୍ଗ ଭିତରକୁ ଆସିଲୁ । ଏଭଳି ଏକ ରହସ୍ୟମୟ ସ୍ଥାନ କାହା ଦୃଷ୍ଟିକୁ ବା ଆକର୍ଷଣ ନ କରନ୍ତା କିପରି? ପୁଣି ମେଘମାଳା ପଚାରିଲା – “ଆପଣଙ୍କ କନ୍ୟାଟି ପଥର ପାଲଟି ଗଲା ପରେ ମୂର୍ତ୍ତିଟି ରହିଲା କେଉଁଠି?
ମଣିଷ ଜଣକ କହିଲେ – “ଯେବେ ତାକୁ ଦେଖିବାର ଇଚ୍ଛା ଅଛି, ତେବେ ତୁମେ ମୋ ସାଙ୍ଗରେ ଆସ, ମୁଁ ଦେଖାଇ ଦେବି । ଏହା କହି ସେ ମଣିଷଟି ଆଗେ ଆଗେ ଯିବାରୁ କନ୍ୟାମାନେ ଚାଲିଲେ ତାଙ୍କ ପଛେ ପଛେ । ଦୀର୍ଘ ଚଉଦଟି ଖୁଆଡ ଅତିକ୍ରମ କରି ଗଲାପରେ ପଡିଲା ଗୋଟିଏ ମନୋରମ ଖୁଆଡ । ସେଥିରେ ଲେଖା ହୋଇଥିଲା – ଜେମାଦେଈପୁର । ସେ ଖୁଆଡର ଗଠନ ପରିପାଟୀ ଦେଖିଲେ କଠିନ ହୃଦୟ ବି ତରଳି ଯିବାର କଥା । ଆଖି ଓ ମନରେ ଗୋଲକଧନ୍ଦା ଲାଗିବ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସେହି ସ୍ଥାନଟି ଅଳିଆ ଅସନା ହୋଇ ପଡିଛି । ଖଣ୍ଡିଏ ଗଜଦନ୍ତ ପଲଙ୍କ ଉପରେ ବସିଛି ପାଷାଣୀ ରାଜକୁମାରୀ । ଆଖିରୁ ଝରି ଆସିଛି ତା’ର ଦି’ଧାର ଲୁହ ଛାତି ପର୍ଯ୍ୟନ୍ତ । ସେ ବି ପଥର ହୋଇ ଯାଇଛି ।
ମେଘମାଳା ଦେଖିଲା – କନ୍ୟାର ପଥର ମୂର୍ତ୍ତିଟି ଖୁବ୍ ସୁନ୍ଦର ଦିଶୁଛି । ତେଣୁ ଜୀବନକାଳ ମଧ୍ୟରେ ସେ ଯେ ଖୁବ୍ ସୁନ୍ଦରୀ ଥିଲା, ତାହା ସହଜେ ସେ ଅନୁମେୟ କଲା । ତାପରେ ମେଘମାଳା ପଚାରିଲା – “ଏହାର ନାମ କ’ଣ ଦେଇଥିଲ?”
ମଣିଷ କହିଲେ – “ଚାରୁ କୁମାରୀ!”
ମେଘମାଳା କହିଲା – “ପ୍ରକୃତରେ ଏ ଚାରୁ କୁମାରୀ । ଆଚ୍ଛା ଆପଣ ପରା ଜଣେ ରାଜା?”
ମେଘମାଳା ପୁଣି ପଚାରିଲା – “ଆଚ୍ଛା, ତେବେ ଆପଣ ମୋର ମଉସା ହେବେ?”
ଏସବୁ କଥା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହେଲେ ସେ ତପସ୍ୱୀ । ଚପଳା ଯୁବତୀର ଚପଳ କଥାରୁ ସେ କିଛି ବି ବୁଝି ପାରିଲେନି । ତଥାପି ମେଘମାଳା ପ୍ରତି କାହିଁକି କେଜାଣି ତାଙ୍କର ଟିକେ ସ୍ନେହ ଆସିଲା । ସେ ତପସ୍ୱୀ ଜଣକ ସ୍ନେହରେ ବିଗଳିତ ହୋଇ କାନ୍ଦି ପକାଇଲେ । ଏବଂ କହିଲେ – “ଜେମାଦେଈ! ମୋ’ପରି ଗୋଟାଏ ହତଭାଗ୍ୟ ମଣିଷକୁ ମଉସାର ଆସନ ଦେଲେ ତୋର କିଛି ବି ଲାଭ ହେବନି ।”